ଭିମ୍‌ସାର୍‌ ୟୁଜର୍‍ ଫାଣ୍ଠିର ଟଙ୍କା ଚୋରି ଘଟଣା:ପୁଲିସର ସନ୍ଦେହରେ କର୍ମଚାରୀ

ବୁର୍ଲା: ବୁର୍ଲାମେଡିକାଲ୍‍ ୟୁଜର୍‍ ପାଣ୍ଠିର ଟଙ୍କା ଚୋରି ଘଟଣାରେ ବୁର୍ଲା ପୁଲିସ୍‍ ପକ୍ଷରୁ ତନଘନା ଜୋରଦାର ହୋଇଛି। ତଦନ୍ତ ପରିସରଭୁକ୍ତ ହୋଇଛନ୍ତି କିଛି କର୍ମଚାରୀ। ଘଟଣାସ୍ଥଳରେ ପୁଲିସ୍‍ ସାଇଣ୍ଟିଫିକ୍‍ ଟିମ୍‍ ପକ୍ଷରୁ ଫିଙ୍ଗରପ୍ରିଣ୍ଟ ସଂଗ୍ରହ ଓ ସନ୍ଧାନୀ କୁକୁରର ଯାଂଚ ପରେ ଏବେ ଘଟଣା ଦିନରେ ଡ୍ୟୁଟିରେ ଥିବା କିଛି କର୍ମଚାରୀଙ୍କୁ ପୁଲିସ୍‍ର ଚାଲିଛି ମାରାଥାନ ଜେରା। ପୁଲିସ୍‍ର ସନ୍ଦେହ ଘେରରେ ଥିବା ୫ଜଣ କର୍ମଚାରୀଙ୍କୁ ପୃଥକ ପୃଥକ ଭାବେ ଜେରା କରାଯାଉଥିବା ଜଣାପଡିଛି। ଘଟଣାସ୍ଥଳର ପାରିପାର୍ଶ୍ୱକସ୍ଥିତି କହୁଛି ଏହା କେବଳ ବାହ୍ୟ ଦୁର୍ବୃତଙ୍କ କାମ ନୁହେଁ। ଏଠାରେ କାର୍ଯ୍ୟରତ କିଛି କର୍ମଚାରୀ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛିବୋଲି ବୁର୍ଲାଥାନା ଅଧିକାରୀ ମାନସ ରଂଜନ ପ୍ରଧାନ କହିଛନ୍ତି।

ଗତ ସୋମବାର ରାତି ଭିମ୍‍ସାର୍‍ ୟୁଜର୍‍ ପାଣ୍ଠିର ଟଙ୍କା ଚୋରି ହୋଇଥିଲା। ୟୁଜର୍‍ ପାଣ୍ଠି ସେକ୍ସନ୍‍ର ପଛପଟ ଝରକର ଗ୍ରୀଲ ଖୋଲି ଦୁର୍ବୃତ ଭିତରକୁ ପଶିଥିଲେ। ସେଠାରେ ଥିବା ଲୁହା ଆମଲିରାର ତାଲା ଭାଙ୍ଗି ପ୍ରାୟ ୮୦ ହଜାରରୁ ଅଧିକ ଟଙ୍କା ଚୋରି କରି ଫେରାର୍‍ ହୋଇଯାଇଥିଲେ। ଏହି ଟଙ୍କା ରୋଗୀଙ୍କ ଚିକିତ୍ସାଗତ ପରୀକ୍ଷା ଫିଜ୍‍ ବାବଦକୁ ସଂଗ୍ରହ ହୋଇଥାଏ। ମଙ୍ଗଳବାର ଘଟଣାଟି ଜଣାପଡିବା ପରେ ଭିମ୍‍ସାର୍‍ ଅଧିକ୍ଷକ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ୍‍ର ପ୍ରଥମିକ ତଦନ୍ତ ଅନୁସାରେ ଗତ ଶୁକ୍ରବାର ଅପରାହ୍ନ ଓ ଶନିବାର ଦିନ ତମାମ ସଂଗ୍ରହ ହୋଇଥିବା ୟୂଜର୍‍ ଫିଜ୍‍ ଉକ୍ତ ଆଲମିରାରେ ରହିଥିଲା। ସେଥିରୁ ଖୁଚୁରା ପଇସା ୨୮୯୫(କେବଳ କଏନ ଓ କିଛି ପୁରୁଣା ନୋଟ)କୁ ବାଦ ଦେଇ ସବୁ ଟଙ୍କା ଚୋରି ହୋଇଛି। ତେବେ ମୋଟ ୯୭ ହଜାର ୩୩୨ ଟଙ୍କା ଉକ୍ତ ଆଲମିରା ଥିବା ୟୁଜର୍‍ ସେକ୍ସନ୍‍ ପକ୍ଷରୁ ପୁଲିସ୍‍କୁ ସୂଚନା ଦିଆଯାଇଛି। ଆମେ ଶୁକ୍ରବାର ଓ ଶନିବାର ଦିନର ମୋଟ ସଂଗ୍ରହ ଉପରେ ତଥ୍ୟ ମାଗାଯାଇଛି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର