ଡେଲାଙ୍ଗରେ ଲୋମଟାଙ୍କୁରା ଘଟଣା: ହତ୍ୟା ପରେ ଯୁବତୀଙ୍କ ମୁଣ୍ଡ କାଟି ଫିଙ୍ଗି ଦେଲେ ଦୁର୍ବୃତ୍ତ

ଡେଲାଙ୍ଗ: ଆଜି ସକାଳେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିିଛକ ରେଳବାଇ ଫାଟକ ନିକଟରେ ଜଣେ ଯୁବତୀଙ୍କ କଟାମୁଣ୍ଡ ମିଳିଛି। କଟାମୁଣ୍ଡ ନିକଟରେ ଏକ କଳା ଜରି ଓ ଏକ ଲାଲ ବ୍ୟାଗ୍‌ ପଡ଼ିଛି। ତେଣୁ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରିବା ପରେ ମୁଣ୍ଡକୁ କାଟିି ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛିି। ବିଶେଷ କରି ଯୁବତୀଙ୍କ ମୃତଦେହ ( କବନ୍ଧ) କେଉଁଠାରେ ପଡ଼ିଛି ତାହା ଜଣାପଡ଼ି ନ ଥିବାରୁ ଘଟଣା ବେଶ ରହସ୍ୟମୟ ହୋଇ ଉଠିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡେଲାଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ବେରବୁଇ ଗାନ୍ଧିିଛକ ଫାଟକ ନିକଟରେ ରେଲେଓ୍ଵ ଟ୍ରାକରେ ଜଣେ ମହିଳାଙ୍କ କଟାମୁଣ୍ଡଟିଏ ଥୁଆ ହୋଇଥିବା ଆଜି ସକାଳେ କେତେକ ଲୋକ ଦେଖିଥିଲେ। ଏହି କଟାମୁଣ୍ଡର ମୁହଁରେ କଟା ଦାଗ ରହିଛି। ତେବେ ଟ୍ରେନ୍‌ରେ କଟିଥିଲେ ପାଖରେ ତାଙ୍କର ଶରୀରର ଅନ୍ୟ ଅଂଶ ପଡ଼ିଥାନ୍ତା ଓ କଟାମୁଣ୍ଡଟି ରେଳଧାରଣାକୁ ଲାଗି ପଡ଼ି ଥାନ୍ତା। ମାତ୍ର ଏ କ୍ଷେତ୍ରରେ ଦୁଇ ରେଳ ଧାରଣା ମଝିରେ ଏହି କଟା ମୁଣ୍ଡଟିକୁ କେହି ଥୋଇ ଦେଇଥିବା ସ୍ପଷ୍ଟ ହୋଇଛି। ସେହିପରି କଟାମୁଣ୍ଡ ଠାରୁ ଅଳ୍ପ ଦୂରରେ ଏକ ବାଡ଼ି ପଡ଼ିଥିବାବେଳେ ଏକ କଳାଜରି ଓ ଏକ ଲାଲ ରଙ୍ଗର ବ୍ୟାଗ୍‌ ପଡ଼ିଛି। ଉଭୟ କଳା ଜରି ଓ ଲାଲ ବ୍ୟାଗ୍‌ରେ ରକ୍ତ ଲାଗିଥିବାରୁ ଯୁବତୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ କଟାମୁଣ୍ଡଟିକୁ ପରିବହନ ପାଇଁ ଏହି କଳା ଜରି ଓ ଲାଲ ବ୍ୟାଗକୁ ବ୍ୟବହାର କରାଯାଇଥିିବା ସନ୍ଦେହ କରାଯାଉଛି। ତେବେ ଏହି କଟାମୁଣ୍ଡ ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି। କଟାମୁଣ୍ଡରୁ ଜଣାପଡ଼ୁଛି ଯୁବତୀଙ୍କ ବୟସ ୨୫ରୁ ୩୦ ବର୍ଷ ବୟସ ଭିତରେ ହେବ। ମୃତ ଯୁବତୀଙ୍କ ଦୁଇ କାନରେ ସୁନା କାନଫୁଲ ପିନ୍ଧିଛନ୍ତି। ତେଣୁ ଯୁବତୀଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ କଟାମୁଣ୍ଡକୁ ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର