୯୦ ପ୍ରତିଶତ ଲୋକ ବର୍ତ୍ତମାନ ସାଇବର ଅପରାଧର ଶିକାର ହେଉଛନ୍ତି: ଇଶାନ ସିହ୍ନା

ସମ୍ବଲପୁର: ଦେଶର ୯୦ ପ୍ରତିଶତ ଲୋକ ବର୍ତ୍ତମାନ ସାଇବର ଅପରାଧର ଶିକାର ହେଉଛନ୍ତି। କେତେବେଳେ କାହା ବ୍ୟାଙ୍କରୁ ଟଙ୍କା ଲୁଟ ହୋଇଯାଉଛି ତ କେତେବେଳେ କାହା ଫୋନ୍‌କୁ ଅଶ୍ଳୀଳ ମେସେଜ୍‌ ଆସୁଛି। ତେବେ ସମ୍ବଲପୁରରେ ବଢି ଚାଲିଥିବା ଏହି ସାଇବର ଅପରାଧର ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ ଏକ ଦୁଇଦିନିଆ ସାଇବର ଅପରାଧ ସଂପର୍କିତ କର୍ମଶାଳା ଆରମ୍ଭ ହୋଇଛି। କର୍ମଶାଳାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସାଇବର କ୍ରାଇମ ଅନୁସନ୍ଧାନକାରୀ ଇଶାନ ସିହ୍ନା ଯୋଗ ଦେଇଥିଲେ। ଉତ୍ତରାଞ୍ଚଳ ରେଂଜ ଅନ୍ତର୍ଗତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର ଏସପିଙ୍କ ସମେତ ପଦସ୍ଥ ଅଧିକାରୀମାନେ ଏହି ବୈଠକରେ ସାମିଲ ଥିଲେ।

ଅତ୍ୟାଧୁନିକ ଜ୍ଞାନକେଶଳର ଅଭିବୃଦ୍ଧି ଫଳରେ ସାଇବର ଅପରାଧ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ତେଣୁ ଏହାକୁ ଆୟତ୍ତ କରିବାକୁ ହେଲେ କିପରି ଅନୁସନ୍ଧାନ କରାଯିବା ଆବଶ୍ୟକ, ସାଇବର ଅପରେସନରେ ସାମିଲ ଥିବା ପୁଲିସମାନଙ୍କ ପ୍ରଶିକ୍ଷଣ ଦକ୍ଷତା କିପରି ବୃଦ୍ଧି ପାଇପାରିବ, କର୍ମଶାଳାରେ ଯୋଗ ଦେଇଥିବା ପୁଲିସ୍‌ କର୍ମଚାରୀମାନେ କିପରି ଏଥିରେ ଦକ୍ଷତା ହାସଲ କରିବେ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ଫୋନ୍‌, ସୋସିଆଲ ମିଡ଼ିଆ ଓ କମ୍ପ୍ୟୁଟର ମାଧ୍ୟମରେ ଅନ୍ୟ ମାନଙ୍କର ଆକାଉଣ୍ଟ ହ୍ୟାକ୍‌ କରାଯିବା ଭଳି ସାଇବର ଅପରାଧ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର