ଜୋର ଧରିଲାଣି ରାଜନୈତିକ ଗତିବିଧି:ନେତା ଏବେ ନିର୍ବାଚନମୁହାଁ

ସମ୍ବଲପୁର: ୨୦୧୯ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ବି କମ୍‌ ସମୟ ଥିଲାବେଳେ ସାରା ଦେଶରେ ରାଜନୈତିକ ତତ୍ପରତା ବଢ଼ିବାରେ ଲାଗିଛି। ଓଡ଼ିଶାରେ ବିଜେଡି, ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲାବେଳେ ବିଳମ୍ବରେ ହେଲେ ସୁଦ୍ଧା କଂଗ୍ରେସ ବି ମଇଦାନକୁ ଓହ୍ଲାଇ ରଣହୁଂକାର ଦେଇଛି। ବିଭିନ୍ନ ଅଞ୍ଚଳର ସ୍ଥାନୀୟ ସମ୍ଭାବ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ନିଜକୁ ସୁହାଇଲା ଭଳି ଗୋଟି ଚଳାଉଛନ୍ତି। ଓଡ଼ିଶା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ର ସମ୍ବଲପୁର ବା ଏଥିରୁ ବାଦ ପଡ଼ିବ କେମିତି। ଏଠାରେ କେଉଁ ଦଳର କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ପଷ୍ଟ ହୋଇ ନଥିଲେ ବି ରାଜନେତାମାନେ ନିଜ ପାଇଁ ବିଭିନ୍ନ ଉପାୟରେ ଜନ ସମର୍ଥନ ହାସଲରେ ଲାଗି ପଡ଼ିଛନ୍ତି। ଏଥି ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ନିକଟରେ ଶୀତଳଷଷ୍ଠୀ ଯାତ୍ରା ସମୟରେ ନେତା ମାନଙ୍କ ତତ୍ପରତା ଦେଖିବା ଯୋଗ୍ୟ ଥିଲା। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ପ୍ରମୁଖ ସବୁ ପଡ଼ାର ପ୍ରତିଟି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ଇଦ୍‌ ସମୟରେ ବିଭିନ୍ନ ନେତାଙ୍କ ଇଫ୍‌ତାର ଭୋଜି ମଧ୍ୟ ରାଜନୈତିକ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏବେ ଝାରସୁଗୁଡ଼ା ବିଧାୟକ ନବ ଦାସ ଏବଂ ରାସେଶ୍ୱରୀ ପାଣିଗ୍ରାହୀଙ୍କ ମଧ୍ୟରେ ନିଭୃତ ଆଲୋଚନା ସମ୍ବଲପୁର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଜୟ ନାରାୟଣ ମିଶ୍ର ଏବେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲାବେଳେ ଦଳ ଭିତରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସୁରେଶ ପୂଜାରୀ କିନ୍ତୁ ବେଶ ସକ୍ରିୟତା ଦେଖାଉଛନ୍ତି। ପୂର୍ବରୁ ଦଳୀୟ କାର୍ଯ୍ୟରେ ଅନ୍ୟ ରାଜ୍ୟରେ ବୁଲୁଥିବା ଓ ଟିଭି ଆଲୋଚନାରେ ଅଧିକ ପ୍ରକଟ ହେଉଥିବା ସୁରେଶ ଏବେ ନିଜ ରଣନୀତିରେ ପରିବର୍ତ୍ତନ ଆଣି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ବେଶି ସାମିଲ ହେଉଛନ୍ତି। ଜିଲ୍ଲାର ଦଳୀୟ ସଂଗଠନ ଏବେ ତାଙ୍କ ନିୟନ୍ତ୍ରଣରେ ଥିବାରୁ ତାଙ୍କୁ ସୁହାଉଛି। ଅପର ପକ୍ଷରେ ସହର ଭିତରେ ସକ୍ରିୟତା ଦେଖାଇବାରେ ବିଧାୟିକା ରାସେଶ୍ୱରୀ ଅନ୍ୟ ସମସ୍ତଙ୍କୁ ବହୁ ପଛରେ ଛାଡ଼ି ଦେଇଛନ୍ତି। ସୁଯୋଗ ମିଳୁଥିବା ପ୍ରତିଟି ସଭା, ସମିତି, କାର୍ଯ୍ୟକ୍ରମ, ଉତ୍ସବରେ ଉପସ୍ଥିତି ତାଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି। ହେଲେ ବିଭିନ୍ନ ସମୟରେ ଅଲୋଡ଼ା ବିବାଦରେ ଛନ୍ଦି ହେବା ଓ ଦଳ ଭିତରେ ତାଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହେବା ରାସେଶ୍ୱରୀଙ୍କ ପାଇଁ ଅଡ଼ୁଆ ହୋଇପାରେ। ଶୀତଳଷଷ୍ଠୀ ସମୟରେ ମିନାବଜାର ବିବାଦ, ବର୍ତମାନ ଚାଲିଥିବା ପ୍ରତିମୂର୍ତ୍ତି ସ୍ଥାପନ ବିବାଦ ଆଦି ବିଧାୟିକାଙ୍କ ପାଇଁ ସମୟ ସମୟରେ ସମସ୍ୟା ସୃଷ୍ଟି କରୁଛି। ବିଜେପିରେ ସୁରେଶ ଓ ଜୟନାରାୟଣଙ୍କର ବସ୍ତୁତଃ ୨ଟି ଗୋଷ୍ଠୀ ଥିଲାବେଳେ ବିଜେଡି ସଂଗଠନ ବହୁ ଗୋଷ୍ଠୀରେ ବିଭାଜିତ ହୋଇଛି। ସହର ଭିତରେ ବିଧାୟିକାଙ୍କ ବ୍ୟତୀତ, ଜିଲ୍ଲା ସଭାପତି ପ୍ରମୋଦ ରଥ, ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ବରିଷ୍ଠ ନେତା ଜୟବ୍ରତ ଦେ’, ସିଦ୍ଧାର୍ଥ ଦାସ, ଯୁବ ନେତା ସିଦ୍ଧାର୍ଥ ସାହା ଏବଂ ସଂଜିତ ମହାନ୍ତି ପ୍ରମୁଖଙ୍କର ସ୍ୱତନ୍ତ୍ର ସମର୍ଥକ ଗୋଷ୍ଠୀ ରହିଛନ୍ତି। ଏହାଛଡ଼ା ସରକାରୀ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଏବେ ନିର୍ବାଚନ କାରଣରୁ ନିଜ ନିର୍ବାଚନମଣ୍ଡଳୀ ରେଢ଼ାଖୋଲ ଅଞ୍ଚଳରେ ଅଧିକ ସକ୍ରିୟ ଥିଲାବେଳେ ସମ୍ବଲପୁର ସହରରେ ତାଙ୍କର ମଧ୍ୟ ସଂଗଠନ ରହିଛି। ତେବେ ନିର୍ବାଚନ ସମୟରେ ବିଜେଡିର ସମସ୍ତ ଗୋଷ୍ଠୀ ଏକ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବା ସମ୍ଭାବନା କ୍ଷୀଣ। ଅପର ପକ୍ଷରେ କଂଗ୍ରେସ ଭିତରେ ସେଭଳି ଗୋଷ୍ଠୀ ବିବାଦ ନାହିଁ। ନୂଆ ସଭାପତିଙ୍କ ପାଇଁ ପୁରୁଣା ସଭାପତି ନିଜ ଆଡ଼ୁ ବାଟ ଛାଡ଼ି ଦେଇଛନ୍ତି। ବିଧାୟକ ନବ ଦାସ କାର୍ଯ୍ୟକାରୀ ସଭାପତି ହେବା ଓ ନିରଂଜନ ପଟ୍ଟନାୟକ ସଭାପତି ହେବା ସମ୍ବଲପୁର ସଂଗଠନକୁ ମଧ୍ୟ ଉତ୍ସାହିତ କରିଛି। ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ ସକ୍ରିୟ ରହୁଛନ୍ତି। ହେଲେ ବହୁ ଦିନ ଧରି ସୁପ୍ତ ଅବସ୍ଥାରେ ରହିବା ପରେ ଏହି ଦଳ ସକ୍ରିୟ ଥିବା ଦୁଇଟି ପ୍ରମୁଖ ରାଜନୈତିକ ଦଳକୁ କେତେ ଚାଲେଞ୍ଜ ଦେଇ ପାରିବ ତାହା ଆଗାମୀ ଦିନରେ ଜଣା ପଡ଼ିବ।

ସମ୍ବନ୍ଧିତ ଖବର