ପ୍ରତିବାଦରେ ତୁଷରା ବନ୍ଦ

‘ରୁର୍ବାନ ମିସନ’ ତାଲିକାରୁ ହଜିଗଲା ନାଁ

ଗୁଡ଼ଭେଲା: ଗତ ବର୍ଷ ଅଗଷ୍ଟ ମାସରେ ‘ରୁର୍ବାନ ମିସନ’ରେ ତୁଷରାକୁ ସାମିଲ କରାଯାଇଥିଲା। ମାତ୍ର ପରବର୍ତ୍ତି ସମୟରେ ତୁଷରାକୁ ତାଲିକାରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ତୁଷରା ପରିବର୍ତ୍ତେ ବଲାଙ୍ଗୀର ନିକଟବର୍ତ୍ତୀ ଶବତଲାକୁ ତାଲିକାଭୁକ୍ତ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ୧୨ ଘଣ୍ଟିଆ ତୁଷରା ବନ୍ଦ ଡାକରା ଦିଆଯାଇଥିଲା। ଶୁକ୍ରବାର ସାପ୍ତାହିକ ହାଟ ଥିବାରୁ ଦୋକାନ ବଜାରକୁ ବନ୍ଦର ପରିସରଭୁକ୍ତ କରାଯାଇ ନ ଥିଲା। କେବଳ ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସହ ଯାତ୍ରୀବାହୀ ଯାନ ଓ ଭାରିଯାନ ଚଳାଚଳ ବନ୍ଦ ରହିଥିଲା। ଆଜିର ବନ୍ଦ ପାଳନରେ ନିରୋଦ ନାଗ, ଶରତ ଚନ୍ଦ୍ର ସାହୁ, ଦେବବ୍ରତ ପାଣିଗ୍ରାହୀ, ପପୁ ଜୟସ୍ୱାଲ, ପ୍ରମୋଦ ନନ୍ଦ, ଭକ୍ତବନ୍ଧୁ ଭୋଇ, ସୁମନ ମାଝୀ, ବ୍ରହ୍ମାନନ୍ଦ ପାଣ୍ଡିଆ, ଅବିନାଶ ସାହୁ, ରମାକାନ୍ତ ମହାପାତ୍ର, ରାଜା ବଗର୍ତ୍ତି, ରାଜ କିଶୋର ମେହେର, ସରୋଜ ବେହେରା, ଶିବୁନ ବଡ଼ପଣ୍ଡା, ପ୍ରକାଶ ନାଗ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଗତବର୍ଷ ଅଗଷ୍ଟ ୧୬ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରୁର୍ବାନ ମିସନର ରାଜ୍ୟସ୍ତରୀୟ କ୍ଷମତା ସଂପନ୍ନ କମିଟି ନୂତନ ଭାବରେ ସୁପାରିଶ କରିଥିବା ୫ଟି ଅଞ୍ଚଳ ମଧ୍ୟରେ ତୁଷରାର ନାମ ରହିଥିଲା । ତୁଷରାକୁ କ୍ଲଷ୍ଟର ଭାବରେ ଗ୍ରହଣ କରି ଏହାର ୭ କିମି ପରିମିତ ଅଞ୍ଚଳକୁ ସାମିଲ କରାଯାଇଥିଲା। ପରିସୀମା ମଧ୍ୟରେ ଥିବା ଗ୍ରାମଗୁଡ଼ିକରେ ରାଜ୍ୟ ସରକାରଙ୍କ ୭୦ ଶତାଂଶ ଓ କେନ୍ଦ୍ର ସରକାରଙ୍କ ୩୦ ଶତାଂଶ ଅନୁଦାନରେ ଏକ ଶହ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ଥିଲା। ଏହି ଯୋଜନାରେ ଉକ୍ତ ଅଞ୍ଚଳର ଗମନାଗମନ, ଡିଜିଟାଲ ଯୋଗାଯୋଗ, ପାଇପ ଜଳ ଯୋଗାଣ, ରୋଜଗାର ସୁଯୋଗ ଭିତ୍ତିକ ଅର୍ଥନୈତିକ କାର୍ଯ୍ୟକ୍ରମ, ନିରନ୍ତର ବିଦ୍ୟୁତ ଯୋଗାଣ, ଜଳ ସେଚନ ତଥା ଉନ୍ନତମାନର ସ୍ୱାସ୍ଥ୍ୟ ସେବା କାର୍ଯ୍ୟକାରୀ ହୋଇଥା’ନ୍ତା । ତେବେ ବର୍ତ୍ତମାନ ‘ରୁର୍ବାନ ମିସନ’ ତାଲିକାରରେ ତୁଷରା ନାମ ପରିବର୍ତ୍ତେ ଶିବତଲାର ନାମ ରହିଛି । ଏଥି ପାଇଁ ଅର୍ଥ ମଞ୍ଜୁର ମଧ୍ୟ ହୋଇଥିବା ଜଣାଯାଇଛି। ତୁଷରା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ କିଛି ଦିନ ଧରି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର