ଯାତ୍ରୀଙ୍କୁ ଲୁଟ୍‌ ମାମଲା:ଧରାପଡ଼ିଲେ ଦୁଇ ନାବାଳକ

ସମ୍ବଲପୁର: ସୋମବାର ରାତି ୧୦ଟାରେ ବିପିସିଏଲ୍‌ କର୍ମଚାରୀ ରିପୁ ସୁଦନ ରାୟଙ୍କୁ ଲୁଟ୍‌ ମାମଲାରେ ସଂପୃକ୍ତ ଦୁଇ ଜଣ ନାବାଳକଙ୍କୁ ଧରିବାରେ କ୍ଷେତରାଜୁପର ଥାନା ପୁଲିସ ସଫଳ ହୋଇଛି। ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ସାଢ଼େ ୧୯ ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ବିହାର ସିଓ୍ଵନ ଜିଲ୍ଲା ଧରୌଲି ଥାନା ବଲମ ଗାଁ ନିବାସୀ ରିପୁ ସୋମବାର ରାତିରେ ଟ୍ରେନ୍‌ ଯୋଗେ ନିଜ ଗାଁକୁ ଯିବା ପାଇଁ ଚାଲି ଚାଲି ସମ୍ବଲପୁର ରେଳଷ୍ଟେସନ ଅଭିମୁଖେ ବାହାରି ଥିଲେ। ତାଙ୍କୁ ଦୁଇ ନାବାଳକ ସଟ୍‌କଟ୍‌ ରାସ୍ତାରେ ଯିବା ପାଇଁ କହି ଏକ ଅନ୍ଧାରୁଆ ଜାଗାକୁ ଡାକି ନେଇ ମାଡ଼ପିଟ କରିବା ସହ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ପୂର୍ବରୁ ଜଣେ ଡାକ୍ତରଙ୍କୁ ମଧ୍ୟ ଏଭଳି ଢଂଗରେ ଲୁଟ୍‌ କରାଯାଇଥିଲା। ରେଳଷ୍ଟେସନ ଅଂଚଳରେ ଏଭଳି ଅପରାଧିକ ଗତିବିଧି ଜାରି ରହିଥିବାରୁ ଅପରିଚିତ ବ୍ୟକ୍ତିଙ୍କ କଥାରେ ନପଡ଼ିବା ପାଇଁ ପୁଲିସ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର