ଫେସ୍‌ବୁକ୍‌ ପୋଷ୍ଟ୍‌କୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଗିରଫ

ସମ୍ବଲପୁର: ଧନକଉଡ଼ା ବ୍ଲକ ଗୁରୁପାଲି ଗ୍ରାମରେ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଶାସନ ପୁଲିସ୍‌ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ‌ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗୌତମ ରନବିଡ଼ା, କପିଲାଲ ରନବିଡ଼ା ଓ ଧରଣୀଧର ଭରାସାଗର। ମିଳିଥିବା ସୂଚନା ମୁତାବକ, ଶାସନ କେନାଲରୁ ଗୁରୁପାଲି ଗ୍ରାମକୁ ପାଣି ଯୋଗାଯୋଗ ବନ୍ଦ ହୋଇଯିବା ପରେ ଗ୍ରାମବାସୀ ନୃସିଂହଗୁରୁ ପାଣି ପଞ୍ଚାୟତ ସଭାପତି ଗୌତମ ରନବିଡାଙ୍କୁ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ଲୋକେ ଏନେଇ ଫେସ୍‌ବୁକରେ ସମସ୍ୟାକୁ ପୋଷ୍ଟ କରି ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଏହି ପୋଷ୍ଟକୁ ନେଇ ଗୌତମ ଓ ଅନ୍ୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଗତ ୩ ତାରିଖ ଦିନ ଗଆମର ଲକ୍ଷ୍ମଣ ବାଗ ଓ ଅନ୍ୟ କିଛି ଲୋକ ବାଟରେ ଆସୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଗୌତମ ପ୍ରଥମେ ସେମାନଙ୍କ ସହ ଝଗଡ଼ା କରିଥିଲେ। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ସଂଘର୍ଷର ରୂପ ନେଇଥିଲା। ଏନେଇ ଲକ୍ଷ୍ମଣ ବାଗ ଶାସନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଗୌତମଙ୍କୁ ଥାନାକୁ ଡକାଇଥିଲା। କିନ୍ତୁ ଥାନାରେ ମଧ୍ୟ ଗୌତମ ମଦ ପିଇ ଲୋକଙ୍କୁ ଧମକ ଚମକ ଦେଇଥିଲେ। ପରେ ଉକ୍ତ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର