ରାତି ତମାମ୍ ବେଡରେ ପଡ଼ି ରହିଲା ଶବ:ଏନ୍ଏଚ୍ଆର୍ସି ତଦନ୍ତ ହେବ!
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର/ବରଗଡ଼: ଶନିବାର ଅପରାହ୍ନ ୩ଟା ବେଳେ ବୁର୍ଲା ମେଡିକାଲର ହୃଦ୍ରୋଗ ବିଭାଗର ୧୨ ନଂ ଶଯ୍ୟାରେ ଚିକିତ୍ସାଧୀନ ଥିବା ବରଗଡ଼ ଜିଲ୍ଲା ବନ୍ଧପଡ଼ାର ବିଚାରଧୀନ କଏଦୀ ରଞ୍ଜିତ ପଟ୍ଟନାୟକ ଓରଫ ବାବୁଲୁ (୪୫)ର ମୃତ୍ୟୁ ଘଟିଛି। ତେବେ, ବରଗଡ଼ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ରଞ୍ଜିତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ରଞ୍ଜିତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତ ୧୬ ତାରିଖରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଶୁକ୍ରବାରଠାରୁ ହିଁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଡାକ୍ତରଙ୍କ ଏହି ପରାମର୍ଶ ସତ୍ତ୍ବେ ବରଗଡ଼ ଜେଲ କର୍ତ୍ତୃପକ୍ଷ ରଞ୍ଜିତଙ୍କୁ ସ୍ଥାନାନ୍ତର କରିନଥିଲେ ଓ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀ ଜ୍ୟୋଇଁ ମନୋରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ନ୍ୟାୟ ନମିଳିବା ଯାଏଁ ଶବ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି ପରିବାରଲୋକ ଜିଦ୍ ଧରି ବସିଛନ୍ତି। ଏ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଏସମ୍ପର୍କରେ ବରଗଡ଼ ଜେଲର ନିଳିମା କୁଲ୍ଲୁଙ୍କୁ ଯୋଗାଯୋଗ କରାଯିବାରୁ ୧୧ ତାରିଖରେ ଅଭିଯୁକ୍ତଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ବରଗଡ଼ ମେଡିକାଲକୁ ପଠାଇଥିଲୁ ଓ ପରେ ବୁର୍ଲାକୁ ମଧ୍ୟ ସ୍ଥାନାନ୍ତର କରିଥିଲୁ ବୋଲି କହିଥିଲେ। ତେବେ, ଏଠାରେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କେଉଁଠି ରହିଲା ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ତେବେ ଏନେଇ ବିଧିବଦ୍ଧ ତଦନ୍ତ ହେବ ବୋଲି ଜେଲର କୁଲ୍ଲୁ କହିଥିଲେ। ସେପଟେ, ବୁର୍ଲା ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବୁର୍ଲା ଥାନା ଆଇଆଇସି ବି.ବି.ଭୋଇଙ୍କୁ ଏସମ୍ପର୍କରେ ପଚରାଯିବାରେ ରବିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବ ବୋଲି କହିଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ ରିକ୍ୟୁଜିସନ ମିଳିନଥିବାରୁ ପୁଲିସ୍ ଏଯାବତ୍ ଶବ ଜବତ କରିନାହିଁ ବୋଲି ଶ୍ରୀ ଭୋଇ କହିଛନ୍ତି। ସେପଟେ, ଜାତୀୟ ମାନବାଧିକାର କମିସନ ମଧ୍ୟ ଏହି ଘଟଣାର ତଦନ୍ତ କରିବ ବୋଲି ଶ୍ରୀ ଭୋଇ ସୂଚନା ଦେଇଥିଲେ।
ମିଳିଥିବା ସୂଚନା ମୁତାବକ, ମୃତକ ରଞ୍ଜିତ ବରଗଡ଼ ଉପକଣ୍ଠ ଏକ ସରକାରୀ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଥିଲେ। ତେବେ ଗତ ୪ ତାରିଖ ରାତିରେ ଜଣେ ସ୍କୁଲ ଛାତ୍ରୀ(ନାବାଳିକା)ଙ୍କ ସହ ସେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ବରଗଡ଼ ଟାଉନ୍ ଥାନା ପୁଲିସ୍ ରଞ୍ଜିତଙ୍କୁ ଗିରଫ କରିଥିଲା। ରଞ୍ଜିତଙ୍କ ବିରୋଧରେ ଭାରତୀୟ ଦଣ୍ଡିବିଧି ୩୪୧, ୩୫୪, ୩୫୪(ଏ), ୫୦୬, ପୋକ୍ସୋ ଆଇନ୍ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ୧୮ ତାରିଖ ଅର୍ଥାତ୍ ଶନିବାର ହିଁ ବରଗଡ଼ ଏସ୍ଡିଜେଏମ୍ କୋର୍ଟରେ ରଞ୍ଜିତ ହାଜର ହେବା ନେଇ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ ୧୨ ତାରିଖରେ ହଠାତ୍ ରଞ୍ଜିତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ୧୧ ତାରିଖରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୧୬ ତାରିଖ ରାତିରୁ ରଞ୍ଜିତଙ୍କ ଅବସ୍ଥା ଅଧିକ ବିଗିଡ଼ିଥିଲା। କିନ୍ତୁ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବିନା ଅନୁମତିରେ ବିଚାରଧୀନ କଏଦୀଙ୍କ ସ୍ଥାନାନ୍ତର କରାନଯିବାର ଅନୁମତି ନଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଏନେଇ ବାରମ୍ବାର ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ଜଣାଯାଇଛି।