ପାଓମେସ୍କ ଡିଜିଏମ୍‌ଙ୍କୁ ଜିଅନ୍ତା ପୋଡ଼ି ହତ୍ୟା ମାମଲା : କୁମରଙ୍କୁ ଆଜୀବନ କାରାଦଣ୍ଡ, ୧୫ ଖଲାସ

ସମ୍ବଲପୁର : ପାଓମେକ୍ସ ଷ୍ଟିଲ କାରଖାନା ଡିଜିଏମ୍‌ ରାଧେଶ୍ୟାମ ରାଏଙ୍କୁ ଜୀବନ୍ତ ପୋଡ଼ି ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା ଦୌରାଜଜ୍‌ ଏସ୍‌.କେ.ପତି ଅଭିଯୁକ୍ତ କୁମର ଓରଫ କୁମରମଣି ବାଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତିି। ଘଟଣାରେ ସଂପୃକ୍ତ ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏହି ଘଟଣାର ସାତ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି।

୨୦୧୧ ମସିହା ମାର୍ଚ୍ଚ ମାସରେ ଟିଟିଲାଗଡ଼ ତୁର୍ଲାସ୍ଥିତ ପାଓମେକ୍ସ ଷ୍ଟିଲ କାରଖାନାରେ ଶ୍ରମିକ ଆନ୍ଦୋଳନ ଚାଲିଥିଲା। କାରଖାନା ପକ୍ଷରୁ କେତେକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଅନ୍ୟ କେତେକ କର୍ମଚାରୀ ମଧ୍ୟ ଛଟେଇ ହେବା ଆଶଙ୍କା ପ୍ରକାଶ କରିିଥିଲେ। ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ମାର୍ଚ ୩ ତାରିଖ ଅପରାହ୍‌ଣ ୧ଟା୧୦ରେ କାରଖାନାର ଡିଜିଏମ୍‌ ରାଧେଶ୍ୟାମ ରାଏ, ଉପସଭାପତି(ମାର୍କେଟିଂ) ବିଚିତ୍ରାନନ୍ଦ ପଣ୍ଡାକ ସହିତ ଏକ ବୋଲେରୋ ଗାଡ଼ି(ଓଆର୍‌ ୦୩ଜି୧୮୭୭)ରେ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଆସୁଥିଲେ। କାରଖାନାରୁ ମାତ୍ର ୫୦ ଫୁଟ୍‌ ଦୂରରେ ପୂର୍ବରୁ ଲୁହା ଛଡ଼, ଲାଠି ଆଦି ଧରି ଛକି ରହିଥିବା ଲୋକେ ଅଚାନକ ସେମାନଙ୍କୁ ଆକ୍ରମଣ କରିଥିଲେ। ଗାଡ଼ି ଭଂଗାରୁଜା କରିବା ସହି ଡିଜିଏମ୍‌ ଶ୍ରୀ ରାଏଙ୍କୁ ମାଡ଼ପିଟ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡ଼ିରେ ବି ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ପୁଲିସ ଉଭୟ ଅଧିକାରୀଙ୍କୁ ଉଦ୍ଧାର କରି ଚିକ୍‌ିତ୍ସା ପାଇଁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଶ୍ରୀ ରାଏଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଉଥିଲା। ମାତ୍ର ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବଲାଂଗୀର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଶ୍ରୀ ରାଏଙ୍କ ମୃତ୍ୟୁ ଘଟିଥିଲା।

ଏହି ଆକ୍ରମଣ ଘଟଣାରେ ସର୍ବମୋଟ ୫୨ ଜଣ ଲୋକ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତେବେ ଟିଟିଲାଗଡ଼ ଥାନା ପୁଲିସ୍‌ ଉକ୍ତ ଘଟଣାରେ ଡାଇନାମିକ ପାଓମେକ୍ସ ଇଣ୍ଡଷ୍ଟ୍ରିଆଲ ଲେବର ୟୁନିୟନ(ୟୁନିୟନ-୨)ର ସଂପାଦକ ଗୌରୀଶଙ୍କର ମିଶ୍ରଙ୍କ ସମେତ ୧୬ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଚାଲିଥିଲା। ଏହି ମାମଲାରେ ୩୯ ଜଣ ସାକ୍ଷୀ ରହିଥିବା ବେଳେ ୩୭ ଜଣଙ୍କ ସାକ୍ଷ୍ୟ ମଧ୍ୟ ନିଆଯାଇଥିଲା। ତେବେ କଂପାନି କର୍ତୃପକ୍ଷ ଟିଟିଲାଗଡ଼ କୋର୍ଟରେ ନ୍ୟାୟ ମିଳିପାରିବା ନେଇ ଆଶଙ୍କା ପ୍ରକାଶ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ଏହି ମାମଲା ସମ୍ବଲପୁର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ସମ୍ବଲପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅନ୍ୟ ୨ଜଣଙ୍କ ସାକ୍ଷ୍ୟ ନିଆଯିବା ଜବାବ ସୁଆଲ ହୋଇଥିଲା।

ଏହି ବହୁଚର୍ଚିତ ମାମଲାରେ ଜିଲ୍ଲା ଦୌରା ଜଜ୍‌ ଏସ୍‌.କେ.ପତି କେବଳ ଜଣେ ଅଭିଯୁକ୍ତ କୁମର ଓରଫ କୁମରମଣି ବାଗକୁ ଆଇପିସିର ଦଫା ୧୪୮/୩୪୧/୪୩୫/୩୦୨/୧୪୯ ଦଫାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି।

ସମ୍ବନ୍ଧିତ ଖବର