ମହିଳା ଚାଲାଣ, ଦମ୍ପତି ଗିରଫ

ସମ୍ବଲପୁର: ଢେଙ୍କାନାଳ ଜିଲ୍ଲାରୁ ମୁମ୍ବାଇକୁ ମହିଳା ଚାଲାଣ ମାମଲାରେ ଜିଆର୍‌ପି ଥାନା ପୁଲିସ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଅ ଗାଁ ନିବାସୀ ଗୌରାଂଗ ସାହୁ(୩୨) ଓ ତାଙ୍କ ପତ୍ନୀଙ୍କୁ କୋର୍ଟଚାଲାଣ କରିଛି। ମଂଗଳବାର ଭଲ ଦରମାରେ କାମ ଯୋଗାଇବାକୁ କହି ଢେଙ୍କାନାଲରୁ ମୁମ୍ବାଇ ନେଉଥିବା ସମ୍ବଲପୁର ରେଳଷ୍ଟେସନରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୨ଜଣ ନାବାଳିକା ଓ ୩ ଜଣ ସାବାଳିକା ଥିଲେ। ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ମଧ୍ୟରୁ ୪ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ଥାନା ଆମ୍ବବାଲି ଗାଁରେ ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲା ଅସ୍ତରଂଗ ଥାନା ଅନ୍ତର୍ଗତ ପାର୍ଥସୁନ୍ଦରପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ବୁଧବାର ସେମାନଙ୍କ ପରିବାର ଲୋକଙ୍କୁ ସମ୍ବଲପୁର ଡକାଇ ହସ୍ତାନ୍ତର କରାଯାଇଛି। ଗୌରାଂଗ ସାହୁ(୩୨) ଓ ତାଙ୍କ ପତ୍ନୀ ପୁରୀ- ଏଲ୍‌ଟିଟି ଏକ୍ସପ୍ରେସ୍‌ ଯୋଗେ ସେମାନଙ୍କୁ ମୁମ୍ବାଇ ନେଉଥିଲେ। ଟ୍ରେନ୍‌ ଯାତ୍ରା ବେଳେ ଏମାନଙ୍କ ମଧ୍ୟରୁ ଜଣେ ନାବାଳିକା କାନ୍ଦୁଥିବା ଦେଖି ଯାତ୍ରୀମାନଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେମାନଙ୍କୁ ମୁମ୍ବାଇ ନିଆଯାଉଥିବା ସେ ଜାଣିବାକୁ ପାଇଥିଲେ। ଯାତ୍ରୀ ଜଣକ ଚାଇଲ୍‌ଡ ଲାଇନ୍‌ର ଟୋଲ ଫ୍ରି ନମ୍ବରକୁ କଲ୍‌ କରି ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ। ଏହା ପରେ ସମ୍ବଲପୁର ଚାଇଲ୍‌ଡ ଲାଇନ ଟିମ୍‌ ସମ୍ବଲପୁର ସରକାରୀ ରେଳବାଇ ପୁଲିସ(ଜିଆର୍‌ପି) ସହିତ ଉକ୍ତ ଟ୍ରେନରୁ ସେମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର