ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ ଶ୍ରମିକ ଆହତ, ଜଣେ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ରେଙ୍ଗାଲିରେ ଥିବା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଦୁର୍ଘଟଣା । ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ବିହାରର ରାଜ୍‌କୁମାର ସିଂ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଗୁରୁବାର ରାତିରେ ରେଙ୍ଗାଲିରେ ଥିବା ଭୁଷଣ ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧ରେ ଗରମ ବାଷ୍ପ ସଂସ୍ପର୍ଶରେ ଆସିବାରୁ ଭିତରେ ଥିବା ୬ଜଣ ଶ୍ରମିକ ଆହତ ହୋଇଥିଲେ । ଠିକ୍‌ ସମୟରେ ସେମାନଙ୍କୁ ବାହାରକୁ ଅଣାଯାଇଥିବା ବେଳେ ବିହାରର ଜଣେ ଶ୍ରମିକ ରାଜ୍‌ କୁମାର ସିଂଙ୍କ ଶରୀରର ୪୦ ଭାଗ ପୋଡ଼ି ଯାଇଥିଲା । ଅବସ୍ଥା ଧୀରେ ଧୀରେ ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ବାକି ଶ୍ରମିକ ମାନେ ସାମାନ୍ୟ ଆହାତ ହୋଇଥିବାରୁ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆ ଯାଇଛି ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ଘଟଣା ନେଇ କମ୍ପାନି ବିରୋଧରେ ଠେଲକୋଲୋଇ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ସମ୍ବନ୍ଧିତ ଖବର