କରୋନା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା, ବନ୍ଦ ହେଲା ପାର୍କ, ସପିଂ ମଲ

କୋରାପୁଟ:  କୋରାପୁଟ ଜିଲ୍ଲା ପ୍ରଶାସନ ଆଜିଠାରୁ ଜିଲ୍ଲାର ସମସ୍ତ ସପିଂ ମଲ ଓ ପାର୍କଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଆଜି ଜିଲ୍ଲାର ସିଡିପିଓ ଓ ସୁପରଭାଇଜରଙ୍କୁ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନେଇ ଦିଆଯାଇଛି ପ୍ରଶିକ୍ଷଣ। ଆସନ୍ତାକାଲି ବିଭିନ୍ନ ସମ୍ପ୍ରଦାୟର ଧର୍ମଗୁରୁଙ୍କ ସହ ପ୍ରଶାସନ ଆଲୋଚନା କରିବ ବୋଲି ଜଣାପଡିଛି। କରୋନା ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ବହୁ ପ‌ଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନ କରାଯିବା ସହ ଯେମିତି କୌଣସି ସ୍ଥାନରେ ବହୁ ଲୋକ ସମା‌ଗମ ହେବେ ନାହିଁ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଆଗରୁ ଶିକ୍ଷାନୁଷ୍ଠାନ, ଜିମ ଆଦି ବନ୍ଦ କରି ଦିଆଯାଇଥିଲା। ଆଜିଠାରୁ ସପିଂ ମଲ ଓ ପାର୍କ ସବୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ପାର୍କ ଓ ମଲଗୁଡିକରେ ଏକା ସାଙ୍ଗରେ ବହୁ ଲୋକଙ୍କ ଗହଳି ହେଉଥିବାରୁ ଏଠାରେ କରୋନା ବ୍ୟାପିବା‌ର ଭୟ ରହିଥିଲା। ସେମିଳିଗୁଡା, ଜୟପୁର ଆଦି ସହରରେ ଏକାଧିକ ମଲ ରହିଥିଲାବେଳେ ଏଠାକୁ ବିଭିନ୍ନ ସହର ଓ ଗାଁରୁ ଲୋକମାନେ ଏଠାକୁ ନିୟମିତ ଆସିଥାନ୍ତି। ପୁଣି ଏହି ସବୁ ମଲ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ରହିଥିବାରୁ ସଂକ୍ରମଣର ଆଶଙ୍କା ଅଧିକ। ତେଣୁ ଏହି ସବୁ ମଲକୁ ଆଜିଠାରୁ ବନ୍ଦ କରି ଦିଆଯାଇଛି। ଏହା ସହିତ ବିଭିନ୍ନ ସହରରେ ବହୁ ପାର୍କ ରହିଥିଲାବେଳେ ସକାଳେ, ସଂଜରେ ହଜାର ହଜାର ଲୋକଙ୍କ ଗହଳି ହେଉଥିଲା। ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସବୁ ପାର୍କରେ ତାଲା ପକାଇ ଦିଆଯାଇଛି।

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର ଓ ଜୀବିକା ମିଶନ କର୍ମଚାରୀଙ୍କୁ ସଚେତନ କରାଯାଇଛି। ଗାଁରେ କେମିତି ସେମାନେ ଏହାର ମୁକାବିଲା କରିବେ ସେଥିନେଇ ସଚେତନ କରାଯାଇଛି। ଏହି ଅଧିକାରୀମାନେ ତୃଣମୂଳ ସ୍ତରରେ ଅଙ୍ଗନବାଡି କର୍ମୀଙ୍କୁ କରୋନା ମୁକାବିଲା କରିବା ନେଇ ସଚେତନ କରାଇବେ ବୋଲି ଜଣାପଡିଛି। ଗାଁ ଗାଁରେ ଏହି ଅଙ୍ଗନବାଡି କର୍ମୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କ ସଚେତନତା ଉପରେ ଗୁରୁତ୍ବ ଦିଆଯାଇଛି। ଆଜିର ବୈଠକରେ କୋରାପୁଟ ଜିଲ୍ଲାପାଳ ମଧୂସୂଦନ ମିଶ୍ର, ଡିଆରଡିଏ ପିଡି ପ୍ରବୀର କୁମାର ନାୟକ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା, ଏଡିଏମଓ ଡା. ଅରୁଣ ପାଢୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ କ‌ରୋନାରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ଓ କୌଶଳ ସଂପର୍କରେ ସୂଚନା ଦେଇଥିଲେ। ଏହା ସହ ଗ୍ରାମାଞ୍ଚଳରୁ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଥିଲା। ଦିନେ ଦୁଇଦିନ ଭିତରେ ସିଡିପିଓ ଓ ସୁପରଭାଇଜରମାନେ ସେମାନଙ୍କ ଅଂଚଳରେ ଅଙ୍ଗନବାଡି କର୍ମୀଙ୍କୁ ଏଥିନେଇ ସଚେତନ କରାଇବେ।

ମେଡିକାଲ କଲେଜରେ ସ୍ବତନ୍ତ୍ର ବ୍ୟବସ୍ଥା

ମହାମାରୀ କରୋନାକୁ ହରାଇବା ପାଇଁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଲଗା ୱାର୍ଡ ଖୋଲା ଯାଇଛି। ଏଠାରେ ୬ ଟି ଶଯ୍ୟା ରହିଥିଲାବେଳେ ଆବଶ୍ୟକ ଚିକିତ୍ସା ସୁବିଧା ସୁଯୋଗ ରଖା ଯାଇଛି। ମେଡିକାଲ ବାହାରେ ରହିଥିବା ଏହି ୱାର୍ଡରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି। କରୋନାର ମୁକାବିଲା ପାଇଁ ଡାକ୍ତରୀ ଟିମକୁ ସଜାଗ ରହିବାକୁ କୁହାଯାଇଥିଲାବେଳେ ସ୍ଥିତି ଉପରେ କଡା ନଜର ରଖିବାକୁ କୁହାଯାଇଛି। ଏହା ସହ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲା ଯାଇଛି। ସେହିପରି ବିଭିନ୍ନ ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାକୁ ମଧ୍ୟ ଏଥିନେଇ ନିର୍ଦେଶ ଦିଆଯାଇଛି। କରୋନା ମୁକାବିଲା ପାଇଁ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦ ଲକ୍ଷ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ସବୁ ଡାକ୍ତରଖାନାରେ ସନ୍ଧିଗ୍ଧ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥ‌ା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେ‌ବେ ଏ ପର୍ଯ୍ୟନ୍ତ କ‌ରୋନା ସଂକ୍ରମଣର ଲକ୍ଷଣ ଥିବା କୌଣସି ରୋଗୀ ଡାକ୍ତରଖାନାକୁ ଆସି ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର