ଟ୍ରେଡ ଲାଇସେନ୍ସ ନେଇ ଚଢ଼ାଉ:୩୬ ହଜାର ଜରିମାନା ଆଦାୟ

ମନୁଭାଇ ଅଳଙ୍କାର, ଶ୍ରୀ ଡାଇଗ୍ନୋଷ୍ଟିକ, ଲଲନ କୋଚିଂରେ ଚଢାଉ ମନୁଭାଇ ଅଳଙ୍କାର, ଶ୍ରୀ ଡାଇଗ୍ନୋଷ୍ଟିକ, ଲଲନ କୋଚିଂରେ ଚଢାଉ

ସମ୍ବଲପୁର: ଟ୍ରେଡ ଲାଇସେନ୍ସ ପାଇଁ ଆବଶ୍ୟକ ବାର୍ଷିକ ମାତ୍ର ୫୦୦ରୁ ୩୦୦୦ ଟଙ୍କା। ମାସିକ ଲକ୍ଷାଧିକ ଟଙ୍କା ଆୟ କରୁଥିବା ଅଳଙ୍କାର ଦୋକାନ, ସାଇକେଲ ଦୋକାନ ଏବଂ କୋଚିଂ ସେଣ୍ଟର ତାହା ମଧ୍ୟ ଦାଖଲ କରୁ ନାହାନ୍ତି। ଏ ନେଇ ବାରମ୍ବାର ତାଗିଦ ପରେ ଟଙ୍କା ଦାଖଲ କରାନଯିବା ନେଇ ଏସଏମସି ଏନଫୋର୍ସମେଣ୍ଟ ସେଲ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ୩୬ ହଜାର ଟଙ୍କା ଅସୁଲ କରାଯାଇଥିବା କହିଛନ୍ତି ଏସଏମସିର ଏନଫୋର୍ସମେଣ୍ଟ ଅଧିକାରୀ ଶୁଭ୍ରକାନ୍ତ ମହାନ୍ତି। ଏଥିମଧ୍ୟରେ ବୁଢାରଜା ସ୍ଥିତ ମନୁଭାଇ ଜ୍ୱେଲର୍ସ, ଲଲନ କମର୍ସ କୋଚିଂ, ସିଟି ପଲି କ୍ଲିନିକ, ଶ୍ରୀ ଡାଇଗ୍ନୋଷ୍ଟିକ, ମିଶ୍ର ସାଇକେଲ ସପ ସମେତ ବିଭିନ୍ନ ବ୍ୟବସାୟିକ ସଂସ୍ଥା ରହିଛି। ଏମାନଙ୍କ ଠାରୁ ୨୯ ହଜାର ୮୦୦ ଟଙ୍କାର ଅର୍ଥ ଦଣ୍ଡ ଅସୁଲ କରାଯାଇଛି। ଧନୁପାଲିରୁ ଜେଲ ଛକ ମଧ୍ୟରେ ବେଆଇନ ଭାବରେ ରାସ୍ତାରେ ଖୋଲିଥିବା ଚିକେନ, ମଟନ ଏବଂ ମାଛ ଦୋକାନୀଙ୍କ ଠାରୁ ୬୩୦୦ ଟଙ୍କା ଅସୁଲ କରାଯାଇଛି। ମହାନଗର ନିଗମ କାର୍ଯ୍ୟାଳୟ କହିଛି, ଏସଏମସି ଧାରା ୫୫୪ ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଟ୍ରେଡ ଲାଇସନ୍ସ ଆବଶ୍ୟକ। ଏଥି ଅନ୍ତର୍ଗତ ୧୦୦୦ରୁ ୨୦୦୦ ବର୍ଗଫୁଟ ପାଇଁ ବାର୍ଷିକ ୩ ହଜାର, ୮୦୦ରୁ ୧୦୦୦ ବର୍ଗଫୁଟ ପାଇଁ ବାର୍ଷିକ ୧୮ଶହ, ୪୦୦ରୁ ୮୦୦ ବର୍ଗଫୁଟ ପାଇଁ ୧୫ ଶହ ଟଙ୍କା, ୨୦୦ରୁ ୪୦୦ ବର୍ଗଫୁଟ ପାଇଁ ବାର୍ଷିକ ୧ ହଜାର, ୧୦୦ରୁ ୨୦୦ ବର୍ଗଫୁଟ ପାଇଁ ବାର୍ଷିକ ୮୦୦ ଟଙ୍କା, ୧୦୦ ବର୍ଗଫୁଟର ତଳକୁ ପାଇଁ ବାର୍ଷିକ ୫୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି। ମାତ୍ର ଏତିକି ସ୍ୱଳ୍ପ ଅର୍ଥ ମଧ୍ୟ ଦାଖଲ କରୁ ନାହାନ୍ତି କେହି। ଯେଉଁ କିଛି ଜଣ ଟ୍ରେଡ ଲାଇସନ୍ସ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନବୀକରଣ କରାଉ ନାହାନ୍ତି। ଏଥିସହିତ ଏସଏମସିର ଚତୁପାର୍ଶ୍ୱରେ ବିଜ୍ଞାପନ ହୋର୍ଡିଂ ଲଗାଇଥିଲେ ମଧ୍ୟ ଏ ନେଇ ଦେୟ ଏସଏମସିକୁ ଦାଖଲ ହେଉ ନାହିଁ। ଏଥିପାଇଁ ବର୍ତ୍ତମାନ ଏସଏମସି ଏନଫୋର୍ସମେଣ୍ଟ ସେଲ ପକ୍ଷରୁ ହୀରାକୁଦ, ବୁର୍ଲା, ଧନୁପାଲିରେ ସ୍ୱତନ୍ତ୍ର ଶିବିର କରାଯାଇ ଲାଇସେନ୍ସ କରାଯାଇ ଥିଲା। ବୁଢାରଜା ଅଞ୍ଚଳରେ ଏହି ଚଢାଉ ପୂର୍ବରୁ ଲାଇସେନ୍ସ କରାଇବା ନେଇ ବାରମ୍ବାର ମାଇକ ଯୋଗେ ପ୍ରଚାର କରାଯାଇ ଥିଲା। ଏହା ସତ୍ତ୍ୱେ କେହି ଦୃଷ୍ଟିନଦେବାରୁ ଏହି ଚଢାଉ କରାଯାଇଥିବା ଏସଏମସି କହିଛି।

ସମ୍ବନ୍ଧିତ ଖବର