ଠେଲା ଗାଡ଼ିକୁ ଏସଏମସିର ନାଲି ଆଖି, ବଡ଼ବଡ଼ିଆଙ୍କୁ ଛାଡ଼:କେବେ ହେବ ହୋଟେଲରେ ଯାଞ୍ଚ?

ସମ୍ବଲପୁର: ଲେଉଟିଛି ଜଣ୍ଡିସ। ବିଶାକ୍ତ ଖାଦ୍ୟ ରୋକିବା ନେଇ ଠେଲା ମାଲିକକୁ ଏସଏମସିର ନାଲି ଆଖି ପଡ଼ିଛି। ମାତ୍ର ହୋଟେଲ ଏବଂ ରେସ୍ତୋରାଣ୍ଟ ପ୍ରତି କାହାରି ନଜର ନାହିଁ। ଠେଲାରୁ ଲୋକେ କେବଳ ଜଳଖିଆ ଖାଉଥିବାବେଳେ ଏକ ବଡ଼ ସଂଖ୍ୟାରେ ଲୋକେ ପ୍ରତିଦିନ ଦ୍ୱିପହର ଏବଂ ରାତ୍ରିକାଳୀନ ଖାଦ୍ୟ ହୋଟେଲମାନଙ୍କ ଠାରୁ ଖାଇ ଥାଆନ୍ତି। ହୋଟେଲରେ ପରିଚ୍ଛନ୍ନତା ଏବଂ ବିଶୁଦ୍ଧ ପାଣି ବ୍ୟବସ୍ଥା କିଭଳି ଏହା ସମସ୍ତଙ୍କୁ ଜଣାଥିବାବେଳେ ଏସଏମସିର ଖାଦ୍ୟ ସୁରକ୍ଷା ଟିମ କାହିଁକି ନଜର ଦେଉ ନାହିଁ ଏ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଅନୁମାନ ଅନୁସାରେ ସହରରେ ପ୍ରାୟ ୨୦୦୦ ହୋଟେଲ ଏବଂ ୪୦୦ ଠେଲାଗାଡ଼ି ରହିଛି। ଖାଦ୍ୟ ସୁରକ୍ଷା ଷ୍ଟାଣ୍ଡାର୍ଡ ଆକ୍ଟ ଅନୁସାରେ, କେତୋଟି ହୋଟେଲଙ୍କ ପାଖରେ ଲାଇସେନ୍ସ ରହିଛି ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏପରିକି ଏସଏମସିର ଏନଫୋର୍ସମେଣ୍ଟ ସେଲର ଏଥିପ୍ରତି ଦୃଷ୍ଟି ନାହିଁ। ୨୦୧୪ ମସିହା ପରେ ବର୍ତ୍ତମାନ ସହରରେ ପୁନର୍ବାର ଜଣ୍ଡିସ ଦେଖାଯାଇଛି। ଏହାପରେ ଏସଏମସି ଖାଦ୍ୟ ଯାଞ୍ଚ ବିଭାଗ ପକ୍ଷରୁ ବିଭିନ୍ନ ଠେଲା ଯାଞ୍ଚ କରାଯାଇଛି।

କିଛି ଦିନ ହେଲା ଖାଦ୍ୟ ନଷ୍ଟ ହେଉଛି। ଅନ୍ୟଦିଗରେ ହୋଟେଲଗୁଡ଼ିକରେ ସତେଜ ଖାଦ୍ୟ ଦିଆଯିବା, ସ୍ୱଚ୍ଛ ଏବଂ ବିଷମୁକ୍ତ ଖାଦ୍ୟ ପ୍ରଦାନ ପାଇଁ ହେଣ୍ଡଗ୍ଲୋବ ବ୍ୟବହାର, ଅପର ପାର୍ଶ୍ୱ ଦେଖାଯାଉଥିବା ଜରିରେ ଖାଦ୍ୟ ଘୋଡ଼ାଇବା, ଡିସପୋଜାଲ ପ୍ଲେଟରେ ଖାଦ୍ୟ ଦିଆଯିବା, ପ୍ଲାଷ୍ଟିକ ବଦଳରେ ଷ୍ଟିଲରେ ପାଣି ଦିଆଯିବା, ଡଷ୍ଟବିନ ବ୍ୟବହାର ଆଦି ନିୟମ ରହିଛି। ମାତ୍ର ସହରର ଅଧିକାଂଶ ହୋଟେଲରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଗ୍ଲୋବ ମଧ୍ୟ ଅଧିକାଂଶ କର୍ମଚାରୀ ବ୍ୟବହାର କରୁ ନାହାନ୍ତି। ୨୦୧୪ ମସିହା ଜଣ୍ଡିସବେଳେ ବିଭିନ୍ନ ହୋଟେଲ ଚଢାଉ ବେଳେ ୨-୩ ଦିନ ପୁରୁଣା ମାଛ ପରସାଯାଉଥିବା ନଜରକୁ ଆସିଥିଲା। ଏଥିସହିତ ଅପରିଚ୍ଛନ୍ନ ଭାବରେ ଖାଦ୍ୟ ରନ୍ଧା, ବାସି ଖାଦ୍ୟ ଦେବା ଏବଂ ଉପଯୁକ୍ତ ନାଳି ବ୍ୟବସ୍ଥା ନରହିବା ଅନେକ ହୋଟେଲରେ ସାଧାରଣ ଘଟଣା। ବାସନ ମଜା ଯିବା ପରେ ବାସନ ସମ୍ପୂର୍ଣ୍ଣ ଶୁଖିଯିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ ନାହିଁ। ବାସନରେ ମଇଳା ପାଣି ମଧ୍ୟ ଜଣ୍ଡିସର ଆଶଙ୍କା ରହିଛି। ଏଥିପ୍ରତି ଏସଏମସି ଦୃଷ୍ଟି ଦେଲେ ଜଣ୍ଡିସ ଅସଲ ଉତ୍ସକୁ ପହଞ୍ଚି ପାରିବ। ସ୍ଥାନୀୟ ଜଣେ ରେସ୍ତୋରାଂ ମାଲିକଙ୍କ ଅନୁସାରେ, ଏସଏମସି ପକ୍ଷରୁ କେବଳ ଦଶହରା ଏବଂ ଶୀତଳ ଷଷ୍ଠୀ ସମୟରେ ଖାଦ୍ୟ ଯାଞ୍ଚ ହୁଏ। ଅନ୍ୟ ସମୟରେ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ।

ସମ୍ବନ୍ଧିତ ଖବର