ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ପୁଅକୁ ନପାଇ ବାପାର ତଣ୍ଟି କାଟିଲା

ରେଂଗାଲି : ଦୁଇ ଯୁବକଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିଲା। ପରେ କ୍ରୋଧରେ ଜଣେ ଯୁବକ ଆଉ ଜଣକୁ ଆକ୍ରମଣ କରିବାକୁ ଯାଇଥିଲା। ତେବେ, ସଂପୃକ୍ତ ଯୁବକକୁ ନପାଇ ତାର ବାପାକୁ ହାଣି ମାରିଦେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କତରବଗା ଥାନା ରୁଣୀମହୁଲ ଗାଁରେ। ବୁଧବାର ରାତି ପ୍ରାୟ ୮ଟା ସମୟରେ ଏହି ଗାଁର ଗଗନ ଦଣ୍ଡସେନା (୨୪) ନାମକ ଜଣେ ଯୁବକ ହୃଷୀକେଶ ବାରିକ (୪୬)ଙ୍କ ତଣ୍ଟି କାଟି ହତ୍ୟା କରିଛି।

ପ୍ରକାଶ ଯେ, ବୁଧବାର ଦିନ ବରଯାତ୍ରୀ ଯାଇ ବସ୍‌ରେ ଫେରୁଥିବା ସମୟରେ ରୁଣୀମହୁଲର ଗଗନ ଓ ହୃଷୀକେଶଙ୍କ ପୁଅ ଚିକୁ ବାରିକଙ୍କ ମଧ୍ୟରେ ବଚସା ହୋଇଥିଲ। ରାତି ୮ଟାରେ ଗଗନ ଚିକୁଙ୍କୁ ଖୋଜିବାକୁ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ଚିକୁଙ୍କୁ ନ ପାଇ ଏଣେତେଣେ ଖୋଜାଖୋଜି କରି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା। ଏହି ସମୟରେ ଚିକୁଙ୍କ ବାପା ହୃଷୀକେଶ ହାବୁଡ଼ରେ ପଡ଼ିଥିଲେ। ଗଗନ ହଠାତ୍‌ ଧରିଥିବା ଛୁରୀରେ ହୃଷୀକେଶଙ୍କ ତଣ୍ଟି କାଟି ଦେଇଥିଲେ। ଫଳରେ, ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପରେ, ପୁଲିସ୍‌ ଅଭିଯୁକ୍ତ ଗଗନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର