ଏନ୍‌ସିସି ନଗର ପାଇଁ ବାଟ ଫିଟିଲା:୧୬ ଟଙ୍କାରେ ୧୬ ଏକର ଜମି ଦେବେ ସରକାର

ସମ୍ବଲପୁର: ବହୁ ପ୍ରତୀକ୍ଷିତ ଏନ୍‌ସିସି ନଗର ପାଇଁ ବାଟ ଫିଟିଛି। ବୁର୍ଲାରେ ଏନ୍‌ସିସି ନଗର ସ୍ଥାପନ ପାଇଁ ରାଜ୍ୟ ସରକାର ଏକର ପ୍ରତି ଏକ ଟଙ୍କା ଦରରେ ୧୬.୩୪୦ ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରତିରକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ଗ୍ରୁପ୍‌ ମୁଖ୍ୟାଳୟ ଅଧୀନରେ ଏନ୍‌ସିସି ନଗର ସ୍ଥାପନ ପାଇଁ ବହୁ ବର୍ଷ ତଳେ ପ୍ରସ୍ତାବ ଦିଆଯାଇଥିଲା। ଏନ୍‌ସିିସି ନଗରରେ ଏନ୍‌ସିସି ୟୁନିଟ୍‌, ଅଫିସ୍‌, ଷ୍ଟାଫ୍‌ମାନଙ୍କ ରହିବା ପାଇଁ କୋଠା, ଷ୍ଟୋର, ଗ୍ୟାରେଜ, ମେସ୍‌, କ୍ୟାମ୍ପିଂ ଏରିଆ, ଫାୟାର ରେଂଜ ଓ ତାଲିମ ପଡ଼ିଆ ଆଦି ନିର୍ମାଣ କରାଯିବାର ଯୋଜନା ରହିଛି। ତେବେ ଜମି ଉପଲବ୍‌ଧ ନହେବାରୁ ଏନ୍‌ସିସି ନଗର ସ୍ଥାପନରେ ପ୍ରତିବନ୍ଧକ ସାଜିଥିଲା। ୫/୬ ବର୍ଷ ତଳେ ଜମି ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଖରେ ଏନ୍‌ସିସି ନଗର ସ୍ଥାପନ ପାଇଁ ଜମି ଚିହ୍ନଟ କରାଯାଇଥିଲା। ହେଲେ ସଂପୃକ୍ତ ଜମି ଉପର ଦେଇ ଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଏଥିରେ ପ୍ରତିବନ୍ଧକ ସାଜିଥିଲା। ଏହି ଉଚ୍ଚ କ୍ଷମତା ସଂପନ୍ନ ତାର ହଟାଇବା ସମ୍ଭବ ନହେବାରୁ ଏହି ପ୍ରକଳ୍ପ ଅଟକି ରହିଥିଲା। ଗତ ୨୦୧୩ ମସିହାରେ ସମ୍ବଲପୁର ଏନ୍‌ସିସି ଗ୍ରୁପ୍‌ ମୁଖ୍ୟାଳୟ ପକ୍ଷରୁ ବୁର୍ଲା ସହରାଂଚଳରେ ଜମି ପାଇଁ ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ବହୁ ଖୋଜାଖୋଜି ପରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯାଇଥିବା ଜମି ପାଖାପାଖି ଅଂଚଳରେ ୧୬.୩୪୦ ଏକର ଜମି ଚିହ୍ନଟ ହୋଇଛି। ତେବେ ସଦର ତହସିଲଦାର ଗତ ୪ ମାର୍ଚ ୨୦୧୫ରେ ଗ୍ରୁପ କମାଣ୍ଡର ଦାୟିତ୍ୱରେ ଥିବା କର୍ଣ୍ଣେଲଙ୍କୁ ପତ୍ର ଲେଖି ୭ କୋଟି ୫୩ ଲକ୍ଷ ୨୫୦ ଟଙ୍କା ଦାଖଲ କରିବାକୁ କହିଥିଲେ। ଏନ୍‌ସିସି ପକ୍ଷରୁ ଉକ୍ତ ଅର୍ଥରାଶି ପ୍ରତିରକ୍ଷା ବିଭାଗ ଜରିଆରେ ପଇଠ କରାଯିବ ବୋଲି ସଦର ତହସିଲଦାରଙ୍କୁ ପତ୍ର ଲେଖାଯାଇଥିଲା। ମାତ୍ର ପ୍ରତିରକ୍ଷା ବିଭାଗ ପରବର୍ତ୍ତୀ ସମୟରେ ଅର୍ଥ ଦେବାକୁ ଆନ୍ତରିକତା ଦେଖାଇନଥିଲା। ତେବେ ଏନ୍‌ସିସି ନଗର ସ୍ଥାପନ କରାଗଲେ ହୀରାକୁଦ ବନ୍ଧର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ଏ ଦିଗରେ ଆନ୍ତରିକତା ଦେଖାଇ ଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଜ ଅଧୀନରେ ଏନ୍‌ସିସି ନଗର ସ୍ଥାପନ କରାଯିବାକୁ ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତି ମୁତାବକ ପ୍ରସ୍ତାବିତ ୧୬.୩୪୦ ଏକର ଜମି ମାଗଣାରେ କିମ୍ବା ଏକର ପ୍ରତି ୧ ଟଙ୍କା ଦରରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗଠାରୁ ଜମି ନେବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଉପନିର୍ଦେଶକ ଏନ୍‌ସିସି ଉପମହାନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ବହୁ ବର୍ଷ ଧରି ଲଟକି ରହିଥିବା ଏହି ପ୍ରକଳ୍ପ କାମ ଶିଘ୍ର ଆରମ୍ଭ କରିବାକୁ ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର