୩୫ ବିଶେଷଜ୍ଞ ସହ ୬୮ ଚିକିତ୍ସକ ପଦ ଖାଲି

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡୁଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ମୋଟ୍‌ ୫୪ ବିଶେଷଜ୍ଞ ପଦରୁ ୧୯ ଜଣ ଥିବା ବେଳେ ୩୫ଟି ପଦବି ଖାଲି ପଡ଼ିଛି। ସେହିପରି ମେଡିକାଲ ଅଫିସର ପଦ ସହିତ ଅନ୍ୟାନ୍ୟ ୭୪ ଚିକିତ୍ସକ ପଦବି ମଧ୍ୟରୁ ୩୩ ଟି ଖାଲି ପଡିଛି। ଜିଲ୍ଲାରେ ୧୨ଟି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦବି ରହିଥିବା ବେଳେ ଅଛନ୍ତି ୮ ଜଣ ଏବଂ ଖାଲି ପଡିଛି ୪ଟି ପଦବି। ସେହିପରି ୧୦ ଶିଶୁ ରୋଗ ବିଶେଷଜ୍ଞ ପଦବି ରହିଥିବା ବେଳେ ଅଛନ୍ତି ୩ ଜଣ ଏବଂ ୭ଟି ଖାଲି ପଡିଛି। ୩ ଜଣ ଚକ୍ଷୁ ବିଶେଷଜ୍ଞ ପଦବିରୁ ଜଣେ ଥିବା ବେଳେ ୨ଟି ଖାଲି ପଡ଼ିଛି। ଆନେସ୍ଥାସିଆ ୩ଟି ପଦବିରେ କେହି ନାହାନ୍ତି। ପାଥୋଲୋଜିରେ ଥିବା ୩ ମଞ୍ଜୁରିପ୍ରାପ୍ତ ପଦ ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ଗୋଟିଏ ରେଡିଓଲୋଜି ପଦବି ମଧ୍ୟ ଖାଲି ପଡ଼ିଛି। ଚର୍ମ ରୋଗ ବିଶେଷଜ୍ଞ ପଦବି ଗୋଟିଏ ଥିବା ବେଳେ ଏଠାରେ ନିଯୁକ୍ତ ବିଶେଷଜ୍ଞ ବହୁ ଦିନ ହେଲା ଛୁଟିରେ ଅଛନ୍ତି। ଯକ୍ଷ୍ମା ରୋଗ ବିଶେଷଜ୍ଞ ପଦବିରେ ବି କେହି ନାହାନ୍ତି। ଜିଲ୍ଲାରେ ଥିବା ୨ଟି ଅସ୍ଥିଶଲ୍ୟ ବିଶେଷଜ୍ଞ ପଦ ବି ବହୁ ଦିନ ହେଲା ଖାଲି ପଡ଼ିଛି।

୮ଟି ଭେଷଜ ବିଶେଷଜ୍ଞ ପଦବି ମଧ୍ୟରୁ ୩ ଜଣ ଥିବା ବେଳେ ୫ଟି ପଦବି ଖାଲି ପଡ଼ିଛି। ଶଲ୍ୟ ବିଭାଗରେ ୮ଟି ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୨ଜଣ ଏବଂ ଖାଲି ପଡିଛି ୬ଟି ପଦବି। ଜିଲ୍ଲାରେ ଥିବା ଗୋଟିଏ ମାନସିକ ରୋଗ ବିଶେଷଜ୍ଞ ପଦ ବି ଖାଲି ପଡ଼ିଛି। ଜିଲ୍ଲାରେ ମୋଟ ୫୪ ଜଣ ବିଶେଷଜ୍ଞ ପଦବି ବିଭିନ୍ନ ବିଭାଗରେ ରହିଥିବା ବେଳେ ମାତ୍ର ଅଛନ୍ତି ୧୯ ଜଣ ଏବଂ ଖାଲି ପଡିଛି ୩୫ ପଦବି। ଆବଶ୍ୟକ ବିଶେଷଜ୍ଞଙ୍କ ଅଭାବରୁ ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ତାହା ସ୍ପଷ୍ଟ ଅନୁମେୟ। ଜିଲ୍ଲାରେ ବିଶେଷଜ୍ଞ ଏବଂ ଚିକିତ୍ସକ ପଦବି ମିଶାଇ ୬୮ ଟି ପଦବି ଖାଲି ପଡ଼ିଛି। ସେହିପରି ୫୭ ଜଣ ଷ୍ଟାଫନର୍ସ ମଧ୍ୟରୁ ଅଛନ୍ତି ୩୨ ଜଣ ଏବଂ ଖାଲି ପଡିଛି ୨୫ଟି ପଦବି। ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନରେ ୨୧ଜଣ ଏଏନଏମ ମଧ୍ୟରୁ ୧୫ ଜଣ ଅଛନ୍ତି ୬ଟି ଖାଲି ପଡ଼ିଛି। ସେହିପରି ଲାବରୋଟାରି ଟେକ୍‌ନିସିଏନ ୧ଟି, ଆୟୁଷ ଡାକ୍ତର ୪ଟି, ମେଡିକାଲ ଅଫିସର (ଆୟୁଷ) ୮ଟି, ଫର୍ମାସିଷ୍ଟ ୬ଟି ଆଦି ଖାଲି ପଡ଼ିଛି। ବହୁ ଚିକିତ୍ସକ ପଦ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର