ସୋନପୁରରେ ନିରଞ୍ଜନ ପୂଜାରୀ, ବୀରମହାରାଜପୁରରେ ପଦ୍ମନାଭ ବେହେରାଙ୍କ ହ୍ୟାଟ୍ରିକ

ସୋନପୁର: ଚଳିତ ସାଧାରଣ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଳାର ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବାଜିମାତ ହୋଇଛି। ସୋନପୁର ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଥିବା ବେଳେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦ୍ମନାଭ ବେହେରା ବିଜୟୀ ହୋଇଛନ୍ତି। ସୋନପୁରରୁ ନିରଞ୍ଜନ ପୂଜାରୀ ହ୍ୟାଟ୍ରିକ ବିଜୟ କରିଥିବା ବେଳେ ବୀରମହାରାଜପୁରରୁ ପଦ୍ମନାଭ ବେହେରା ହ୍ୟାଟ୍ରିକ ବିଜୟ ଲାଭ କରିଛନ୍ତି। ସୋନପୁରରେ ବିଜେଡିର ନିରଞ୍ଜନ ୯୯ ହଜାର ୭୩ ଖଣ୍ଡ, ବିଜେପିର ଅଶୋକ ପୂଜାରୀ ୭୩ ହଜାର ୩୪୭ ଖଣ୍ଡ, କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ୨୩ ହଜାର ୩୨୬ ଖଣ୍ଡ ଭୋଟ ପାଇଛନ୍ତି। ଏହି ଆସନରେ ବିଜେଡିର ନିରଞ୍ଜନ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ବିଜେପିର ଅଶୋକ ପୂଜାରୀଙ୍କଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତ।

ବୀରମହାରାଜପୁର ଆସନରେ ବିଜେଡିର ପଦ୍ମନାଭ ବେହେରା ୬୫ ହଜାର ୧୯୧ ଖଣ୍ଡ, ବିଜେପିର ରଘୁନାଥ ଜଗଦଲା ୫୨ ହଜାର ୧୨୦ ଖଣ୍ଡ ଏବଂ କଂଗ୍ରେସର ବିନୋଦ ପାତ୍ର ୪୦ ହଜାର ୪୩୦ ଖଣ୍ଡ ଭୋଟ ପାଇଛନ୍ତି। ଏହି ଆସନରେ ବିଜେଡିର ପଦ୍ମନାଭ ବେହେରା ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ବିଜେପିର ରଘୁନାଥ ଜଗଦଲାଙ୍କଠାରୁ ୧୩ ହଜାର ୨୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ଗତ ୨୦୧୪ ସାଧାରଣ ନିର୍ବାଚନରୁ ଚଳିତ ନିର୍ବାଚନରେ ଉଭୟଙ୍କ ବିଜୟ ଭୋଟ ବ୍ୟବଧାନ କମିଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ସୋନପୁରରୁ ନିରଞ୍ଜନ ପୂଜାରୀ ୫୧ ହଜାର ୪୫୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଏଥର ୨୬ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବଜୟୀ ହୋଇଛନ୍ତି।

ବୀରମହାରାଜପୁରରୁ ପଦ୍ମନାଭ ବେହେରା ୨୦୧୪ ସାଧାରଣ ନିର୍ବାଚନରେ ୩୧ ହଜାର ୫୧୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଚଳିତ ର୍ନିବାଚନରେ ୧୩ ହଜାର ୨୭୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ବର୍ତ୍ତମାନ ଉଭୟ ନେତା ବିଜୟ ପରେ ଅଞ୍ଚଳର ସମୂହ ବିକାଶ ପ୍ରତି ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି।

ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସୋନପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର କଳିକେଶ ନାରାୟଣ ସିଂହଦେଓ ୯୧ ହଜାର ୯୩୭ ଖଣ୍ଡ, କଂଗ୍ରେସର ସମରେନ୍ଦ୍ର ମିଶ୍ର ୨୧ ହଜାର ୯୪୯ ଖଣ୍ଡ, ବିଜେପିର ସଂଗୀତା କୁମାରୀ ସିଂହଦେଓ ୮୦ ହଜାର ୨୯୮ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡିର କଳିକେଶ ନାରାୟଣ ସିଂହଦେଓ ବିଜେପିର ସଂଗୀତା କୁମାରୀ ସିଂହଦେଓଙ୍କଠାରୁ ୧୧ ହଜାର ୬୩୯ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର କଳିକେଶ ନାରାୟଣ ସିଂହଦେଓ ୬୫ ହଜାର ୭୫୧ ଖଣ୍ଡ, ବିଜେପିର ସଂଗୀତା କୁମାରୀ ସିଂହଦେଓ ୫୯ ହଜାର ୨୭୨ ଖଣ୍ଡ, କଂଗ୍ରେସର ସମରେନ୍ଦ୍ର ମିଶ୍ର ୩୫ ହଜାର ୫୦୪ ଖଣ୍ଡ ଭୋଟ ପାଇଛନ୍ତି। ଏଠାରୁ କଳିକେଶ ନାରାୟଣ ସିଂହଦେଓ ବିଜେପିର ସଂଗୀତା ସିଂହଦେଓଙ୍କଠାରୁ ୬ ହଜାର ୪୭୯ ଖଣ୍ଡ ଅଧିକ ଭୋଟ ପାଇଛନ୍ତି।

ସମ୍ବନ୍ଧିତ ଖବର