ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନିଠାକୁର: ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା

ପୁରୀ: ରବିବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନିଠାକୁର। ମାଉସି ଘରେ ନଅ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର । ତିନ ଠାକୁରଙ୍କ ରଥକୁ ଶ୍ରଦ୍ଧାଳୁ ଛିପିଛିପି ବର୍ଷା ସତ୍ତ୍ୱେ ମହାଆନନ୍ଦରେ ଟାଣି ନେଉଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ହେବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ହୋଇଛି।

ଶେଷରେ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ର୍ରୀମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି। ତିନିଚାରି ଦିନ ଲଗାଣ ବର୍ଷା ହେତୁ ଶରଧାବାଲି ଓ ବଡ଼ ଦାଣ୍ଡରେ ପାଣି ଜମି ରହିଥିଲା। ରଥ ଟଣା କିପରି ହେବ ସେ ନେଇ ମନରେ ଯେଉଁ ସନ୍ଦେହ ଉଙ୍କି ମାରିଥିଲା, ମହାପ୍ରଭୁଙ୍କ କୃପାରୁ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ହୋଇ ଚାଲିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଶେଷ ହୋଇ ତିନି ଠାକୁରଙ୍କ ରଥ ଟାଣା ଆରମ୍ଭ ହୋଇଯାଇଛି। ଅପରାହ୍ନ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ହେଁ ପ୍ରାୟ ୨ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ରଥଟଣା। ତିନିଟି ରଥକୁ ବେଶ୍‌ ଶୃଙ୍ଖଳା ସହ ଶ୍ରଦ୍ଧାଳୁ ଟାଣିବାରେ ଲାଗିଛନ୍ତି। ଶଙ୍ଖ, ହୁଳହୁଳି, ଘଣ୍ଟା ଓ ଘଣ୍ଟାରେ କମ୍ପୁଛି ବଡଦାଣ୍ଡ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ ।

ସମ୍ବନ୍ଧିତ ଖବର