ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ବଢ଼ିଲା ୧୧ ବୁଥ୍‌, ସାମିଲ ହେବେ ଦିବ୍ୟାଙ୍ଗ

ସୋନପୁର: ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୧୯ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର୍‌ ତାଲିକାରୁ ଯେମିତି ଦିବ୍ୟାଙ୍ଗମାନେ ବାଦ୍‌ ନପଡ଼ିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପାରାମର୍ଶ ଦିଆଯାଇଥିଲା। ଜିଲ୍ଲାରେ ୨ହଜାର ୩୯୦ ଜଣ ଦିବ୍ୟାଙ୍ଗ ଚିହ୍ନଟ କରାଯାଇଥିବା ବେଳେ ୧ହଜାର ୨୩୫ ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ବାକି ଦିବ୍ୟାଙ୍ଗମାନଙ୍କୁ ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ଯେଉଁ ମାନଙ୍କ ଏକରୁ ଅଧିକ ବୁଥ୍‌ରେ ନାମ ରହିଛି ସେଗୁଡ଼ିକ ସଂଶୋଧନ କରିବାକୁ କୁହାଯାଇଥିଲା।

ଏଥର ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ୬ଟି ବୁଥ୍‌, ସୋନପୁର ନିର୍ବାଚନମଣ୍ଡଳୀରେ ୫ଟି ବୁଥ୍‌ ବୃଦ୍ଧି କରାଯାଇଛି। ଜିଲ୍ଲାରେ ସର୍ବମୋଟ ୫୭୫ଟି ବୁଥ୍‌ ହୋଇଛି। ସେହିପରି ଆସନ୍ତା ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରାଯିବ। ମୃତ ଭୋଟର ଓ ସ୍ଥାନାନ୍ତର ଭୋଟରଙ୍କୁ ବାଦ୍‌ ଦେବା ଏବଂ ୨୦୧୯ ଜାନୁଆରି ପହିଲା ସୁଦ୍ଧା ୧୮ ବର୍ଷରେ ପହଂଚିଥିବା ନୁଆ ଭୋଟରଙ୍କୁ ତାଲିକାରେ ସାମିଲ କରାଯିବା ପ୍ରକ୍ରିୟା ଆରମ୍ଭ ହେବ। ୨୦୧୯ ଜାନୁଆରି ୪ ତାରିଖ ଦିନ ସମସ୍ତ ପୋଲିଂ ବୁଥ୍‌, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ଏପରିକି ଆସନ୍ତା ଜାନୁଆରି ୨୫ ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ ଅବସରରେ ନୂତନ ଭାବରେ ପଂଜିକୃତ ହୋଇଥିବା ଯୁବ ମତଦାତାଙ୍କୁ ପରିଚୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଉପଜିଲ୍ଲାପାଳ ସୁବ୍ରତ ବେହେରା, ନିର୍ବାଚନ ଅଧିକାରୀ ମୁକ୍ତେଶ୍ୱର ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ ଅମୂଲ୍ୟ ସାହୁ, ସହକାରୀ ଜିଲ୍ଲାପାଳ ନବିନ କିଶୋର ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ଦାଶ, ଡିଆଇପିଆରଓ ଭୂଜଙ୍ଗ ଭୂଷଣ ରାଓ, ପିସିସି ସଭ୍ୟ ସର୍ବେଶ୍ୱର ପୁରୋହିତ, ନିମାଇଁ ପାଣିଗ୍ରାହୀ, ବିଜେପିର ଗଣେଶ ସାହୁ, ଦିଲ୍ଲୀପ ପୂଝାରୀ, ବିଜେଡିର କଇରୁ ସ୍ୱାଇଁ, ଶ୍ରମିକ ନେତା ଗୋବିନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର