ଚାଉଳ ଓ ଗହମ ହେରଫେର ନେଇ ବିଡିଓଙ୍କ ଥାନାରେ ଏତଲା, ମୁଜାଗଡ ସରପଞ୍ଚକୁ ଜେଲ୍‌

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଫେରାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମ ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର କରିଥିବା ନେଇ ଘଟଣା ସମ୍ମୁଖକୁ ଆସିଛି। ଏନେଇ ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ ଥାନାରେ ପିଇଓ, ସରପଞ୍ଚ ଓ ଯୋଗାଣ ସହାୟକ ନାମରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୁଲିସ ଥାନାରେ ମାମଲା ରୁଜୁ କରି ମୁଜାଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଶିବ ଶଙ୍କର ପ୍ରଧାନକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଏହି ମାମାଲାରେ ସମ୍ପୃକ୍ତି ଥିବା ପିଇଓ ରଜନୀ ପ୍ରଧାନ ଓ ଯୋଗାଣ ସହାୟକ ସୋମନାଥ ବେହେରା ଫେରାର ଅଛନ୍ତି ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଭଞ୍ଜନଗର ଏସଡିଜେଏମ କୋର୍ଟରେ ବିଚାରପତି ବେଦ ପ୍ରକାଶ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କ ଜାମିନକୁ ନାମଞ୍ଜୁର କରିବାରୁ ଜେଲକୁ ପଠାଯାଇଛି।

ବିଡିଓ ଶ୍ରୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବ ଅଭିଯୋଗ ପ୍ରକାରେ ସେ ନିଜେ ଏବଂ ଏମଆଇ ସନ୍ତୋଷ କୁମାର ଦାସ ମୁଜାଗଡ଼ ପଞ୍ଚାୟତକୁ ଷ୍ଟକ ଚେକ୍‌ କରିବାକୁ ଯାଇଥିଲେ। ଚାଉଳ ଓ ଗହମର ଅନଲାଇନରେ ଥିବା ଷ୍ଟକ୍‌ ଓ ଗୋଦାମରେ ଷ୍ଟକ ମଧ୍ୟରେ ତାଳମେଳ ରହୁନଥିବାରୁ ହେରଫେର ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଏସଂକ୍ରାନ୍ତରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପଠାଯାଇଥିଲା। ତଦନ୍ତରୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚାଳଉ ଗହମ ହେରେଫେର ହୋଇଥିବା ଏତଲାରେ ଦର୍ଶାଇଛନ୍ତି। ଏନେଇ ବିଡିଓ ଶନିବାର ରାତିରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ଥାନାରେ ୯୯ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର