ରେଙ୍ଗାଲି ସମବାୟ ସମିତି ଦୁର୍ନୀତି ପର୍ଦାଫାସ:ମିଛ ଋଣ କାରବାର ନେଇ ରିପୋର୍ଟ ଦାଖଲ

ସମ୍ବଲପୁର : ରେଙ୍ଗାଲି ସମବାୟ ସମିତିରୁ ଚାଷୀଙ୍କ ମିଛ ହସ୍ତାକ୍ଷର ଋଣ ନେଇ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇଛି। ଏଥିସହିତ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ନେଇ ରିପୋର୍ଟ ଦାଖଲ କରିଛନ୍ତି ସମ୍ବଲପୁର ସମବାୟ ସମିତି ସହକାରୀ ରେଜିଷ୍ଟାର। ଚାଷୀ ଦୁର୍ଗା ନାଥଙ୍କ ଅଭିଯୋଗ ଆଧାରରେ ତଦନ୍ତ ପରେ ଏହି ରିପୋର୍ଟ ଦାଖଲ ହୋଇଛି। ଏଥିରେ କୁହାଯାଇଛି, ସମବାୟ ସମିତି ବିରୋଧରେ ୧୦ଟି ଅଭିଯୋଗ କରାଯାଇ ଥିଲା। ଏଥିରେ କୁହାଯାଇଛି, ମିଛ ହସ୍ତାକ୍ଷର କରାଯାଇ ଅନେକ ଚାଷୀଙ୍କ ନାଁରେ ଋଣ କରାଯାଇଛି। ଏ ନେଇ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ସମବାୟ ସମିତି ଡିଇଓ ରିଗନ ପଟନାୟକ ଚାଷୀମାନଙ୍କୁ ଅଭିଯୋଗ ପ୍ରତ୍ୟାହାର ପାଇଁ ଚାପ ସୃଷ୍ଟି କରିଥିଲେ। ତଦନ୍ତ ବେଳକୁ ଏହି ଅଭିଯୋଗ ପ୍ରମାଣିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଋଣ ସମ୍ପର୍କୀତ ରେକର୍ଡକୁ ଟେମ୍ପରିଂ କରାଯାଇଥିବା ଜଣାପଡ଼ିଛି। ଆବଶ୍ୟକ ଜମି ନଥାଇ ମଧ୍ୟ ୨୦୧୮ ଖରିଫ ଧାନ ସଂଗ୍ରହରେ ପଞ୍ଜୀକରଣ କରାଯାଇଛି। ରେଙ୍ଗାଲି ସମବାୟ ସମିତିରେ ଥିବା ସଭାପତିଙ୍କ ସମେତ ସମସ୍ତ ୧୧ ସଦସ୍ୟ ଡିଫଲଡର ଅଛନ୍ତି। କାହାରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ। ନୋଟିସ ଦିଆନଯାଇ ୨୦୧୮ ମସିହା ମାର୍ଚ ୧୦ ତାରିଖ ଏବଂ ୩୦ ତାରିଖ ବୈଠକକୁ ସ୍ଥଗିତ କରାଯାଇଛି। ଏପରିକି ମେ ୨୨ ତାରିଖରେ ଅଣସଦସ୍ୟଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ଯାହାକି ସମବାୟ ସମିତି ଆଇନର ଉଲ୍ଲଂଘନ ଅଟେ। ସମବାୟ ସମିତି ଡିଇଓ ରିଗନ ବାରିକ ଏବଂ ସୁରେଶ ବାଗଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଠିକ ଥିବା ତଦନ୍ତ ବେଳେ ଜଣାପଡ଼ିଛି।
ଏଥିପୂର୍ବରୁ ରେଙ୍ଗାଲି ସମବାୟ ସମିତି ଦୁର୍ନୀତି ହୋଇଥିବା ନେଇ ଏଡିଏମ ରିପୋର୍ଟ ଦେଇଥିଲେ। ଏହାର ଆଧାରରେ ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳ ସୁପାରିସ କରିଥିଲେ। ଅନ୍ୟଦିଗରେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସୁଖଦେବ ବିଶ୍ବାଳ ଏବଂ ରମେଶ ରାହାଣାଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର