ରାଉରକେଲା(ମଳୟ ରଂଜନ ସାହୁ): ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଆଜି ରାଉରକେଲା ଫେରିଛନ୍ତି କୋଟାରେ ଫସି ରହିଥିବା ୧୧୬ ଛାତ୍ରଛାତ୍ରୀ। ଲକ୍ଡାଉନ୍ ପରେ ଦେଢ଼ମାସ ହଷ୍ଟେଲର ଅସୁବିଧା ଓ ୫୨ ଘଣ୍ଟାର କଷ୍ଟଦାୟକ ବସ୍ଯାତ୍ରା ସଂକ୍ରାନ୍ତରେ କିଛି ଛାତ୍ରଛାତ୍ରୀ ‘ସମ୍ବାଦ’କୁ ନିଜର ଅନୁଭୂତି ବଖାଣିଛନ୍ତି। କହିଛନ୍ତି, ଏଭଳି ଦୁଃଖ, ସମସ୍ୟା ସବୁଦିନ ମନେ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
‘‘କୋଟାରେ ଇଞ୍ଜିନିୟର ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲି। ଲକ୍ଡାଉନ୍ ପରେ କୋଚିଂ ଇନ୍ଷ୍ଟିଚ୍ୟୁଟ୍କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ଇନଷ୍ଟିଚ୍ୟୁଟ୍ରେ ହେଉଥିବା ସମସ୍ତ ପରୀକ୍ଷା ବାତିଲ ହୋଇଥିଲା। ମୁଁ ରହୁଥିବା ଗୋମତି ରେଜିଡେନ୍ସିରେ ୭୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୧ ଜଣ ରହୁଥିଲୁ। କରୋନା ଭୂତାଣୁ ସଂକ୍ରମଣ ଭୟ ଥିବାରୁ ଆଦୌ ପଦାକୁ ବାହାରୁ ନଥିଲୁ। ଦିନକୁ ମାତ୍ର ଗୋଟିଏ ଓଳି ଖାଇବାକୁ ମିଳୁଥିଲା। ହଷ୍ଟେଲ ପକ୍ଷରୁ ଯେଉଁ ଖାଦ୍ୟ ମିଳୁ ନଥିଲା, ତାହା ଆଦୌ ଠିକ୍ ନଥିଲା। ଘରକୁ ଯିବା ପାଇଁ ଭିଡିଓ ମାଧ୍ୟମରେ ଆମେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗୁହାରି ଜଣାଇଥିଲୁ। ଏପରିକି ଏଠାରୁ ନେଇଯିବାକୁ ଦିନକୁ ୧୦ରୁ ୧୨ ଥର ଘରକୁ ଫୋନ୍ କରୁଥିଲି। ଅନୁମତି ମିଳିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ତଥାପି କେମିତି ଘରେ ପହଞ୍ଚିବି ସେହି ଚିନ୍ତାରେ ଭାଙ୍ଗି ପଡିଥିଲି। ଗୁରୁବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ବସ୍ରେ ଚଢ଼ିଲୁ। ବସ୍ ମଧ୍ୟପ୍ରଦେଶ, ଉତ୍ତରପଦେଶ ପରେ ବିଳାସପୁର, ରାଗଗଡ, ଝାସରଗୁଡା, ସୁନ୍ଦରଗଡ ଦେଇ ସକାଳ ପ୍ରାୟ ସାଢ଼େ ୭ଟାରେ ରାଉରକେଲାରେ ପହଞ୍ଚିଲଉ। କୋଟାରୁ ରାଉରକେଲାରେ ପହଞ୍ଚିବାକୁ ଆମକୁ ପ୍ରାୟ ୫୨ ଘଣ୍ଟା ସମୟ ଲାଗିଥିଲା। ଆସିବାର ପ୍ରଥମ ଦିନ ଅର୍ଥାତ୍ ଗୁରୁବାର ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଦିନକର ଖାଇବା ପ୍ୟାକେଟ୍ କରି ଦିଆଯାଇଥିଲା। ପର ଦିନ ଅର୍ଥାତ୍ ଶୁକ୍ରବାର ଦିନ ତମାମ ସେମିତି ଭୋକ ଉପାସରେ ବସରେ ବସିଥିଲୁ। ବିଳାସପୁରରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଥିଲା। କିନ୍ତୁ ବିଳାସପୁରରେ ପହଞ୍ଚିବା ବେଳକୁ ରାତି ପ୍ରାୟ ସାଢ଼େ ୯ଟା ହୋଇଥିଲା। ଦିନର ହୋଇଥିବା ଖାଦ୍ୟକୁ ରାତିରେ ଖାଇଲୁ। ସହାୟତା ପାଇଁ ଗଣମାଧ୍ୟମ ଓ ସରକାରଙ୍କ ପାଖରେ ଚିର ଋଣୀ। ସେମାନଙ୍କ ପାଇଁ ଆମେ ରାଉରକେଲାରେ ପହଞ୍ଚିବାରେ ସକ୍ଷମ ହୋଇ ପାରିଲୁ।’’
-ସଞ୍ଜିପ କୁମାର ପାତ୍ର
‘‘ମୋ ଆଈଙ୍କ ସହ ଲ୍ୟାଣ୍ଡମାର୍କ ସିଟିରେ ରହି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲି। ଆଈ ରୋଷେଇ କରୁଥିଲେ, ମୁଁ ଖାଉଥିଲି। କୋଟା ହଟସ୍ପଟ ଏରିଆ ଘୋଷଣା ପରେ ସଂକ୍ରମଣ ଭୟ ଥିଲା। ଆଈଙ୍କ ପାଇଁ ବେଶି ଚିନ୍ତାରେ ପଡିଯାଇଥିଲି। ଖାଦ୍ୟ ସରିଯିବ ଭାବି ଦିନକୁ ମାତ୍ର ଦୁଇଓଳି ଖାଉଥିଲୁ। ଆଈଙ୍କୁ ନେଇ କେମିତି ଘରେ ପହଞ୍ଚି ସେହି ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି। ବସ୍ରେ ଯିବାକୁ ଅନୁମତି ମିଳିବା ପରେ ମୁଁ ଓ ଆଈ ବେଶ୍ ଖୁସି ହୋଇ ଯାଇଥିଲୁ। ପ୍ରଥମ ଦିନ ବସ୍ରେ ଚଢ଼ିବା ପୂର୍ବରୁ ଆଲେନ୍ ପକ୍ଷରୁ ଗୋଟିଏ ଦିନର ଖାଇବା ପ୍ୟାକେଟ୍ ଦେଇ ଦେଇଥିଲେ। କିନ୍ତୁ ଶୁକ୍ରବାର ଖାଇବାରେ ଅସୁବିଧା ହୋଇଥିଲା। ୫୨ ଘଣ୍ଟାରୁ ଅଧିକ ସମୟ ବସ୍ଯାତ୍ରା ଥିଲେ ହେଁ ଘରେ ପହଞ୍ଚିବା ଖୁସିରେ କଷ୍ଟ ଭୁଲି ଯାଇଥିଲି। ବାଟରେ ପ୍ରାୟ ପ୍ରତ୍ୟେକ ଚେକ୍ଗେଟ୍ରେ ବସ୍ଗୁଡ଼ିକୁ କଡାକଡି ଯାଞ୍ଚ କରାଯାଉଥିଲା। କୋଟାରୁ ରାଉରକେଲା ମଧ୍ୟରେ ପ୍ରାୟ ୧୫ରୁ ଅଧିକ ଥର ବସ୍କୁ ଯାଞ୍ଚ କରାଯାଇଛି। ଛତିଶଗଡ ଓଡ଼ିଶା ସୀମାରେ ମୁତୟନ ପୁଲିସ ବସ୍କୁ ଦେଢ଼ଘଣ୍ଟା ଅଟକାଇ ଦେଇଥିଲେ। ଏହି ଅନୁଭୂତି ମୋର ସବୁଦିନ ପାଇଁ ମନେ ରହିବ।’’
-ପ୍ରତୀକ୍ଷା ସାମଲ
‘‘ମେଡିକାଲ କୋଚିଂ ନେଉଥିଲି। ସଂକଳ୍ପ ବଏଜ୍ ରେସିଡେନ୍ସିରେ ଅନ୍ୟ ସହପାଠୀଙ୍କ ସହ ରହୁଥିଲି। ଲକ୍ଡାଉନ୍ ପର ଦିନ ଅଧିକାଂଶ ପିଲା ଘରକୁ ଚାଲି ଯାଇଥିଲେ। ଆମକୁ ବାହାକୁ ଯିବାକୁ ଦିଆଯାଉ ନଥିଲା। ହଷ୍ଟେଲରେ ଯାହା କିଛି ଖାଦ୍ୟ ମହଜୁତ ଥିଲା, ତାକୁ ଖାଉଥିଲୁ। ଜଣେ ମାତ୍ର ରୋଷେୟା ଆମକୁ ରୋଷେଇ କରି ଦେଉଥିଲେ। ଦିନକୁ ଦୁଇଓଳି କେବଳ ଝୋଳ ଖାଇବାକୁ ପଡୁଥିଲା। ଲକ୍ଡାଉନ୍ ପୂର୍ବରୁ ରେସିଡେନ୍ସିରେ ୬୪ ଛାତ୍ର ରହୁଥିଲୁ। ଲକ୍ଡାଉନ୍ ପରେ ମାତ୍ର ୩ ଜଣ ଥିଲୁ। ସଂକ୍ରମଣ ଭୟ ଆମେ ଆତଙ୍କିତ ହୋଇ ପଡିଥିଲୁ। ଘରକୁ ଯିବା ପାଇଁ ଅନୁମତି ମିଳିବା ପରେ ଭୟ ଦୂର ହୋଇଥିଲା। ପ୍ରଥମ ଦିନ ଅର୍ଥାତ୍ ଗୁରୁବାର କେବଳ ଜଳଖିଆ ପୁରି ଖାଇ ବସ୍ରେ ବସିଥିଲୁ। ରାତିରେ ବାଟରେ କିଛି ନ ମିଳିବାରୁ ଓପାସରେ ରହିଲୁ। ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ତମାମ ସେମିତି ଉପାସ ରହିବାକୁ ପଡିଥିଲା। ଘର ପହଞ୍ଚିବାରେ ଚିନ୍ତା ଏତେ ଥିଲା ଯେ ଭୋକଶୋଷ ଭୁଲି ଯାଇଥିଲୁ। କିନ୍ତୁ ବସ୍ ଡ୍ରାଇଭର ଭୁଲ୍ ବାଟରେ ଚାଲି ଯାଉଥିବାରୁ ପହଞ୍ଚିବାରେ ବିଳମ୍ବ ହେଲା। ପରେ ଆମେ ଡ୍ରାଇଭରଙ୍କୁ ଗୁଗୁଲି ମ୍ୟାପ୍ ଦେଖାଇ ପରେ ଠିକ୍ ବାଟରେ ଆସିଲୁ। ଘରେ ପହଞ୍ଚିବାରେ ଆମେ ଶାନ୍ତିରେ ନିଶ୍ବାସ ମାରି ପାରିଛୁ। ଦୀର୍ଘ ସମୟର ଏହି କଠିନ୍ ବସ୍ ଯାତ୍ରା ସବୁ ଦିନ ପାଇଁ ମୋର ମନେ ରହିବ।’’
-ସବ୍ୟସାଚୀ ବେହେରା
‘‘ରାଉରକେଲା କିଛି ସହପାଠୀଙ୍କ ସହ କୋଟାରେ ଇଞ୍ଜିନିୟରିଂ କୋଚିଂ ନେଉଥିଲି। ଲକ୍ଡାଉନ୍ ପରେ ଆମର କୋଚିଂ ସେଣ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଦୋକାନ ବଜାର ବନ୍ଦ ହେବା ଯୋଗୁ ଖାଇବାରେ ଅସୁବିଧା ହେଉଥିଲା। ଆମେ ରହୁଥିବା ରେସିଡେନ୍ସିରୁ ୮୦% ଛାତ୍ର ଚାଲିଯିବା ପରେ ଆମକୁ ବହୁତ ଭୟ ଲାଗୁଥିଲା। ଭୋକ ଉପାସରେ ଦୁଃଖକଷ୍ଟର ପ୍ରାୟ ଦେଢ଼ମାସ ଜୀବନ ଅତିବାହିତ କରିଥିଲୁ। ଶେଷରେ ଆମେ ରାଉରକେଲା ମାଟିରେ ପାଦ ଦେଇଥିବା ରୁ ବହୁତ ଖୁସି ଲାଗୁଛି। ଓଡ଼ିଶାର ସରକାର ଆଲେନ୍ ଏବଂ ଏଠିକାର ପ୍ରଶାସନ ଓ ସବୁ ମିଡିଆ କର୍ମୀଙ୍କ ପ୍ରଚେଷ୍ଟାରେ ଆମେ ଆଜି ଏଠାରେ ପହଞ୍ଚି ପାରିଲୁ।’’
-ସ୍ପନ୍ଦନ ମିଶ୍ର
‘‘ମେଡିକାଲ ଓ ଇଞ୍ଜନିୟରିଂ ପ୍ରବେଶିକା ପରୀକ୍ଷା କୋଚିଂ ନେଉଥିଲି। ଲ୍ୟାଣ୍ଡମାର୍କ ସିଟି ଓଲ୍ଡ ଜବାହାର ନଗର ନୀଳକଣ୍ଠ ରେସିଡେନ୍ସିରେ ରହୁଥିଲି। ତୃତୀୟ ମହଲାରେ ଏକାକୀ ରହୁଥିଲି। ଏ ସଂକ୍ରାନ୍ତରେ ବାପାଙ୍କୁ ଜଣାଇଥିଲି। ବାପା ହଷ୍ଟେଲ ରହୁଥିବା ଜଣେ ମହିଳାଙ୍କୁ କଥା ହୋଇଥିଲେ। ସେହି ମହିଳା ଜଣକ ରାତିରେ ମୋ ପାଖରେ ଶୋଉଥିଲେ। ଖାଦ୍ୟ ନ ମିଳବାରୁ ହଷ୍ଟେଲ ପକ୍ଷରୁ ଦୁଇ ଓଳି ଖାଇବାକୁ ଦେଉଥିଲେ। ଘରୁ ଯିବା ପାଇଁ ଦିନକୁ ଦଶଥର ମାଙ୍କୁ ନେଇଯିବାକୁ ଫୋନ୍ କରୁଥିଲି। ମା’ ମଧ୍ୟ ଦୁଃଖରେ ଭାଙ୍ଗି ପଡିଥିଲେ। ବୁଧବାର ଘରକୁ ଯିବାକୁ ଅନୁମତି ମିଳିବା ପରେ ଖୁସି ହୋଇ ଯାଇଥିଲି। ଗୁରୁବାର ଭୋରୁ ହଷ୍ଟେଲ ଦୁଇଜଣ କର୍ମଚାରୀ ମୋର ଜିନିଷପତ୍ର ପ୍ରାୟ ୧ କି.ମି. ବୋହି ନେବାରେ ସାହାଯ୍ୟ କରିଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ବରଗଡ ସୀମାରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆମକୁ ଖାଇବାକୁ ଦିଆଯାଇଥିଲା। ବସ୍ରେ ଚଢ଼ିବା ପୂର୍ବରୁ ୯ଟାରେ ସ୍କ୍ରିନଂ ହୋଇଥିଲା। ୫୦ଘଣ୍ଟାରୁ ଅଧିକ ଯାତ୍ରା କରି ଶେଷରେ ଘରେ ପହଞ୍ଚିବା ପରେ ବହୁତ ଖୁସି ଲାଗୁଛି।’’
-ନେହା ଦାସ
‘‘ଲ୍ୟାଣ୍ଡମାର୍କ ସିଟିର ପବନ ରେସିଡେନ୍ସିରେ ମା’ଙ୍କ ସହ ରହି ମେଡିକାଲ କୋଚିଂ ନେଉଥିଲି। ହଷ୍ଟେଲରେ ଖାଇବାରେ ବହୁତ ଅସୁବିଧା ହେଉଥିଲା। ବାହାରକୁ ଯିବାକୁ ଅନୁମତି ନଥିବାରୁ ରୁଟି, ଡାଲି ଖାଇ ରହୁଥିଲୁ। ଗୁରୁବାର ପ୍ରଥମ ଦିନ ବସ୍ରେ ଚଢ଼ିବା ପରେ ଖାଇବା ଠିକ୍ ଥିଲା। ଦ୍ବିତୀୟ ଦିନ ଶୁକ୍ରବାର ଦିନ ତମାମ ଭୋକ ଉପାସରେ ରହିଥିଲୁ। ୫୨ ଘଣ୍ଟାର ବସ୍ ଯାତ୍ରା ଯେତିକି କଷ୍ଟ ଦେଇ ନଥିଲା, ତାଠାରୁ ଢ଼େର ଚିନ୍ତା ଥିଲା କେମିତି ଘରେ ପହଞ୍ଚିବୁ। ଭୋର ପ୍ରାୟ ସାଢ଼େ ୪ଟାରେ ଛତିଶଗଡ-ଓଡ଼ିଶା ସୀମା ଝାସରଗୁଡାରେ ବସ୍ ପ୍ରବେଶ କଲା ପରେ ବେଶ୍ ଖୁସି ଲାଗିଥିଲା। ଏହି ଅନୁଭୂତି ମା’ ଓ ମୋର ସବୁଦିନ ମନେ ରହିବ।’’
-ଅଙ୍କିତା ଜେନା
‘‘ଲ୍ୟାଣ୍ଡମାର୍କ ସିଟିର ଅଂଶ ରେସିଡେନ୍ସିରେ ରହୁଥିଲି। ୫୦ରୁ ଅଧିକ ଛାତ୍ରୀ ରହୁଥିଲୁ। ଲକ୍ଡାଉନ୍ ପୂର୍ବରୁ କିଛି ସହ ପାଠୀ ଘରକୁ ଫେରି ଯାଇଥିଲେ। ହଷ୍ଟେଲରେ ଖାଇବାର ସେମିତି କିଛି ଅସୁବିଧା ହୋଇ ନାହିଁ। ଆମ ଅଞ୍ଚଳରେ କିଛି ସମସ୍ୟା ନଥିଲା। ସଂକ୍ରମଣ ବି ଭୟ ଏତଟୋ ନଥିଲା। ବସ୍ରେ ବସିବାର ଗୋଟିଏ ଦିନ ସବୁ ଠିକ୍ ଠାକ୍ ଥିଲା। ଶୁକ୍ରବାର ମାତ୍ର ରାତିରେ ବିଳାସପୁରରେ ଖାଇବାକୁ ପାଇଲୁ। ଡ୍ରାଇଭର ବାଟ ଭୁଲି ଯାଇଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ରାଉରକେଲାରେ ପହଞ୍ଚିବା ପରେ ୫୦ ଘଣ୍ଟାର ବସ୍ ଯାତ୍ରା କଷ୍ଟ ସମ୍ପୂର୍ଣ୍ଣ ଭୁଲି ଯାଇଥିଲୁ।’’
-ଅର୍ପିତା ମଣ୍ଡଳ