ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି

କରଞ୍ଜିଆ-ବଡ଼ସାହି ବିଧାୟକ ମଧ୍ୟ କରୋନା ପାଇଁ ଆର୍ଥିକ ରାଶି ସହାୟତା ଦେଲେ

ବାରିପଦା: କରୋନା ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସେହିପରି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ମଧ୍ୟ ୩ ମାସର ଦରମାର ପ୍ରଦାନ କରିଛନ୍ତି। ମୋରଡା ବିଧାୟକ ରାଜ କିଶୋର ଦାସ ୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି।। ସୁଦାମ ମାର୍ଣ୍ଡିଙ୍କ ଶିକ୍ଷୟିତ୍ରୀ ପତ୍ନୀ ରଞ୍ଜିତା ସୋରେନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦେଇଛନ୍ତି। କରୋନା ମୁକାବିଲା ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ୫ ଲକ୍ଷ ଟଙ୍କା ଜିଲ୍ଲାପାଳ ବିନିତ ଭରଦ୍ୱାରଙ୍କୁ ପ୍ରଦାନ କରିଛନ୍ତି।

ମୟୂରଭଞ୍ଜରେ କରୋନା ମୁକାବିଲା ନିମନ୍ତେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଜ ସାଂସଦ ପାଣ୍ଠିରୁ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ସହିତ ଟେଲିଫୋନ୍‌ ଜରିଆରେ ଆଲୋଚନା କରି ସେ ଏହି ଅର୍ଥ ପ୍ରଦାନ କରିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୟୂରଭଞ୍ଜକୁ ନିଜର ନୋଡାଲ୍‌ ଜିଲ୍ଲାଭାବେ ଗ୍ରହଣ କରିଥିବା ସସ୍ମିତ ତାଙ୍କ ସାଂସଦ ପାଣ୍ଠିରୁ ଦେଇଥିବା ଅର୍ଥ ଜିଲ୍ଲାରେ କରୋନା ମୁକାବିଲାରେ ଖର୍ଚ୍ଚ ହେବାନେଇ କହିଛନ୍ତି। ମୟୂରଭଞ୍ଜ ଏକ ଆଦିବାସୀବହୁଳ ଜିଲ୍ଲା ହୋଇଥିବା ବେଳେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ମଧ୍ୟ ଏହା ସଂଯୁକ୍ତ। ତେଣୁ ଏହି ଜିଲ୍ଲାରେ ସେ ଦେଇଥିବା ଅର୍ଥ ଜରୁରୀ ବୋଲି ଟୁଇଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର