ଶିକ୍ଷକ ବଦଳି ପ୍ରତିବାଦରେ ଭଦ୍ରକ ଜିଲ୍ଲା ସ୍କୁଲରେ ଛାତ୍ର ଆନ୍ଦୋଳନ

ଭଦ୍ରକ: ଭଦ୍ରକ ଜିଲ୍ଲାସ୍କୁଲରେ ଏକ କାଳୀନ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପ୍ରତିବାଦରେ ଶନିବାର ସ୍କୁଲ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଆମ ସାରଙ୍କୁ ଆମ ସ୍କୁଲକୁ ଫେରାଇ ଆଣ ନାରା ଦେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସାର୍‌ ସ୍କୁଲକୁ ନଫେରିବା ପର୍ଯ୍ୟନ୍ତ ଆମେ କ୍ଲାସକୁ ଯିବୁ ନାହିଁ ବୋଲି ଅଡିବସିଥିଲେ।

ସୂଚନାରୁ ପ୍ରକାଶ ଯେ, ଗତ ୫ ତାରିଖରେ ଜିଲ୍ଲା ସ୍କୁଲର ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା କିନ୍ତୁ ଏହି ବଦଳିକୁ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହି ବଦଳି ୩ ଶିକ୍ଷକଙ୍କୁ ଜିଲ୍ଲା ସ୍କୁଲକୁ ଫେରାଇ ଆଣିବାକୁ ନେଇ ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାବିକରିଥିଲେ। ମାତ୍ର ଏହାର ସୁଫଳ ସେମାନଙ୍କୁ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଆଗରେ ଆନ୍ଦୋଳନ କରିଥିଲେ।

ପୂର୍ବରୁ ଏଇ ୩ ଜଣ ଶିକ୍ଷକ ଏଇ ସ୍କୁଲର ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯାତନ ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଇ ଘଟଣାକୁ ନେଇ ଭଦ୍ରକ ଟାଉନ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା। ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରିକରିବା ସହ ସେମାନଙ୍କୁ ଅନ୍ୟତ୍ର ବଦଳି ଆଦେଶ ଦେଇଥିଲେ।

ଭଦ୍ରକ ଜିଲ୍ଲାସ୍କୁଲ ପରି ଏକ ପ୍ରମୁଖ ସ୍କୁଲରୁ ଏକ ସମୟରେ ୩ ଜଣ ଶିକ୍ଷକ ବଦଳି ହୋଇଯିବା ଘଟଣା ସ୍କୁଲର ଶୈକ୍ଷିକ ବାତାବରଣକୁ ବାଧାପ୍ରାପ୍ତ କରିବା ନିଶ୍ଚିତ ହୋଇଛି। ତିନି ଶିକ୍ଷକଙ୍କ ବଦଳି ବାତିଲ କରି ସେମାନଙ୍କୁ ପୁର୍ନବାର ଭଦ୍ରକ ଜିଲ୍ଲା ସ୍କୁଲକୁ ଫେରାଇ ଆଣିବା ପାଇଁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଭିନ୍ନ ମୋଡ ନେଇଛି। ଆଗକୁ ପରିସ୍ଥିତି କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର