କରୋନା ଯୋଗୁଁ ବିପନ୍ନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଅଧାରେ ରହିଗଲା ଯୁକ୍ତଦୁଇର ପରୀକ୍ଷା

ଚିନ୍ତାରେ ଛାତ୍ରଛାତ୍ରୀ ଓ ଅବିଭାବକ

ଜୟପୁର: କରୋନା ଯୋଗୁଁ ସାରା ବିଶ୍ୱରେ ହାହାକାର ଦେଖାଦେଇଛି। ପ୍ରତିଟି ମହାଦେଶରେ ଦେଖାଦେଇଛି ଦୁର୍ଦ୍ଦିନର ଚିତ୍ର। ତେବେ ଏଥିରୁ ବାଦ ପଡିନି କୋରାପୁଟ ଜିଲ୍ଲା। ଏହି କଷ୍ଟଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଅଧା ପରୀକ୍ଷା ଦେଇ ଆସନ୍ତା ଭବିଷ୍ୟତ ପାଇଁ ଗଭୀର ମାନସିକ ଚିନ୍ତାରେ ରହିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ। ମାର୍ଚ୍ଚମାସରେ ଆରମ୍ଭ ହୋଇଥିବା ଯୁକ୍ତଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଅଧାଅଧି ରହିଥିବାବେଳେ ବାକି ପରୀକ୍ଷା କେବେ ହେବ ତାହା ଜଣାପଡିନାହିଁ।

ପ୍ରାୟ ସବୁ ଶ୍ରେଣୀର ପରୀକ୍ଷା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହେବାକୁ ଲକ୍ଷ ରହିଥିବାରୁ ୧୯ ତାରିଖରୁ ସବୁ ପରୀକ୍ଷାକୁ ଅନିଦ୍ଧିଷ୍ଟ କାଳ ଯାଏ ବନ୍ଦ ରଖାଯାଇଛି। କେବେ ଏହି ପରୀକ୍ଷା ହେବ ତାହା ମଧ୍ୟ ଜଣାପଡିନାହିଁ। ତେବେ ଫେବ୍ରୁଆରି ମାସରୁ ପ୍ରାକ୍ଟିକାଲ ଶେଷ ହୋଇଥିବାବେଳେ ଏହାକୁ ଧରି କାଳେ ମୂଲ୍ୟାଙ୍କନ ହେବ ବୋଲି ଆଲୋଚନା ଚାଲିଛି। ତେବେ କେବେ ପରୀକ୍ଷା ଶେଷ ହେବ। କେବେ ଖାତା ମୂଲ୍ୟାଙ୍କନ ହେବ ଓ କେବେ ପରୀକ୍ଷା ଫଳ ବାହାରିବ ତାହାକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି। ଏହାସହ ବିଭିନ୍ନ ପାଠ୍ୟକ୍ରମ ପାଇଁ କେବେ ପ୍ରବେଶିକା ପରୀକ୍ଷା ହେବ ତାହା ଅସ୍ପଷ୍ଟ ରହିଛି। ବିଭିନ୍ନ ପ୍ରବେଶିକା ପରୀକ୍ଷା କେବେ ହେବ ତାହା ଜଣାପଡିନାହିଁ।

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଇଥିଲା। ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ରହିଥିବା ବେଳେ ଆଉ ଗୋଟିଏ ପରୀକ୍ଷା ବାକି ରହିଛି। ସେହିପରି ମାର୍ଚ୍ଚ ୪ ତାରିଖରୁ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିଲାବେଳେ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ରହିଥିଲା। ଆଉ ଗୋଟିଏ ପରୀକ୍ଷା ବାକି ରହିଛି। ମାର୍ଚ୍ଚ ୪ ତାରିଖରୁ ଯୁକ୍ତ ଦୁଇ କଳା ପରୀକ୍ଷା ଆରମ୍ଭ ହୋଇଥିଲାବେଳେ ମାର୍ଚ୍ଚ ୨୭ ଯାଏ ଚାଲିବାକୁ ରହିବାକୁ ଥିଲା ବେଳେ ଆଉ ଗୋଟିଏ ଶେଷ ପରୀକ୍ଷା ରହିଛି। ତେବେ ଜାନୁଆରି ୨୭ରୁ ଫେବ୍ରୁଆରି ୫ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି।

ତେବେ ଜିଲ୍ଲାରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଏହି ଯୁକ୍ତଦୁଇ ପରୀକ୍ଷା ଦେଇଥିବା ବେଳେ କରୋନା ଭୂତାଣୁ ନେଇ ଆଶାଆଶଙ୍କା ମଧ୍ୟକୁ ଟାଣି ହୋଇଯାଇଛି।

ସମ୍ବନ୍ଧିତ ଖବର