ସୁନ୍ଦରଗଡ଼: ୬ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ, ୧୧ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ରବିବାର ପୃଥକ ପୃଥକ ୬ଟି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ରାଉରକେଲା ନିକଟବର୍ତ୍ତି ବେଦବ୍ୟାସ ଟିସିଆଇରେ ଟ୍ରେଲର୍‌ ଧକ୍କାରେ ୨ ଜଣ ସ୍କୁଟି ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରାସ୍ତା ଆର୍‌ଆର୍‌ଆଇଟି କଲୋନିରେ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।

ଦେଓଗାଁ ଦେହୁରୀ ବସ୍ତିର ୪ ଜଣ ଯୁବକ ଓଡି ୧୪ପି ୮୪୬୮ ନମ୍ବର ସୁଜୁକି ଆକ୍ସେସ୍‌ (ସ୍କୁଟି) ଗାଡ଼ିରେ ବେଦବ୍ୟାସ ମନ୍ଦିର ଯାଉଥିଲେ। ରାତି ସାଢେ ୮ଟା ବେଳେ ଟିସିଆଇ ଛକ ପୂର୍ବରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ଏକ ଟ୍ରେଲର୍‌ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍କୁଟିଟି ଟ୍ରଲର୍‌ ଭିତରକୁ ପଶି ଯାଇଥିଲା। ଫଳରେ ସ୍କୁଟିରେ ଥିବା ଲାଲା ଲୋହାର (୨୨), ପ୍ରତାପ ଟପ୍ପୋ (୨୦), ମୁକେଶ ଲୋହାର (୨୨) ଓ ସୋମା ଟପ୍ପୋ (୧୬) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଲାଲା ଓ ପ୍ରତାପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୁକେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମରାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତିନି ସାଙ୍ଗ ବେଦବ୍ୟାସରୁ ପାଣି ନେଇ ଘୋଘର ଯାଇଥାନ୍ତେ ବୋଲି ପରିବାର ଲୋକ କହିଛନ୍ତି।

ସେହିପରି ଆଜି ରାତି ସାଢେ ୮ଟା ବେଳେ ଆର୍‌ଆର୍‌ଆଇଟି କଲୋନି ପାଖରେ ପାର୍କିଂ ଅବସ୍ଥାରେ ଥିବା ଟ୍ରକ୍‌ ନମ୍ବର ଓଡ଼ି ୧୬ଇ ୦୨୯୨ ଅଚାନକ ମାଡି ଯିବାରୁ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛି। ଏକ ଦୋକାନ ଘର ଓ ବାଇକ୍‌ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଗୁରୁଣ୍ଡିଆ-କୁଚେଇତା ରାସ୍ତାର ସିଲିକଟା ଛକରେ ତେଲ ଟାଙ୍କର ଏକ କାର୍କୁ ଧକ୍କା ଦେବାରୁ କାର୍‌ ଚାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଗାଙ୍ଗପୁରରେ ବୁଚୁକୁପଡ଼ା ଘାଟଇରେ ଏକ ଡମ୍ପର ବାଇକକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କୁତ୍ରାରେ ଅନ୍ୟ ଏକ ଦୁର୍ଘଟଣା ଜଣେ ଗୁରୁତର ଆହତ ହୋଇଛିଯ ବିଜୁ ଏକ୍ସପ୍ରେସ୍‌ ୱେର ସୁନ୍ଦରଗଡ଼ ପତ୍ରାପାଲି ଛକରେ ଟ୍ରକ୍‌ ଓ କାର୍‌ ଧକ୍କାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର