ହକ୍‌ ପାଇଁ ଆନ୍ଦୋଳନ:ଅଙ୍ଗନବାଡ଼ି ଓ ମନରେଗା ଠପ୍‌

ଶିଶୁ ଓ ମା’ ପ୍ରଭାବିତ: ଦେଖାଦେଲାଣି କାମ ନପାଇବାର ଆଶଙ୍କା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା। ସବୁଦିନ ଏଠି କିଛିନା କିଛି ଆନ୍ଦୋଳନ, ବିକ୍ଷୋଭ। ବିଭିନ୍ନ ବର୍ଗର ଲୋକେ ହକ୍‌, ଦାବି ରଖି ରାସ୍ତାକୁ ଓହ୍ଲାନ୍ତି। କିନ୍ତୁ ଗଲା କିଛି ଦିନ ହେବ ଜିଲ୍ଲାରେ ଅଙ୍ଗନବାଡି କର୍ମଚାରୀମାନେ ଜାରି ରଖିଛନ୍ତି ଆନ୍ଦୋଳନ। ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସରକାରୀ ଭାବେ ଦେଖାରେଖା କରୁଥିବା ବାବୁ/ବାବୁଆଣିମାନେ ବି ଆନ୍ଦୋଳନକୁ ଆଧାର କରିଛନ୍ତି। ଜିଲ୍ଲାର ସ୍ଥିତି ଦେଖିଲେ ଉଭୟ ଅଙ୍ଗନବାଡି ଓ ମନରେଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏମାନଙ୍କ ଆନ୍ଦୋଳନ ଏବେ ସମସ୍ୟାର କାରଣ।
କାମ ନାହିଁ। ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛୁ। ରାଜ୍ୟ ବାହାରକୁ କାମ କରି ଯାଉଥିବା ଲୋକଙ୍କ ପ୍ରତିକ୍ର୍ରିୟା ସବୁବେଳେ ଏମିତି। ତେଣୁ ପଛୁଆ ଜିଲ୍ଲାର ଅପବାଦ ସବୁବେଳେ ବଲାଙ୍ଗୀର ଜିଲ୍ଲା ମୁଣ୍ଡରେ। କିନ୍ତୁ କେନ୍ଦ୍ରରେ ଥିବା ୟୁପିଏ ସରକାର ନିଶ୍ଚିତ କର୍ମ ନିଯୁକ୍ତି ଭଳି ଯୋଜନା ଆରମ୍ଭ କଲେ ଦଶ ବର୍ଷ ପୂର୍ବେ।

ଦାଦନ ଯାଉଥିବା ଲୋକେ ମନରେଗା ଯୋଜନାରେ କାମ କରିବାକୁ ଆହ୍ଵାନ ଦିଆଗଲା ଜିଲ୍ଲାରେ। ପୂର୍ବ ତୁଳନାରେ ଅନେକାଂଶରେ ଦାଦନ ସଂଖ୍ୟା କମିଛି। ଲୋକେ କାମ ପାଉଛନ୍ତି। ପ୍ରଥମେ ଲୋକଙ୍କୁ ଶହେ ଦିନ ଓ ପରେ ଦୁଇ ଶହ ଦିନର କାମ ଦିଆଯାଉଛି ସରକାୀ ଭାବେ। ପରିଂସଖ୍ୟାନ ଦୃଷ୍ଟିରୁ ଦେଖିଲେ ମନରେଗାରେ ଲୋକେ କାମ ପାଉ ନଥିବା, ଦୁର୍ନୀତି ହେଉଥିବା ଭଳି ନାନାଦି ଅଭିଯୋଗ ବି ରହିଛି। ଏସବୁ ଅଭିଯୋଗ ଅପେକ୍ଷା ଜିଲ୍ଲାର ସିଂହଭାଗ ଲୋକ ଯୋଜନାର ଲାଭ ତ ପାଉଛନ୍ତି ବୋଲି ସ୍ୱିକାର କରିବାକୁ ହେବ। ତେବେ କିଛି ମାସ ହେଲା ଲୋକେ କାମ କରି ମନରେଗା ଯୋଜନାରେ ପାଉଣା ପାଉ ନଥିବା ଭଳି ସାଂଘାତିକ ଅଭିଯୋଗ କରିଆସୁଛନ୍ତି।

ଏଥିସହିତ ସେମାନେ କାମ ନକରିବାକୁ ଚାହୁଁଥିବା ବିଭିନ୍ନ କର୍ମଶାଳାରେ ମତପ୍ରକାଶ ପାଇଛି ଅନେକ ଥର। ହେଲେ ଏବେ ସମସ୍ୟା ହେଉଛି ଯେ, ମନରେଗା କାମକୁ ପରିଚାଳନା କରୁଥିବା ବାବୁ/ବାବୁଆଣିମାନେ ହକ୍‌ ଦାବି କଲେଣି। ଏଥିପାଇଁ ମିଳିତ ଲଢେଇ ଆରମ୍ଭ କରିବା ସହ ସେମାନଙ୍କୁ ସରକାରୀ ମାନ୍ୟତା ସହ ୧୪ଦଫା ଦାବି ଉଠାଇଲେଣି। ପୂର୍ବରୁ ଆନ୍ଦୋଳନ ଜରିଆରେ ସରକାରଙ୍କୁ ଚେତାଇବାକୁ ଚେଷ୍ଟା କରିଥିଲେ। ଆଉ ଅକ୍ଟୋବର ଦୁଇ ତାରିଖରୁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଆରମ୍ଭ ହୋଇଛି। ଏହାଦ୍ୱାରା ଜିଲ୍ଲାରେ ମନରେଗା ବ୍ୟବସ୍ଥା ଏକପ୍ରକାର ଠପ୍‌।
ପଛୁଆ ବଲାଙ୍ଗୀର ଜିଲ୍ଲା ଏକଦା ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁହାରରେ ଦେଶରେ ୧ ନମ୍ବର ବୋଲି ଏକ ସର୍ଭେରୁ ଜଣାପଡିଥିଲା। ତେରୁ ମା ଓ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ ଅଙ୍ଗନବାଡିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସମନ୍ଵିତ ଶିଶୁ ବିକାଶ ଜରିଆରେ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ଅନେକ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶିଶୁମାନଙ୍କୁ ଛତୁଆ, ଅଣ୍ଡା ସହ ରନ୍ଧା ଖାଦ୍ୟ, ପାଠ ପଢାଇବା ଅଙ୍ଗନବାଡି କେନ୍ଦ୍ରର କର୍ମଚାରୀ ଓ ସହାୟିକାମାନେ କରୁଛନ୍ତି। ଏଥିସହିତ ପ୍ରସବ ମା’ଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ବି ଦେଉଛନ୍ତି। ଏତିକି କାମରେ ସେମାନେ ସୀମିତ ନୁହନ୍ତି। ସରକାରଙ୍କ ଅନ୍ୟାନ୍ୟ କାମରେ ବି ସେମାନଙ୍କୁ ନିୟୋଜିତ କରାଯାଉଛି।

ତୃଣମୂଳସ୍ତରରେ ସେମାନେ ସରକାରଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି। ହେଲେ ସେମାନଙ୍କୁ ଦୀର୍ଘ ଦିନରୁ ସରକାରୀ ମାନ୍ୟତା କି ସମ୍ମାନ ବି ମିଳୁନି। ଦରମା ସେମାନଙ୍କ କାମ ଅନୁସାରେ କମ୍‌ ବୋଲି ଅଭିଯୋଗ ଆଣିଛନ୍ତି। ଗଲା ୨୨ ଦିନ ହେଲା ଅଲ୍‌ ଓଡ଼ିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କସ୍‌ ୟୁନିଅନ୍‌ର ସଦସ୍ୟତା ନେଇଥିବା ଅଙ୍ଗନବାଡି ଦିଦି, ସହାୟିକାମାନେ ଭୁବନେଶ୍ୱରର ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନ ଚଳାଇଛନ୍ତି। ଆଉ ଏହାର ସିଧାସଳଖ ପ୍ରଭାବ ଅଙ୍ଗନବାଡି କେନ୍ଦ୍ରରେ ପଡୁଛି। କେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ସହାୟତାରୁ ବଞ୍ଚିତ।
ହକ୍‌ର ଲଢେଇରେ ମନରେଗା ଓ ଅଙ୍ଗନବାଡି କର୍ମଚାରୀ। ଲୋକେ କାମ ଚାହୁଁଥିବା ବେଳେ ମନରେଗା ବାବୁମାନେ ଆନ୍ଦୋଳନରେ। ଆଉ ଅଣ୍ଡା, ଛତୁଆ ତଥା ପାଠ ପଢିବାର ସୁଯୋଗ ପାଉଥିବା ପିଲାମାନେ ଅଙ୍ଗନବାଡି ଆନ୍ଦୋଳନ ଯୋଗୁଁ ଏଣେତେଣେ ଘୁରି ବୁଲୁଛନ୍ତି। ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗୀର ଭଳି ଜିଲ୍ଲା ଏହାଦ୍ୱାରା ଢେର ପ୍ରଭାବିତ।

ସମ୍ବନ୍ଧିତ ଖବର