ତେଜିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ୧୨ ଦିନ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ, ୨୯ ଏବଂ ୩୦ରେ ମହାବନ୍ଦ

ସମ୍ବଲପୁର/ ଧନକଉଡ଼ା : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଓକିଲଙ୍କ  କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଗତ ସେପ୍ଟେଟର ୫ ତାରିଖରୁ ବିଚାର ବିଭାଗୀୟ ଅଦାଲତ ସମେତ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ, ଟ୍ରେଜେରି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ କରାଯାଇଛି। ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ନଭେମ୍ବର ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯିବ।  ତେବେ ଡାକ୍ତରଖାନା ଓ ସ୍କୁଲକୁ  ବନ୍ଦରୁ ବାଦ ଦିଅାଯାଇଛି।  ଏହାଛଡ଼ା ୨୯ ଏବଂ ୩୦ ତାରିଖ ଲଗାତାର ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ପାଳନ ହେବା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ଅାହ୍ନାନ ଦିଅାଯାଇଛି । ମହାବନ୍ଦ ସମୟରେ ଡାକ୍ତରଖାନା କାର୍ଯ୍ୟାଳୟ ଓ ସ୍କୁଲ୍ ବନ୍ଦ ରହିବ ବୋଲି କୁହାଯାଇଛି।

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ରଣନୀତି କଟାପାଲିସ୍ଥିତ ଏକ ହୋଟେଲରେ ସୋମବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ସିଏସି ଆବାହକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ନେଇ ରଣନୀତି ପ୍ରସ୍ତୁତ ହୋଇଛି।

ସେପଟେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ନିର୍ଦେଶକ ପଦରୁ ଡା.ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ଦାବି ନେଇ କନିଷ୍ଠ ଡାକ୍ତରମାନଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସେମାନଙ୍କ ୯୬ ଘଣ୍ଟାର ମହଲତ ମଧ୍ୟ ସରିବାକୁ ବସିଛି। ଗତକାଲି ଓ ଆଜି ସେମାନେ ଆଇପିଡି ଓ ଓପିଡି କାର୍ଯ୍ୟ ବର୍ଜନ କରିଥିଲେ। କେବଳ ଜରୁରୀକାଳୀନ ସେବାରେ ସହଯୋଗ କରିଥିଲେ। ମାତ୍ର ଦାବି ପୂରଣ ପାଇଁ ସେମାନେ ଦେଇଥିବା ସମୟସୀମା ସୋମବାରଠାରୁ ସରିଯାଉଥିବାରୁ ଜରୁରୀକାଳୀନ ସେବାରୁ ମଧ୍ୟ ସେମାନେ ବିରତ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର