ମୋତେ ମୃତ୍ୟୁ ଦିଅ..:ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଘଟଣାକ୍ରମ

0 168

ସମ୍ବଲପୁର: ସମ୍ବଲପୁରର ରିକ୍‌ସା ଚାଳକ ହାଡ଼ୁ ପଟ୍ଟନାୟକଙ୍କୁ ଇଚ୍ଛା ମୃତ୍ୟୁ ଦେବା ପାଇଁ ତାଙ୍କ ପତ୍ନୀ ଭାମା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ପୁଣିଥରେ ଇଚ୍ଛା ମୃତ୍ୟୁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଗତ ମାସ ସୁପ୍ରିମ୍‌ କୋର୍ଟ ଦେଇଥିବା ଐତିହାସିକ ରାୟ ମୃତ୍ୟୁର ଅଧିକାର ପାଇଁ ସଂଘର୍ଷ କରୁଥିବା ଲୋକଙ୍କୁ ଆଶ୍ୱସ୍ତ କରିଥିଲା। ଭାରତରେ ଇଚ୍ଛାମୃତ୍ୟୁର ଅଧିକାରକୁ ସମ୍ମାନ ଦେବା ପାଇଁ ଚାଲିଥିବା ଲଢ଼େଇ ୨୦୦୫ ମସିହାରେ ପ୍ରଭାବଶାଳୀ ଢଙ୍ଗରେ ସାମ୍ନାକୁ ଆସିଥିଲା। ଏ ବାବଦରେ ଦୀର୍ଘ ବର୍ଷ ନ୍ୟାୟିକ କସରତ ପରେ ଗତ ମାସ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ଇଚ୍ଛାମୃତ୍ୟୁକୁ ମଂଜୁରି ଦେଇଛନ୍ତି।
୧୧ ମେ, ୨୦୦୫: ସୁପ୍ରିମ୍‌ କୋର୍ଟ ଦୁଃସାଧ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛାମୃତ୍ୟୁ ଦେବାପାଇଁ ଅନୁମତି ଦେବାକୁ ବେସରକାରୀ ସଂଗଠନ କମନ୍‌ କଜ୍‌ର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ। ସମ୍ମାନର ସହିତ ମୃତ୍ୟୁର ଅଧିକାରକୁ ସମ୍ବିଧାନର ଧାରା ୨୧ ଅଧୀନରେ ମୌଳିକ ଅଧିକାର ଭାବେ ଘୋଷଣା କରିବା ପାଇଁ ଅନୁରୋଧ ଉପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଜବାବ ମାଗିଥିଲେ। ଏହାପରେ କେନ୍ଦ୍ର ସରକାର ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିବା ସହ ବିଶ୍ୱ ଦୃଶ୍ୟପଟ୍ଟରେ ଏ ବାବଦ ସ୍ଥିତି ଅନୁଧ୍ୟାନ କରିଥିଲେ।
୧୬ ଜାନୁଆରି, ୨୦୦୬: ନ୍ୟାୟାଳୟ ଏହି ପ୍ରସଙ୍ଗରେ ଦିଲ୍ଲୀ ଚିକିତ୍ସା ପରିଷଦ (ଡିଏମ୍‌୍‌୍‌ସି)କୁ ହସ୍ତକ୍ଷେପ କରିବା ପାଇଁ ଅନୁମତି ଦେଇଥିଲେ ଏବଂ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛା ମୃତ୍ୟୁ ଉପରେ ବିଲ୍‌ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
୨୮ ଏପ୍ରିଲ, ୨୦୦୬: ଆଇନ କମିସନ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛାମୃତ୍ୟୁ ବାବଦରେ ଏକ ବିଲ୍‌ ପ୍ରସ୍ତୁତ କରିବାକୁ ପରମର୍ଶ ଦେଇଥିଲେ ।
୩୧ ଜାନୁଆରି, ୨୦୦୭: ଇଚ୍ଛାମୃତ୍ୟୁ ମାମଲାରେ ସମସ୍ତ ପକ୍ଷଙ୍କୁ ଦସ୍ତାବିଜ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୭, ମାର୍ଚ୍ଚ ୨୦୧୧: ୪୨ ବର୍ଷ ଧରି ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନର୍ସ ଅରୁଣା ସାନବାଗଙ୍କ ପକ୍ଷରୁ ଦାଏର ହୋଇଥିବା ଅନ୍ୟ ଆବେଦନ ଉପରେ କୋର୍ଟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ। ନଭେମ୍ବର ୨୭, ୧୯୭୩ରେ କେଇଏମ୍‌ ହସ୍ପିଟାଲରେ ଅରୁଣାଙ୍କୁ ଦୁଷ୍କର୍ମ ହୋଇଥିଲା ଏବଂ ଚିକିତ୍ସା ବେଳେ ସେ କୋମାକୁ ଚାଲିଯାଇଥିଲେ। ୨୦୧୫, ମେ ୧୫ ତାରିଖରେ ଅରୁଣାଙ୍କ ମୃତ୍ୟୁ ଘଟିଥିଲା।
୨୩ ଜାନୁଆରି, ୨୦୧୪: ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ।
୧୧ ଫେବ୍ରୁଆରି ୨୦୧୪: ଡିଏମ୍‌୍‌ସି ଭାରତରେ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛା ମୃତ୍ୟୁ ଉପରେ ନୀତିଗତ ବୟାନ ସଂପର୍କିତ ଚିଠା ପ୍ରସ୍ତୁତ କରିବା ସହ ଏ ବାବଦରେ ଅନ୍ତର୍ଜାତୀୟ କର୍ମଶାଳାରେ ନିଆଯାଇଥିବା ପ୍ରସ୍ତାବ ଓ ଦଲିଲ ନ୍ୟାୟାଳୟକୁ ପ୍ରଦାନ କରିଥିଲେ।
୨୫ ଫେବ୍ରୁଆରି, ୨୦୧୪: ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠକୁ ମାମଲା ଶୁଣାଣି ପାଇଁ ଯାଇଥିଲା
୧୫ ଜୁଲାଇ, ୨୦୧୪: ସୁପ୍ରିମ୍‌ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରିଥିଲେ। ଏ ବାବଦରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ନୋଟିସ୍‌ ଜାରି କରି ଏ ବାବଦ ଦଲିଲ ଉପସ୍ଥାପନ କରିବାକୁ କହିଥିଲେ।
୧୧ ଅକ୍ଟୋବର, ୨୦୧୭: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏ ବାବଦ ସମସ୍ତ ଦଲିଲ ଶୁଣିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ।
୯ ମାର୍ଚ୍ଚ, ୨୦୧୭: ନିଷ୍କ୍ରିୟ ଅବସ୍ଥାରେ ଇଛା ମୃତ୍ୟୁକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି ପ୍ରଦାନ ।
ଦଲିଲ୍‌ରେ କ’ଣ ରହିବ
କେଉଁ ପରିସ୍ଥିତିରେ ଡାକ୍ତରୀ ଚିକିତ୍ସା ବନ୍ଦ କରିବାକୁ ବା ହଟାଇନେବାକୁ ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ସଂପୃକ୍ତ ରୋଗୀ ଦଲିଲ୍‌ରେ ଉଲ୍ଲେଖ କରିବେ। ଯଦି କିଛି ସର୍ତ୍ତ ବା ନିର୍ଦ୍ଦିଷ୍ଟ ଅନୁଦେଶ ରହିଥାଏ, ତାହା ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯିବା ଜରୁରୀ। ଏଥି ସହିତ ଏହାକୁ କାର୍ଯ୍ୟାନ୍ଵୟନ କରିବାକୁ ଥିବା ବ୍ୟକ୍ତି ମଧ୍ୟ ଯେ କୌଣସି ସମୟରେ ସଂପୃକ୍ତ ଅନୁଦେଶକୁ ହଟାଇନେଇପାରିବେ ବୋଲି ଏକ ଧାରା ଉକ୍ତ ଦଲିଲ୍‌ରେ ରହିବା ବାଞ୍ଛନୀୟ। ଏହା କାର୍ଯ୍ୟକାରୀ କରିବାର ପରିଣାମ ବିଷୟରେ ରୋଗୀଟି ଅବଗତ ଅଛି ବୋଲି ସେଥିରେ ଦର୍ଶାଯିବ। ତେବେ ରୋଗୀଟି ଏ ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଅସମର୍ଥ ଥିଲେ ଜଣେ ଅଭିଭାବକ ବା ସମ୍ପର୍କୀୟଙ୍କ ନାମ ସେଥିରେ ଉଲ୍ଲେଖ ରହିବ ଯିଏ କି ଏହା କାର୍ଯ୍ୟକାରୀ କରିବା ପାଇଁ କ୍ଷମତାପ୍ରାପ୍ତ ରହିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 × three =