ସ୍କୁଲ ଘର ଭାଙ୍ଗି ଦେଲେ ୩୦ ଜଣିଆ ହାତୀପଲ, ପାଠପଢ଼ା ପ୍ରଭାବିତ, ଲୋକେ ଭୟଭୀତ

ବିସମକଟକ: ରାୟଗଡ଼ା ଜିଲ୍ଲାର ବିସମକଟକ ବ୍ଲକ ଡାଳିଆକୁଜି ପଞ୍ଚାୟତ ଦୁଆରଗୁଡି ଗ୍ରାମରେ ବୁଧବାର ରାତି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ପ୍ରାୟ ୩୦ଟି ହାତୀ ବୁଧବାର ରାତିରେ ଗାଁରେ ପ୍ରବେଶ କରିଥିଲେ। ହାତୀମାନେ ସ୍କୁଲ ଘର ଭାଙ୍ଗି ଦେଇଥିବାରୁ ଗୁରୁବାର ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ କହିବା ଅନୁସାରେ ଦୁଆରିଗୁଡ଼ି ଗାଁକୁ ଲାଗି ନିୟମଗିରି ପାହାଡ ଅଛି। ପ୍ରାୟ ଏକ ସପ୍ତାହ ହେବ ହାତୀପଲ ଉତ୍ପାତ କରୁଛନ୍ତି। ରାତି ହେଲେ ସେମାନେ ଫସଲ ଖାଇବାକୁ ଗାଁ ଅଭିମୁଖେ ବାହାରି ଆସୁଛନ୍ତି। ଏଇଥି ପାଇଁ ଗାଁ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଗାଁରେ ମୋଟ୍‌ ୪୯ଟି ପରିବାର ରହୁଛନ୍ତି।

ଗାଁ ଠାରୁ ସାମାନ୍ୟ ଦୂରରେ ସ୍କୁଲ ଘର ଅବସ୍ଥିତ। ପ୍ରଥମରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀରେ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି ୨ ଜଣ ଶିକ୍ଷକ। ସ୍କୁଲର ଛାତ ପାଇଁ ଆଜବେଷ୍ଟସ ବ୍ୟବହାର ହୋଇଛି। ହାତୀମାନେ ବୁଧବାର ରାତିରେ ଆସି କିଛି ଶ୍ରେଣୀ ଗୃହ ଓ ରୋଷେଇ ଘର ଭାଙ୍ଗି ଦେଇଛନ୍ତି। ହାତୀପଲ ଚାଉଳ ଖାଇଯାଇଥିବା ବେଳେ କାଗଜପତ୍ର ଓ ଅନ୍ୟାନ୍ୟ ଜିନିଷ ବ୍ୟାପକ ନଷ୍ଟ କରି ଦେଇଛନ୍ତି। ଏବେ ବେଲ ବୁଡ଼ିଗଲେ ଗାଁ ଲୋକେ ଘରୁ ବାହାରକୁ ଯିବା ପାଇଁ ସାହାସ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର