ଗୋଇଠା ମାଡ଼ରେ ମହିଳାଙ୍କ ଗର୍ଭ ନଷ୍ଟ!: ଅସହାୟ ଦମ୍ପତି, ବୁର୍ଲା ମେଡିକାଲରେ ପ୍ରସୂତି

ବୁର୍ଲା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁ ରେ ଏକ ଗରିବ ଦମ୍ପତିଙ୍କୁ ୪ ଜଣ ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିବାବେଳେ ସେମାନଙ୍କ ଗୋଇଠା ମାଡ଼ରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ, ଘଟଣା ନେଇ ଏହି ଦମ୍ପତି ଡୁଙ୍ଗୁରିପାଲି ଥାନାରେ ଜଣାଇଥିଲେ ତାଙ୍କ ଏତଲା ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ଏହାପରେ ଏହି ଘଟଣା ସଂପର୍କରେ ସେମାନେ ପୁଣି ଥରେ ବୁର୍ଲା ମେଡିକାଲରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗାଁ ମୁଣ୍ଡରେ ଶିବ ଭୁଏଙ୍କ ଭାଇର ଦୋକାନ କୁଡ଼ିଆ ଥିଲା। ମାତ୍ର ସେ ଏବେ ଦାଦନ ଖଟିବାକୁ ଯାଇଥିବାରୁ ଉକ୍ତ କୁଡିଆଟି ଖାଲି ରହିଛି। କୁଡ଼ିଆକୁ ଜଗିବା ପାଇଁ ସେ ରାତିରେ ସେଠାରେ ଶୋଇବାକୁ ଯାଆନ୍ତି। ଗତ ଗୁରୁବାର ରାତିରେ ଶିବ କୁଡ଼ିଆକୁ ଯାଇଥିଲେ। ସେଠାରେ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ମାନେ ମଦ ପିଉଥିବାରୁ ପାଟିତୁଣ୍ଡ ହୋଇଥିଲା। ସେମାନେ ୪ ଜଣ ପଡ଼ିଶା ବାଡ଼ବାହାଲି ଗାଁର ଗଙ୍ଗା ପାତ୍ର, କିଶୋର ମନହେନା, ରମେଶ ମନହେନା, ଦୀପକ ଭୁକ୍ତା ଶିବଙ୍କୁ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ।

ଶିବ ସେମାନଙ୍କ କବଳରୁ ଦୌଡ଼ି ଦୌଡ଼ି ଘରକୁ ଯିବାରୁ ତାଙ୍କ ପଛରେ ଉକ୍ତ ୪ ଘରକୁ ପହଞ୍ଚି ପୁଣି ମାଡ଼ ମାରିଥିଲେ। ଘରେ ଥିବା ତାଙ୍କ ସ୍ତ୍ରୀ ସୁବାସିନୀ ଭୁଏ (୨୨)ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଗୋଇଠା, ଲାତ ବିଧା ମାଡ଼ ମାରି ଚାଲିଯାଇଥିଲେ। ସୁବାସିନୀ ୩ ମାସର ଗର୍ଭଧାରଣ କରିଥିବା ବେଳେ ଦୁର୍ବୃତ୍ତଙ୍କ ମାଡ଼ରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବରଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ରବିବାର ବୁର୍ଲା ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ବୃତ୍ତଙ୍କ ମାଡ଼ରେ ଗଭୀର ଅଘାତ ହେବାରୁ ସୁବାସିନୀଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା।

ବୁର୍ଲା ମେଡିକାଲରେ ସ୍ତ୍ରୀ ରୋଗ ଓ ପ୍ରସୂତି ଚିକିତ୍ସା ବିଭାଗରେ ତାଙ୍କ ଗର୍ଭପାତ କରାଯାଇଛି। ଏନେଇ ଶିବ ମେଡ଼ିକାଲ ଫାଣ୍ଡି ପୁଲିସ୍‍ ଠାରେ ପୁଣି ଥରେ ଅଭିଯୋଗ କରିଛନ୍ତି। ଏସଂପର୍କରେ ଡୁଙ୍ଗୁରିପାଲି ଥାନାଧିକାରୀ ଅମରେନ୍ଦ୍ର ଷାଣ୍ଢଙ୍କୁ ପଚରାଯିବାରୁ ଉକ୍ତ ଘଟଣା ସଂପର୍କରେ ଡୁଙ୍ଗୁରିପାଲି ଡାକ୍ତରଖାନାରୁ ସେ ଏକ ଏମ୍‍ଏଲ୍‍ସି ପାଇଛନ୍ତି। ବୁର୍ଲା ପୁଲିସ୍‍ ଫାଣ୍ଡିରୁ ମଧ୍ୟ ତାଙ୍କୁ ଅବଗତ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅଭିଯୋଗକାରୀଙ୍କ ପରିବାର ଏଠାରେ ନଥିବାରୁ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପୁଲିସ୍‍ ଏତଲା ନରଖିବା ନେଇ ସେ ଯେଉଁ ଅଭିଯୋଗ କରିଛନ୍ତି ତାହା ପ୍ରମାଣିତ ହେଲେ ସଂପୃକ୍ତ ପୁଲିସ୍‍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହାଛଡ଼ା ଶିବ ଭୁଏଙ୍କ ନାଁରେ ଏକ ପାଲଟା ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଥିବା ମଧ୍ୟ ଶ୍ରୀ ଷଣ୍ଢଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର