ପଥର ଖାଦାନ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ, ୧୦ ଗିରଫ

ତରଭା: ତରଭା ତହସିଲ ଅନ୍ତର୍ଗତ ନକଟିକନା ମୌଜାରେ ଥିବା ଟୁନ୍‌କୀ ପଥର କ୍ୱାରିରୁ ପଥର ନେବା ବନ୍ଦ କରିବା ଦାବିରେ ରାସ୍ତାରୋକ ଚଳାଇଥିବା ଗ୍ରାମବାସୀ ଗୋଟିଏ ଟାଟା ଟିପର୍‌କୁ ଟେକା ମାଡ଼ କରି କାଚ ଭାଙ୍ଗି ଦେବା ସହ ଡ୍ରାଇଭରକୁ ଗାଳି ଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ତରଭା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ, ନକଟିକନା ମୌଜା ପ୍ଲଟ ନଂ. ୮୩୦, ଖାତା ନମ୍ବର ୧୫୧, କିସମ ପତିତ, ଏରିଆ ୧୧ ଏକର ୩୩୦ ଡିସିମିଲ ଟୁନ୍‌କୀ ଡୁଙ୍ଗୁରି ପଥର କ୍ୱାରିକୁ ସଂଗ୍ରାମ ମିଶ୍ର ୨୦.୬.୨୦୧୬ରେ ଲିଜ୍‌ ନେଇଛନ୍ତି। ନକଟିକନା ଗାଁରୁ ପ୍ରାୟ ୧ କିମି ଦୂରରେ ଏହି ପଥର ଖାଦାନ ରହିଥିବା ବେଳେ ବ୍ଲାଷ୍ଟିଂ କରାଯାଉଥିବାରୁ ଲୋକଙ୍କ ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ଏହାଛଡ଼ା ପରିବେଶ ପ୍ରଦୂଷିତ ହେଉଛି। ଏନେଇ ଗ୍ରାମବାସୀ ୨୯.୯.୨୦୧୭ରେ ସୋନପୁର ଜିଲ୍ଲାପାଳ, ସବ୍‌କଲେକ୍ଟର, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ତରଭା ତହସିଲଦାର, ବିଡିଓ, ପୁଲିସ ଥାନା ଓ ସ୍ଥାନୀୟ ସରପଞ୍ଚଙ୍କଠାରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଏହି ଖାଦାନରୁ ପଥର ଉତ୍ତୋଳନ ହୋଇପାରୁ ନଥିଲା। ପୁଲିସ ଏ ସଂପର୍କରେ ୩୩ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବୁଧବାର ପୂର୍ବାହ୍ନ ୮ଟା ସମୟରେ ତରଭା ପୁଲିସ ଓ ୧ ପ୍ଲାଟୁନ ଆଇଆରବିଏନ୍‌ ଫୋର୍ସ ଉପସ୍ଥିତିରେ ସଂଗ୍ରାମ ମିଶ୍ର ଖାଦାନାରୁ ପଥର ନେଉଥିଲେ। ଏହା ଜାଣିପାରି ଉକ୍ତ ଗାଁର ପ୍ରାୟ ୨ ଶହ ପୁରୁଷ ଓ ମହିଳା ଖାଦାନ ନକିଟକୁ ଆସି ରାସ୍ତାରୋକ କରିଥିଲେ।

ଏପରିକି ପଥର ନେଉଥିବା ଟ୍ରାକ୍ଟରକୁ ଅଟକାଇ ଥିଲେ। ରାସ୍ତାରୋକ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଅପରାହ୍ନ ୪ଟା ସମୟରେ ଗରମ ହେବାରୁ ପୁଲିସ ଗ୍ରାମବାସୀଙ୍କୁ ଘଉଡ଼ାଇ ଦେଇଥିଲା। ଫଳରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଗାଁର ଛନ୍ଦାଚରଣ ଷାଣ୍ଢ, ମନୋଜ ଛତ୍ରି୍ରଆ, ନିମାଇଁ ଛତ୍ରିଆଙ୍କୁ ମାଡ଼ ମାରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ। ଟିପରର ଡ୍ରାଇଭର ଦୀନବନ୍ଧୁ ନାୟକ (୪୦)ଙ୍କ ଲିଖିତ ଏତଲାକୁ ଭିତ୍ତି କରି ପୁଲିସ ଭଜମନ କୁଅଁର (୨୨), ବିକାଶ ଚନ୍ଦ୍ର ମିଶ୍ର (୨୫), ଧର୍ମେନ୍ଦ୍ର ବଗର୍ତ୍ତି (୨୨), ମଦନ ଛତ୍ରିଆ (୪୧), ପାନେଶ୍ୱର ବଗର୍ତ୍ତି (୨୨), ଚୈତନ୍ୟ ସୁନା (୨୨), ବୈବସୁତ ଭୋଇ (୨୩), ରୋହିତ ପୋଢ଼ (୩୦), ଶ୍ରୀମନ୍ତ ମିଶ୍ର (୪୫), ଦୁଃଶାସନ ସୁନା (୨୫)ଙ୍କୁ ଗିରଫ କରିଛି। ଏନେଇ ତରଭା ଥାନାରେ ମାମଲା ରୁଜୁ ହୋଇଛି। କମସରା ଫାଣ୍ଡି ଅଧିକାରୀ ଅବନୀକାନ୍ତ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ଏନେଇ ତରଭା ତହସିଲଦାର ପ୍ରସନ୍ନ ପାଣ୍ଡେଙ୍କୁ ପଚାରିବାରୁ, ଟୁନ୍‌କୀ ଡୁଙ୍ଗୁରି ପଥର ଖାଦାନ ଲିଜ ଦିଆଯାଇଛି। ଏହି ଖଦାନ ଲିଜ୍‌ ବାତିଲ କରିବାକୁ ଗ୍ରାମବାସୀ ମତେ କହିଥିଲେ। ଏହା ମୋର କ୍ଷମତା ବାହାରେ, ଏଣୁ ଆପଣମାନେ କୋର୍ଟକୁ ଯାଆନ୍ତୁ ବୋଲି କହିଥିଲେ। ପୁଲିସର ଲାଠି ମାଡ଼ ସଂପର୍କରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ଓ ଆଇଆଇସି ସୁରୁବାବୁ ଛତ୍ରିଆଙ୍କୁ ପଚାରିବାରୁ ଲାଠିମାଡ଼ ହୋଇ ନାହିଁ ବୋଲି କହିଥିଲେ। ସନ୍ଧ୍ୟାରେ ୭୦-୮୦ ଜଣ ପୁରୁଷ ଓ ମହିଳା ତରଭା ଥାନା ସମ୍ମୁଖରେ ଜମା ହୋଇଥିଲେ। ପୁଲିସ ଧରି ଆଣିଥିବା ୧୦ ଜଣଙ୍କୁ ନଛାଡ଼ିଲେ ଏଠାରୁ ଯିବୁ ନାହିଁ ବୋଲି ଗାଁର ସୁକାନ୍ତ ମିଶ୍ର ଓ ଅନ୍ୟମାନେ କହୁଥିଲେ। ଅନ୍ୟପକ୍ଷେ ପୁଲିସ କାର୍ଯ୍ୟାନୁଷ୍ଠାନ ସମୟରେ କିଛି ମହିଳା ଆହତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର