ରେଢ଼ାଖୋଲ, ନାକଟିଦେଉଳ ବ୍ଲକ୍‌କୁ ମରୁଡ଼ି ଘୋଷଣା ଦାବି : କୃଷି ଅଫିସ ଘେରିଲା କଂଗ୍ରେସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ‌ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌କୁ ମରୁଡ଼ି ଘୋଷଣା କରାଯାଇ ନଥିବା ଅଭିଯୋଗ କରି ଶୁକ୍ରବାର କଂଗ୍ରେସ୍ ପକ୍ଷରୁ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। ଅଣଜଳସେଚିତ ଏହି ବ୍ଲକ ଦ୍ବୟ ଚିର ମରୁଡ଼ି ପ୍ରପୀଡ଼ିତ ଓ ଚଳିତ ବର୍ଷ ମଧ୍ୟ ଉତ୍କଟ ମରୁଡ଼ିର ସମ୍ମୁଖୀନ ହୋଇଥିଲାବେଳେ କେମିତି ମରୁଡ଼ି ତାଲିକାରୁ ବାଦ ପଡ଼ିଲେ ବୋଲି ପ୍ରଶ୍ନ କରିଥିଲେ। ତେବେ ବ୍ଲକ ଦ୍ବୟ ମରୁଡ଼ି ତାଲିକାରୁ ବାଦ ପଡ଼ିଥିବା ବିଷୟକୁ କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ର ଜେନା ଖଣ୍ଡନ କରିଥିଲେ। ସେ କହିଲେ, ଜିଲ୍ଲାର ୯ଟି ଯାକ ବ୍ଲକ୍‌ର ସମସ୍ତ ୧୩୮ଟି ପଞ୍ଚାୟତକୁ ମରୁଡ଼ି ପ୍ରଭାବିତ ତାଲିକାରେ ସାମିଲ କରାଯାଇଛି। ତେବେ ନାକଟିଦେଉଳ ଓ ରେଢ଼ାଖୋଲ ବ୍ଲକ୍‌ର ଯୁଗ୍ମ ସର୍ବେକ୍ଷଣ ରିପୋର୍ଟ ଆସି ନଥିବାରୁ ଏହି ବ୍ଲକ୍ ଦ୍ବୟର ନାମ ଘୋଷଣା ହୋଇ ନାହିଁ। ଆଉ କିଛି ଦିନ ମଧ୍ୟରେ ରାଜସ୍ବ ଓ କୃଷି ବିଭାଗ ଦ୍ବାରା କରାଯାଉଥିବା ଯୁଗ୍ମ ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ପୂର୍ଣ୍ଣାଙ୍ଗ ଘୋଷଣା କରାଯିବ। ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଏବଂ ସେ ମଧ୍ୟ ପରବର୍ତ୍ତୀ ସମୟରେ ଯେଉଁ ଯେଉଁ ଅଞ୍ଚଳର ସର୍ଭେ ରିପୋର୍ଟ ପହଞ୍ଚିବ ତାକୁ ମରୁଡ଼ି ଘୋଷଣା ପାଇଁ ସରକାରଙ୍କ ନିକଟକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇନ୍‌ପୁଟ୍ ସବ୍‌ସିଡି ପାଇଁ ଚାଷୀବାରି ଆକଳନ କରାଯିବ। ତେଣୁ ଏଥି ପାଇଁ କୌଣସି ଚାଷୀ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମୁରା ଆଦି ସମସ୍ତ ପଞ୍ଚାୟତରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ଓ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ। ବରିଷ୍ଠ କଂଗ୍ରେସ ନେତା ଆସଫ ଅଲୀ ଖାନ୍‌ଙ୍କ ନେତୃତ୍ବରେ ଲୋକସଭାମଣ୍ଡଳୀ ଯୁବ ସଭାପତି ଆଶୁତୋଷ ସ୍ବାଇଁ, ଡକରା ସଭାପତି ସୋନୁ ସେଠ, ବଂଶଜାଲ ସଭାପତି ଶ୍ରୀଧର ନାଏକଙ୍କ ନେତୃତ୍ବରେ ବହୁ କଂଗ୍ରେସ୍ କର୍ମୀ କାର୍ଯ୍ୟାଳୟ ଘେରାଉ କରି କୃଷି ଉପନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର