ସମ୍ବଲପୁରରେ ଷ୍ଟ୍ରିଟ୍‌ ଲାଇଟ୍‌ କାର୍ଯ୍ୟକ୍ରମ ସ୍ଥିତି ଏମିତି : ଆରମ୍ଭରୁ ଅଚଳ, ଗାଁ ଅନ୍ଧାର

ଅନେକ ବ୍ଲକରେ ଟଙ୍କାଟିଏ ବି ଖର୍ଚ ହୋଇନି

ସମ୍ବଲପୁର: ଗାଁକୁ ଆଲୋକିତ କରିବା ନିମନ୍ତେ ରାଜ୍ୟ ସରକାର ଷ୍ଟ୍ରିଟ ଲାଇଟ୍‌ ଲଗାଇବାକୁ ପଞ୍ଚାୟତିରାଜ ବିଭାଗକୁ ବ୍ୟାପକ ଅର୍ଥ ଯୋଗାଇ ଦେଇଛନ୍ତି। କେଉଁଠି ଖର୍ଚ ହୋଇଛି, ଆଉ କେଉଁଠି ଟଙ୍କାଟିଏ ବି ଖର୍ଚ ହୋଇ ନାହିଁ। ଗତ ୪ ବର୍ଷ ଧରି ଅର୍ଥ ଖର୍ଚ ନହୋଇ ପଡ଼ି ରହିଛି। କୁଚିଣ୍ଡା ବ୍ଲକରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିବା ଗାଁଗୁଡ଼ିକ ମଧ୍ୟରୁ ଅନେକ ଜାଗାରେ ଆଦୌ ଜଳୁ ନାହିଁ। ଆଉ ସଂପୃକ୍ତ କଂପାନି ଛୁଆଁଧରା ଦେଉ ନାହିଁ।

ଚତୁର୍ଦଶ ଅର୍ଥ କମିସନ ଓ ଚତୁର୍ଥ ଅର୍ଥ କମିସନଙ୍କ ଅନୁଦାନରେ ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ସରକାର ଅର୍ଥ ଯୋଗାଇ ଦେଇଥିଲେ। ଷ୍ଟ୍ରିଟ୍‌ ଲାଇଟ୍‌ କିଣାଯିବା ପାଇଁ ଗାଇଡଲାଇନ ବି ଦିଆଯାଇଥିଲା। ମାତ୍ର ଗାଇଡ୍‌ ଲାଇନ ଉଲ୍ଲଂଘନ କରି କୁଚିଣ୍ଡା ବ୍ଲକ ଅଂଚଳରେ ଅନେକ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ କିଣାଯାଇଥିଲା। ନିମ୍ନମାନର ଷ୍ଟ୍ରିଟ ଲାଇଟ ହୋଇଥିବା ଯୋଗୁଁ  କୁଚିଣ୍ଡା ବ୍ଲକର ୬ଟି ପଞ୍ଚାୟତରେ ଗୋଟିଏ ବି ଷ୍ଟ୍ରିଟ ଲାଇଟ୍‌ ଜଳୁନଥିବା ଅଭିଯୋଗ ହୋଇଛି। କୁଚିଣ୍ଡା ବ୍ଲକ୍‌ରେ ଏବେ ସୁଦ୍ଧା ବିଭିନ୍ନ ଗାଁରେ ୯୮ଟି ଷ୍ଟ୍ରିଟଲାଇଟ ଲଗାଯାଇଛି। ସେଥିରୁ ୨୮ ଟି ଖରାପ ହୋଇଗଲାଣି। କୁସୁମୀଠାରେ ଲଗାଯାଇଥିବା ୨୨ଟି ଲାଇଟରୁ ୧୭ଟି ଖରାପ ପଡ଼ିଛି। କିଛି ପଞ୍ଚାୟତରେ ଗୋଟିଏ ମଧ୍ୟ ଲାଇଟ ଲାଗି ନାହିଁ। ତେବେ ବ୍ଲକ ଅଂଚଳରେ କେତେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି, ସେ ନେଇ କୌଣସି ତଥ୍ୟ ନଥିବା କୁଚିଣ୍ଡା ବିଡିଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ସଂପୃକ୍ତ କଂପାନି ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଷ୍ଟ୍ରିଟ ଲାଇଟ୍‌ ଲଗାଇଥିବାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସଂପୂର୍ଣ୍ଣ ଖବର ନଥିବା ସେମାନେ ସଫେଇ ଦେଇଛନ୍ତି। ବି଼ିଡିଓ କହିଛନ୍ତି, ପଞ୍ଚାୟତ ସମିତି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେବା ପରେ ମରାମତି ପାଇଁ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇଥିବା ବରଗଡ଼ର ମାରୁତି ଇଲେକ୍ଟ୍ରିକାଲ କଂପାନି ସହିତ ଯୋଗାଯୋଗ କରାଯାଉଛି। ହେଲେ ସଂପୃକ୍ତ କଂପାନିର ଅଧିକାରୀମାନେ ଏବେ ଟେଲିଫୋନ କଲ୍‌ ମଧ୍ୟ ରିସିଭ୍‌ କରୁ ନାହାନ୍ତି। ବାଙ୍କେ, ବକ୍ସମା, କୁଲେଇଗଡ଼, ଗୋଛରା, ପାରୁଆଭାଡି, ସାଲେଭାଡ଼ି ପଞ୍ଚାୟତରେ ଗୋଟିଏ ବି ଷ୍ଟ୍ରିଟ ଲାଇଟ୍‌ ଲାଗି ନାହିଁ ।

ବାମରା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ କୌଣସି ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗି ନଥିବା ଜିପିଇଓ ଲକ୍ଷ୍ମୀ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି। ଯେଉଁ ସ୍ଥାନରେ ବି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି, ତାହା ସାଂସଦ ପାଣ୍ଠିରୁ ଲଗାଯାଇଛି। ଷ୍ଟ୍ରିଟ ଲାଇଟ୍‌ ପାଇଁ ୨୦୧୫-୧୬ ବର୍ଷ ପାଇଁ ଆସିଥିବା ୭,୦୧,୭୨୬ ଟଙ୍କା ଏବଂ ୨୦୧୬-୧୭ ବର୍ଷର ୧,୦୬୧୪୦ ଟଙ୍କା ଖର୍ଚ ହୋଇପାରି ନଥିବା କୁହାଯାଇଛି।

ରେଢ଼ାଖୋଲ ବ୍ଲକ ୧୪ଟି ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ପାଇଁ ଅର୍ଥ କମିସନ ପକ୍ଷରୁ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ୧୪ ଲକ୍ଷ ୪୨ ହଜାର ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଛି। ସେହିପରି ୨୦୧୮ ମସିହାରେ ପଞ୍ଚାୟତ ପିଛା ୫୮ ହଜାର ହିସାବରେ ୮ ଲକ୍ଷ ୧୨ ହଜାର ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଛି। ହେଲେ ଏପର୍ଯ୍ୟନ୍ତ ଏଥିରୁ ଟଙ୍କାଟିଏ ବି ଖର୍ଚ ହୋଇ ନାହିଁ। ଚଳିତ ମାସ ଠିକାଦାର ନିଯୁକ୍ତି ଦିଆଯିବ, ଷ୍ଟ୍ରିଟଲାଇଟ୍‌ ଲଗାଯିବାର ଯୋଜନା ରହିଛି ବୋଲି ରେଢ଼ାଖୋଲ ଜିପିଇଓ ପ୍ରକାଶ କରିଛନ୍ତି।

ଧନକଉଡ଼ା ବ୍ଲକରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ୧୪ତମ ଅର୍ଥ କମିସନ ୨୦୧୫-୧୬ରେ ୯ଟି ଗ୍ରାମ ପଞ୍ଚାୟତର ବିଜୁଳି ଓ ସଡ଼କ ପାଇଁ ୨୬ ଲକ୍ଷ ୮୦ ହଜାର ଟଙ୍କା, ୨୦୧୬-୧୭ ପାଇଁ ୨୯ ଲକ୍ଷ ଟଙ୍କା ଅନୁଦାନ ମିଳିିଛି। ସେହିପରି କଳାମାଟି, କର୍ଡୋଲା, ବସନ୍ତପୁର ଓ ଡାଲବ ପାଇଁ ୩ଲକ୍ଷ ୫୦ହଜାର, ଗୁଣ୍ଡେରପୁର ପାଇଁ ୧ଲକ୍ଷ ୮୦ହଜାର ଓ ବାକି ୪ଟି ଗ୍ରାମ ପଞ୍ଚାୟତ ପାଇଁ ୨ଲକ୍ଷ ୭୫ ହଜାର ଟଙ୍କା ଅନୁଦାନ ଦିଆଯାଇଛି। କିନ୍ତୁ ଗ୍ରାମ ପଞ୍ଚାୟତ ଏହାର ସୁବିନିଯୋଗ କରିପାରି ନାହିଁ। ନିକଟରେ ସରକାର ଏହି ଅର୍ଥ ଖର୍ଚ ଉପରେ କଟକଣା ଲଗାଇଥିବାରୁ ତାହା ଖର୍ଚ କରାଯାଇପାରୁ ନାହିଁ ବୋଲି ଧନକଉଡ଼ା ବିଡିଓ କହିଛନ୍ତି।

ରେଂଗାଲି ବ୍ଲକରେ ଝାଙ୍କରପାଲି ପଞ୍ଚାୟତରେ ଝାଙ୍କରପାଲିରେ ୨୮ଟି ଓ କୁସୁମଡିହିରେ ୧୨ଟି, ଲଇଡ଼ାରେ ୨୨ଟି, ଖୁଣ୍ଟଲାମାଲରେ ୧୬ଖଟି, ଟାମ୍ପରକେଲାରେ ୧୨ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି। ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ନିମ୍ନମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାର ସହର ଭଳି ଗ୍ରାମାଂଚଳର ଲୋକଙ୍କ ପାଇଁ ରାତିରେ ଆଲୋକ ବ୍ୟବସ୍ଥା କରିଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଓ ଆତ୍ମରିକତାର ଅଭାବ ଯୋଗୁଁ ଏହି ମହାତ୍ୱାକାଂକ୍ଷୀ ଯୋଜନା ଫେଲ୍‌ ମାରିଛି।

ସମ୍ବନ୍ଧିତ ଖବର