ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ: ଦୁଇ ଭାଇ ଗିରଫ

ସମ୍ବଲପୁର : ଦୁର୍ଗାପାଲି ଅଂଚଳର ଦୁଷ୍କର୍ମ ପୀଡ଼ିତା ଜଣେ ବିବାହିତା ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ କ୍ଷେତରାଜପୁର ଥାନା ପୁଲିସ ଘଟଣାରେ ସଂପୃକ୍ତ ଦୁଇ ଭାଇ କିଶୋର ଉପାଧ୍ୟାୟ ଓ ଲୋକେଶ୍ୱର ଉପାଧ୍ୟାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୪ ତାରିଖ ଅପରାହ୍‌ଣ ସାଢ଼େ ୩ଟାରେ ମହିଳା ଜଣକ ଘରେ ଏକାକୀ ଥିଲେ। ତାଙ୍କ ସ୍ୱାମୀ କାମ କରିବାକୁ ଯାଇଥିବା ବେଳେ ଦୁଇ ସନ୍ତାନ ସ୍କୁଲ ଯାଇଥିଲେ। ଏହାର ସୁଯୋଗ ନେଇ ସେହିପଡ଼ାର ୨ଟି ସନ୍ତାନର ଜନକ ୪୮ବର୍ଷୀୟ କିଶୋର ଉପାଧ୍ୟାୟ ଘରକୁ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା। କିଶୋର ସେଠାରୁ ପଳାଇ ଆସିବା ପରେ ପୀଡ଼ିତା ମହିଳା ଜଣକ ପଡ଼ାଲୋକଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ତେବେ ଏହି ଖବର ପାଇ କିଶୋରର ଭାଇ ଲୋକେଶ୍ୱର ଉପାଧ୍ୟାୟ ମହିଳାଙ୍କ ଘରକୁ ଯାଇ ପାଲଟା ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲା। ଲୋକଲଜ୍ଜା ଯୋଗୁଁ ମହିଳା ଜଣକ ଘରେ ଥିବା ମୂଷାମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ସଦର ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ପୀଡ଼ିତା ୬ ତାରିଖ ରାତିରେ କ୍ଷେତରାପୁର ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର