କନ୍ଧମାଳ: ମହାପ୍ରୟାଣ ଗାଡି ନ ମିଳିବାରୁ ଭାରରେ ବୁଲା ହେଲେ ମୃତଦେହ

ସିଡିଏମଓ କହିଲେ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ: ମହାପ୍ରୟାଣ ଗାଡି ମିଳିଲା ନାହିଁ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭାରରେ ବୁହା ହେଲା। ଏହି ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଗଲା। ଏହାକୁ ନେଇ ଜିଲ୍ଲାପାଳ ଆଉ ଯେଭଳି ଏହାର ପୁନରାବୃତ୍ତି ନ ହେବ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ଏଥି ନିମନ୍ତେ ଆବଶ୍ୟକ ଅର୍ଥ ରେଡକ୍ରସକୁ ଯୋଗାଇ ଦେବାକୁ ମଧ୍ୟ ସେ କହିଥିଲେ। ହେଲେ ଏତେ ସବୁ ସତ୍ତ୍ୱେ ସାରଙ୍ଗଗଡ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚେତିଲେ ନାହିଁ। ମହାପ୍ରୟାଣ ଗାଡି କିମ୍ବା ଅନ୍ୟ କେଣସି ଗାଡି ବ୍ୟବସ୍ଥା କରି ନ ପାରିବାରୁ ପରିବାର ଲୋକ ମୃତଦେହକୁ ଭାରରେ ଭୋଇ ୩ କିଲୋମିଟର ଦୁର ଗାଁକୁ ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ବଣ୍ଡଗୁଡା ଗାଁର ଦିଲ୍ଲୀପ ଦଳବେହେରା(୫୦) ସୋମବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସାରଙ୍ଗଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ୨ଟାରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିଲା। ଗାଁକୁ ମୃତଦେହକୁ ନେବାକୁ ପରିବାର ଲୋକ ଡାକ୍ତରଙ୍କୁ କହିଥିଲେ, ଗାଡି ନାହିଁ। ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଯାଇ ଟଙ୍କା ଜମା କଲେ ଗାଡି ବ୍ୟବସ୍ଥା ହୋଇ ପାରିବ ବୋଲି ସଂପୃକ୍ତ ଡାକ୍ତର କହିଥିଲେ।

କର୍ମଚାରୀ ବି ଅନୁରୂପ କଥା କହି ଧରାଛୁଆଁ ଦେଇ ନଥିଲେ। ପୁଲିସ ପହଞ୍ଚି ବି ସେହି କଥା କହିଥିଲା। ହେଲେ ପାଖରେ ଟଙ୍କା ନଥିବାରୁ ଏହା କରିବା ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ଭାର କରି ଶବକୁ ଗାଁକୁ ନେଇଥିଲେ ପରିବାର ଲୋକ। ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିବା ବେଳେ ଠିକଣା ସମୟରେ ଏହା କାମରେ ଆସୁ ନାହିଁ ବୋଲି କହିଛନ୍ତି ମୃତ ଦିଲ୍ଲୀପଙ୍କ ଭାଇ ପ୍ରଦୀପ ଦଳବେହେରା। ଏ ନେଇ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସମୀର କୁମାର ଦାସଙ୍କୁ ପଚାରିବାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିବା ସହ ରିପୋର୍ଟ ଆସିଲେ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର