ଉତ୍କଳ ଆଲୁମିନାରେ ବିସ୍ଥାପିତ-ପୁଲିସ୍‌ ମୁହାଁମୁହିଁ: ଘଟଣାସ୍ଥଳରେ ୧୪୪ ଧାରା ଜାରି, ୧୪ ଗିରଫ

କଂପାନି ଗାଡ଼ି, କଣ୍ଟ୍ରୋଲ୍‌ ରୁମ୍‌ ଭଙ୍ଗାରୁଜା, ପୁଲିସର ମୃଦୁ ଲାଠି ଚାଳନା

ରାୟଗଡା: ବିସ୍ଥାପିତ ଘୋଷଣା କରିବା ଦାବିରେ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ଉତ୍କଳ ଆଲୁମିନା କଂପାନି ପରିସରରେ ବିସ୍ଥାପିତ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ବିସ୍ଥାପିତଙ୍କ ପଥର ମାଡରେ କଂପାନି ଗାଡି ଓ କଣ୍ଟ୍ରୋଲ୍‌ ରୁମ୍‌ ଭାଙ୍ଗିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ମୃଦୁ ଲାଠି ଚାଳନା କରିଛି। ଭଙ୍ଗାରୁଜା କରିବା ଅଭିଯୋଗରେ ପୁଲିସ୍‌ ବିସ୍ଥାପିତ ପକ୍ଷର ୧୪ ଜଣଙ୍କୁ ଗିରଫ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛିଯ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌, ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

କଂପାନି ଆରମ୍ଭରୁ କାଶୀପୁର ବ୍ଲକ୍‌ ହାଡିଗୁଡା ପଞ୍ଚାୟତର ଡିମୁଣ୍ଡି ଗ୍ରାମବାସୀ ବିସ୍ଥାପିତ ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି। କଂପାନି ପାଇଁ ଗ୍ରାମବାସୀ ଜମି ହରାଇଥିବା ବେଳେ ବ୍ଲାଷ୍ଟିଂ ସମୟରେ ଘର କ୍ଷତିଗ୍ରସ୍ତ ହୋଇଥିବାରୁ ବିସ୍ଥାପିତ ଘୋଷଣା କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। କଂପାନି କର୍ତୃପକ୍ଷ ଆଜି କାଲି କହି ଦିନ ଗଡାଇ ଚାଲିଥିବା ବେଳେ ପ୍ରଶାସନ ମଧ୍ୟ ବିସ୍ଥାପିତଙ୍କ ଦିଗରେ କୌଣସି ନିଷ୍ପତ୍ତି ଗ୍ରହଣ କରୁନି।

ପ୍ରତିବାଦରେ ଗତ ବର୍ଷ ଅକ୍ଟୋବର ମାସରେ ଡିମୁଣ୍ଡି ଗ୍ରାମବାସୀ ୭ ଦିନ କଂପାନିକୁ ବନ୍ଦ କରିବା ସହ ସାଧାରଣ ନିର୍ବାଚନ ପୂର୍ବରୁ ଲୋୟର ପିଏମଜିରେ ମାସେ ଧାରଣାରେ ବସିଥିଲେ। ଏହା ସତ୍ତ୍ୱେ କଂପାନି କିମ୍ବା ଜିଲ୍ଲା ପ୍ରଶାସନ ଗୁହାରି ନ ଶୁଣିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ କଂପାନି ବନ୍ଦ କରିବାକୁ ଗ୍ରାମବାସୀ ଲିଖିତ ଭାବେ ଅବଗତ କରିଥିଲେ। ଆଜି ସକାଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଂପାନି ଭିତରକୁ ପ୍ରବେଶ କରି ବକ୍ସାଇଟ୍‌ ଗ୍ରାଇଣ୍ଡିଂ ମେସିନ୍‌ ତଳେ ଧାରଣାରେ ବସି ରହିଥିଲେ। ଖବର ପାଇ ରାୟଗଡା ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ପୁଲିସ୍‌ ଅଧିକାରୀ ତପନ ନାରାୟଣ ରଥ, କଂପାନି କର୍ତୃପକ୍ଷ ବିସ୍ଥାପିତଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ।

 

ସମ୍ବନ୍ଧିତ ଖବର