ଭାଇଜାଗ୍‌ କଲେଜ୍‌ରେ ଛାତ୍ର ର‍୍ୟାଗିଂ ମାମଲା: ଗଡ଼ପୋଷରେ ରେଳରୋକ 

ରାଉରକେଲା-ବାମରା ୨ଘଣ୍ଟା ଯାତାୟତ ପ୍ରଭାବିତ 

ସମ୍ବଲପୁର: ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ର ଏକ କଲେଜରେ ସମ୍ବଲପୁର ଜିଲ୍ଲାର ଜଣେ ଯୁକ୍ତ ୨ ବିଜ୍ଞାନ ଛାତ୍ର ର‍୍ୟାଗିଂର ସମ୍ମୁଖୀନ ହୋଇ ଶେଷରେ ଜୀବନ ହାରିବା ଘଟଣାରେ ରବିବାର ଗଡ଼ପୋଷରେ ରେଳରୋକ ହୋଇଛି। ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଶତାଧିକ ଲୋକ ରେଳରୋକ କରିଥିଲେ। ଏହା ପୂର୍ବରୁ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଦୋକାନ ବଜାର ବନ୍ଦ କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ ଶେଷରେ ସେମାନେ ବାଧ୍ୟ ହୋଇ ରେଳ ରୋକ କରିଥିଲେ।

ସୂଚନାଯୋଗ୍ୟ ବାମରା ବ୍ଲକ ଅଧିନ ଗୋଡପୋଷ୍ଟ ନିବାସୀ ଶୈଳେଶ କେଶରଓ୍ଵାନୀଙ୍କ ପୁତ୍ର ଶ୍ରେୟସ କେଶରଓ୍ଵାନୀ ର‍୍ୟାଗିଂର ଶିକାର ହୋଇ ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜୀବନ ହାରିଥିଲେ।

ଶୈଲେଶଙ୍କ କହିବା ଅନୁସାରେ ତାଙ୍କ ପୁତ୍ର ଶ୍ରେୟସ ଭାଇଜାଗ୍‌ର ଶ୍ରୀଚୈତନ୍ୟ ଇଷ୍ଟିଚ୍ୟୁଟ୍‌ରେ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ବର୍ଷର ଛାତ୍ର ଥିଲେ। ଡିସେମ୍ବର ଶେଷ ସପ୍ତାହରେ ଶ୍ରେୟସଙ୍କୁ ତାଙ୍କର ସାଥୀ ଛାତ୍ରମାନେ ର‍୍ୟାଗିଂ କରି ବହୁ ହଇରାଣ କରିବା ସହିତ ନିର୍ଧୂମ ପିଟିଥିଲେ। ଧମକ ଦେଇ ସେମାନେ କହିଥିଲେ, ଯଦି ଏହି ଘଟଣା ସମ୍ପର୍କରେ ବାହାର ଲୋକ ଜାଣନ୍ତି, ତା’ହେଲେ ଅବସ୍ଥା ଖରାପ ହେବ। ତେଣୁ ଶ୍ରେୟସ ପୂର୍ବରୁ ଘଟିଥିବା ର‍୍ୟାଗିଂ ବିଷୟରେ କାହାରିକୁ କିଛି ନ କହି  ଚୁପ୍‌ ରହିଥିଲେ।

ମାତ୍ର ଶ୍ରେୟସ ନିଜ ପିତା ଶୈଳେଶଙ୍କୁ ଫୋନ୍‌ରେ କିଛି ଘଟଣା ସମ୍ପର୍କରେ କହି ଦେଇଥିଲେ। ସେ କହିଥିଲେ, ବାଥରୁମ୍‌ରେ ପଡ଼ି ଯିବାରୁ ମୋର ଦେହ ଅସୁସ୍ଥ ଅଛି। ଗତ ଡିସେମ୍ବର ୨୯ରେ ଶୈଳେଶ ଭାଇଜାଗ୍‌ ଯାଇ ପୁଅକୁ ଡିସେମ୍ବର ୩୦ରେ ନେଇ ସମ୍ବଲପୁର ଆସିଥିଲେ। ଘରେ ୨/୩ ଦିନ ରହିବା ପରେ ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାର ତାଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ଦେହ ସୁସ୍ଥ ଠିକ୍‌ ନହେବାରୁ ଶ୍ରେୟସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ଶନିବାର ସକାଳୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତରମାନେ ବଞ୍ଚାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଶ୍ରେୟସ ପୂର୍ବାହ୍ନ ୧୧ଟା ୪୦ରେ ଜୀବନ ହାରିଥିଲେ।

 

ସମ୍ବନ୍ଧିତ ଖବର