୩ ବର୍ଷରେ ୧୨୪ ଗଞ୍ଜେଇ ମାମଲା:ଅବକାରୀ ବିଭାଗ ନିଦରେ

ପୁଲିସ ଧରିଲାଣି ୧୭୮ ଅଭିଯୁକ୍ତ

ସୋନପୁର: ସୋନପୁର ଜିଲ୍ଲା ଗଂଜେଇ ଚୋରା ଚାଲାଣର ଚରା ଭୂଇଁ ପାଲଟିଛି। ପଡ଼ୋଶୀ ଜିଲ୍ଲା ବୌଦ୍ଧ ଅଂଚଳର କଣ୍ଟାମାଳ ଅଂଚଳରେ ଗଂଜେଇ ଚାଷ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଇଥାଲ। ଗଂଜେଇ ବେପାରୀମାନେ ବିଭିନ୍ନ ସମୟରେ କଣ୍ଟାମାଳରୁ ଗଂଜେଇ ଧରି ସୋନପୁର ଚାଲାଣ କରୁଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କଣ୍ଟାମାଳ ଏବଂ ମନମୁଣ୍ଡା ୨ଟି ଥାନା ପାରି ହେବା ପରେ ଗଂଜେଇ ମାଫିଆମାନେ ସୋନପୁରରେ ବିଭିନ୍ନ ସମୟରେ ଧରା ପଡୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନାରେ ପୁଲିସ ବିଭାଗ ପକ୍ଷରୁ ଚଢଉ କରାଯାଇ ୧୨୪ଟି ଗଂଜେଇ ମାମଲା ରୁଜୁ କରାଯାଇ ୧୭୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୪୨ କ୍ୱିିଣ୍ଟାଲ ୩୮୮ କେଜି ଗଂଜେଇ ଜବତ କରାଯାଇଛି। ଏପରିକି ୩୮ଟି ଦୁଇଚକିଆ ଯାନ, ୩୨ଟି ୪ ଚକିଆ ଯାନ, ଗୋଟିଏ ଅଟୋରିକ୍ସା ଏବଂ ଗୋଟିଏ ୧୦ ଚକିଆ ଯାନ ଜବତ କରାଯାଇଛି।

୨୦୧୫ରେ ୩୪ଟି ମାମଲା ରୁଜୁ ହୋଇଥିବାବେଳେ ୪୬ ଜଣ ଅଭିଯୁକ୍ତ ଗିରଫ ହେବା ସହିତ ୧୦ କ୍ୱିଣ୍ଟାଲ ୫୩ କେଜି ୦୬୪ ଗ୍ରାମ ଗଂଜେଇ ଜବତ କରାଯାଇଛି । ୨୦୧୬ରେ ୩୬ଟି ମାମଲା ରୁଜୁ କରାଯାଇ ୩୫ ଜଣଙ୍କୁ ଗିରଫ କରାଯିବା ସହିତ ୧୧ କ୍ୱିଣ୍ଟାଲ ୫୩ କେଜି ୫୯୦ ଗ୍ରାମ ଗଂଜେଇ ଜବତ କରାଯାଇଛି । ୨୦୧୭ରେ ୪୦ଟି ମାମାଲା ରୁଜୁ କରାଯାଇ ୭୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୯୫ କ୍ୱିଣ୍ଟାଲ ୯ କେଜି ୭୩୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ୨୦୧୮ ମେ ମାସ ପର୍ଯ୍ୟନ୍ତ ୧୪ ଟି ମାମଲା ରୁଜୁ କରାଯାଇ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୧୦ କ୍ୱିଣ୍ଟାଲ ୭୧ କେଜି ୪୯୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ସେହିପରି ୧,୬.୨୦୧୫ରୁ ୩୧.୧୨.୨୦୧୫ ମଧ୍ୟରେ ୧ଟି କଫ ସିରପ ମାମଲା ରୁଜୁ ହେବା ସହିତ ଜଣକୁ ଗିରଫ କରାଯାଇ ୧୦୩ ଟି କଫ ସିରପ ଜବତ କରାଯାଇଛି। ୨୦୧୬ରେ ୨ଟି କଫ ସିରପ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇ ୨୧୦ଟି କଫ୍‌ ସିରଫ ଜବତ କରାଯାଇଛି। ୨୦୧୭ରେ ୯ଟି କଫ୍‌ ସିରପ୍‌ ମାମଲା ରୁଜୁ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଗତ ମେ ମାସ ପର୍ଯ୍ୟନ୍ତ ୨ଟି କଫ୍‌ ସିରପ୍‌ ମାମଲା ରୁଜୁ ହେବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ୩୧.୧୨.୨୦୧୫ ମଧ୍ୟରେ ୧୧୪ଟି ମଦ ମାମଲା ରୁଜୁ ହେବା ସହିତ ୧୪୦ ଜଣଙ୍କୁ ଗିରଫ କରାଯାଇଛି। ୨୦୧୬ରେ ୩୦୯ଟି ମାମଲା ରୁଜୁ ହେବା ସହିତ ୨୪୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୦୧୭ରେ ୧୪୦ଟି ମାମଲା ରୁଜୁ କରାଯାଇ ୧୦୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୦୧୮ ମେ ପର୍ଯ୍ୟନ୍ତ ୧୦୯ଟି ମାମଲା ରୁଜୁ କରାଯାଇ ୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନିଶା ଦ୍ରବ୍ୟ କାରବାର ଉପରେ ରୋକ ଲଗାଇବାକୁ ଜିଲ୍ଲା ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ ପାତ୍ର ସୂଚନା ଦେଇଛନ୍ତି। କିନ୍ତୁ ଜିଲ୍ଲାରେ ଅବକାରୀ ବିଭାଗ ଥାଇ ମଧ୍ୟ ନଥିବା ସଙ୍ଗେ ସମାନ। ଅବକାରୀ ବିଭାଗ ପକ୍ଷରୁ ଯେତିକି ଚଢଉ ହେବା କଥା ହେଉନାହିଁ। କେବଳ କେବେ କେମିତି ଲୋକ ଦେଖାଣିଆ ଚଢଉ କରାଯାଉଛି। ଯଦି ଅବକାରୀ ବିଭାଗ ପକ୍ଷରୁ ଅନୁରୂପ ଭାବରେ ଚଢଉ କରାଯାଏ ତାହେଲେ ଜିଲ୍ଲାରେ ନିଶା ଦ୍ରବ୍ୟ କାରବାର ବହୁ ମାତ୍ରାରେ କମିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର