୬ ଲୁଟେରା ଗିରଫ, ୧ ଲକ୍ଷ ୮୮ ହଜାର ଟଙ୍କା ସହ ୨ ମୋବାଇଲ ଓ ୨ ମୋଟର ସାଇକେଲ ଜବତ

ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ ଲକ୍ଷ ୮୮ ହଜାର ୧୬୦ ଟଙ୍କା ଜବତ କରିଛି। ପୁଲିସ ଏଥିସହ ୨ଟି ମୋବାଇଲ ଓ ୨ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜଣେ ଅଭିଯୁକ୍ତ ଏବେବି ଫେରାର ଥିବାରୁ ଗିରଫ ୬ ଜଣଙ୍କ ନାମ ପ୍ରକାଶ କରାଯାଉ ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଖଡିଆଳ ସ୍ଥିତ ଘରୋଇ ଫ୍ୟୁଜନ ମାଇକ୍ରୋ ଫାଇନାନ୍ସରୁ ୭ ଜଣ ଲୁଟେରା ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରି ୩ ଲକ୍ଷ ୩୪ ହଜାର ଟଙ୍କା ଲୁଟି ନେଇିଥିଲେ । ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ଲୁହାରଡ ଏବଂ ଠେଙ୍ଗାରେ ମାଡ଼ମାରି ରକ୍ତାକ୍ତ କରିଥିଲେ ।

ସୂଚନାଯୋଗ୍ୟ, ଲୁଟେରାମାନେ ଦିନ ୨ଟାରେ ଏସ୍‌ଏଚ୍‌ଜି ଋଣ ନେବା ବାହାନାରେ ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନେ ବ୍ୟାଙ୍କ ଭିତରେ ବୁଲି ଚାରିଆଡେ ନଜର ରଖିଥିଲେ। ସନ୍ଧ୍ୟା ୬ଟାରେ ୨ ଜଣ ଲୁଟେରା ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟ ବାହାରେ ଜଗିଥିବା ବେଳେ ଅନ୍ୟ ୪ ଜଣ ଭିତରକୁ ଯାଇ ମ୍ୟାନେଜରଙ୍କୁ ଶକ୍ତ ଆଘାତ କରିଥିଲେ ଓ ୩ ଲକ୍ଷ ୩୪ ହଜାର ଟଙ୍କା ସହିତ ଗୋଟିଏ ମୋବାଇଲ ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ।

ଲୁଟ୍‌ର ଶିକାର ହେବା ପରେ ମାଇକ୍ରୋ ଫାଇନାନ୍ସର ମ୍ୟାନେଜର ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ କରିଥିଲା। ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ଆଆଇସି କୈଳାଶ ଚନ୍ଦ୍ର ସେଠୀ ଓ ସବ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା।

ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଯାଏଁ ତଦନ୍ତ ପରେ ଲୁଟେରା ମାନଙ୍କୁ ରାୟଗଡାର ମୁନିଗୁଡା, ବଳାଙ୍ଗୀର ଓ ଟିଟିଲାଗଡରୁ ଗିରଫ କରାଯାଇଥିଲା ବୋଲି ଏସ୍‌ଡିପିଓ ବିରଞ୍ଚି ଦେହୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କେସିଙ୍ଗା, ଭବାନୀପାଟଣା, ମୁନିଗୁଡା, ଧର୍ମଗଡ ଆଦି ସ୍ଥାନରେ ଡକାୟତି ମାମଲା ଅଛି।

ସାମ୍ବାଦିକ ସମ୍ମିଲନୀରେ ସବ ଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା, ଡମ୍ବରୁଧର ପ୍ରଧାନ, ଏଏସଆଇ ଦେବାର୍ଚ୍ଚନ ନିଆଲ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଦୀପ ପାଢୀ, ପି.କେ. ସିନ୍ଦୁର ଆଦି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର