ସୁବର୍ଣ୍ଣପୁର ଜିଲ୍ଲା: ଫୁଲୁଛି ବିଜେପି, ବିଜେଡି ସ୍ଥିର, କଂଗ୍ରେସ ଅବସ୍ଥା ଜଟିଳ

ସବୁ ଦଳରେ ଗୋଷ୍ଠୀ କନ୍ଦଳ

ସୋନପୁର: ଗତ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାରେ ୧୩ଟି ଜିଲ୍ଲା ପରିଷଦ ଆସନରୁ ୧୦ ଆସନ ବିଜେପି ଖାତାକୁ ଯାଇଥିବା ବେଳେ ୩ଟି ବିଜେଡି ଖାତାକୁ ଯାଇଥିଲା ଏବଂ କଂଗ୍ରେସ ଦଳ ନିଶ୍ଚିହ୍ନ ହୋଇ ଯାଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ ବ୍ୟବଧାନ ବୃଦ୍ଧି ପାଇଥିଲା ଯାହାକି ବିଜେପିର ଜିଲ୍ଲାରେ ଶକ୍ତି ବୃଦ୍ଧିକୁ ସ୍ପଷ୍ଟ କରିଛି। ବିଜେଡିର ଅବସ୍ଥା ସ୍ଥିର ଥିବା ବେଳେ ଜିଲ୍ଲାରେ କଂଗ୍ରେସର ଅବସ୍ଥା ଜଟିଳ ହେବାରେ ଲାଗିଛି। କଂଗ୍ରେସ ଦଳର ପୂର୍ବ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ, ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ପୂଜାରୀ, ପୂର୍ବ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପର୍ଶୁରାମ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ତଥା ମନ୍ତ୍ରୀ ନିରଂଜନ ପୂଜାରୀ ୯୩ ହଜାର ୩୦୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପିର ପ୍ରମୋଦ ମହାପାତ୍ର ୪୧ ହଜାର ୯୭୮ ଖଣ୍ଡ ଭୋଟ ଏବଂ କଂଗ୍ରେସର ସର୍ବେଶ୍ୱର ପୁରୋହିତ ୩୫ ହଜାର ୭୪୯ ଖଣ୍ଡ ଭୋଟ ପାଇଥିଲେ।

ତେବେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରେ ହୋଇଥିବା ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପାଇଛି ୬୯ ହଜାର ୪୯୫ ଖଣ୍ଡ ଭୋଟ ଅର୍ଥାତ ଗତ ସାଧାରଣ ନିର୍ବାଚନରୁ ୨୩ ହଜାର ୮୦୮ ଖଣ୍ଡ ଭୋଟ କମ ପାଇଛି। ସେହିପରି ବଜେପି ୭୬ ହଜାର ୫୨୬ ଖଣ୍ଡ ଭୋଟ ପାଇଥିବା ବେଳେ ଗତ ସାଧାରଣ ନିର୍ବାଚନରୁ ୩୪ ହଜାର ୫୪୮ ଖଣ୍ଡ ଅଧିକ ଭୋଟ ପାଇଛି। କଂଗ୍ରେସ ୨୩ ହଜାର ୮୧୧ ଖଣ୍ଡ ଭୋଟ ପାଇଥିବା ବେଳେ ଗତ ସାଧାରଣ ନିର୍ବାଚନରୁ ୧୧ ହଜାର ୯୩୮ ଖଣ୍ଡ କମ ଭୋଟ ପାଇଛି। ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିର ପଦ୍ମନାଭ ବେହେରା ୬୭ ହଜାର ୭୭୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଆନନ୍ଦ ବାରିକ ୩୬ ହଜାର ୪୮୪ ଖଣ୍ଡ ଏବଂ କଂଗ୍ରେସର କାର୍ତ୍ତିକ ପ୍ରସାଦ ତରିଆ ୩୪ ହଜାର ୫୮୯ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ବିଧାୟକ ପଦ୍ମନାଭ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆନନ୍ଦ ବାରିକଙ୍କ ଠାରୁ ୩୧ହଜାର୨୯୦ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପାଇଛି ୫୩ ହଜାର ୨୧୮ ଖଣ୍ଡ ଅର୍ଥାତ ଗତ ସାଧାରଣ ନିର୍ବାଚନରୁ ୧୪ ହଜାର ୫୫୯ ଖଣ୍ଡ ଭୋଟ କମ ପାଇଛି। ସେହିପରି ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ୮୩ ହଜାର ୭୯୬ ଖଣ୍ଡ ଭୋଟ ପାଇଥିବା ବେଳେ ଗତ ସାଧାରଣ ନିର୍ବାଚନରୁ ୪୭ ହଜାର ୩୧୨ ଖଣ୍ଡ ଅଧିକ ଭୋଟ ପାଇଛି।

କଂଗ୍ରେସ ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଇଛି ୧୧ ହଜାର ୫୭ ଖଣ୍ଡ ଭୋଟ ଅର୍ଥାତ ଗତ ସାଧାରଣ ନିର୍ବାଚନରୁ ୨୩ ହଜାର ୫୩୨ ଖଣ୍ଡ ଭୋଟ କମ୍‌ ପାଇଛି। ଗତ ସାଧାରଣ ନିର୍ବାଚନରୁ ବଜେଡି ୩୮ ହଜାର ୩୬୭ ଖଣ୍ଡ ଭୋଟ କମ ପାଇଥିବା ବେଳେ କଂଗ୍ରେସ ଦଳ ୩୫ ହଜାର ୪୭୦ ଖଣ୍ଡ ଭୋଟ କମ ପାଇଛି। ବର୍ତ୍ତମାନ ବୁଥ ସ୍ତରରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ସଭା ସମିତି କରୁଛି ଏବଂ ଜନସଧାରଣଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛି। ସେହିପରି ବିଜେଡି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛି।

କିନ୍ତୁ କଂଗ୍ରେସ ଗ୍ରାମାଂଚଳରେ ନିଜର ଶକ୍ତି ବୃଦ୍ଧି ପାଇଁ ସେମିତି ଠୋସ୍‌ କାର୍ଯ୍ୟକ୍ରମ ଗ୍ରହଣ କରି ନାହିଁ। ବର୍ତ୍ତମାନ ଜିଲ୍ଲାରେ ବିଜେଡି ନିଜର ପତିଆରା ବଜାୟ ରଖିବାକୁ ହେଲେ ସମସ୍ତ ରଣ କୌଶଳ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଉପରେ ନିର୍ଭର କରେ। ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ସଫଳତା ପାଇଛି ଏହାକୁ ନେଇ ସାଧାରଣ ନିର୍ବାଚନ ମଧ୍ୟ ପାର ହେବାକୁ ଦଳ ଆଶାବାନ୍ଧି ବସିଛି। ତେବେ ଏହି ଦଳରେ ଅନ୍ୟ ଦଳ ଅପେକ୍ଷା ବିଧାନସଭା ଟିକଟ ପାଇଁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଯାହାକୁ ନେଇ ଦଳରେ ଏବେ ଗୋଷ୍ଠୀ ବିବାଦ ମଧ୍ୟ ଦେଖାଦେଲାଣି। ବିଜେପି ଫୁଲୁଥିବା ବେଳେ ଏହି ଗୋଷ୍ଠୀ ବିବାଦ ଦଳ ପାଇଁ ବୁମେରାଂ ହେବ ବୋଲି ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର