କାଳବୈଶାଖୀର ତାଣ୍ଡବ, ବ୍ୟାପକ କ୍ଷତି

ବିନିକା: ବିନିକା ତହସିଲ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଫଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସଂଘିଯୁବା ଟେଷ୍ଟବ୍ୟାଙ୍କ, ବିନିକା ନୋଡ଼ାଲ ସ୍କୁଲ ପାଖ, ରାମପୁର ବିନିକା ରାସ୍ତା, କଇଁନ୍ତରା-କଟାପାଲି, ଘଣ୍ଟୋପାଲି, ସେଲେଡ଼ି ରାସ୍ତାରେ ଗଛ ପଡ଼ି ଯିବାରୁ ଯାତାୟତ ଠପ୍‌ ହୋଇଯାଇଛି। ଅନେକ ଛପର ଘରର ଛତ ଉଡ଼ି ଯାଇଛି। ଏହାଛଡ଼ା ଖଳା ଓ ବିଲ୍‌ରେ ପଡ଼ିଥିବା ଧାନ ନଷ୍ଟ ହୋଇଯାଇଛି। ଗତ ୨୧ ତାରିଖରେ ମଧ୍ୟରେ କାଳବୈଶାଖୀ ଯୋଗୁ ବିନିକା ଅଚଂଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ବିଦ୍ୟୁତ୍‌ ବିଭାଗ ଏସଡିଓ ବିଶ୍ୱରଞ୍ଜନ ଜେନାଙ୍କୁ ପଚରାଯିବାରୁ ସୋନପୁର ରୁ ବିନିକାକୁ ଆସିଥିବା ୩୩/୧୧ କେଭି ତାର ଖରାପ ଅଛି। ତଥାପି ରାତ୍ରରେ ତଦାରଖ କରାଯାଉଛି। ଯଥାଶିଘ୍ର ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ।
ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲିରେ ମଙ୍ଗଳବାର ସନ୍ଧ୍ୟାରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିବା ବେଲେ ଆଜବେଷ୍ଟ ଘର ଉଡ଼ି ଯାଇଥିବା ଜଣାଯାଇଛି। କ୍ରମାଗତ ଭାବେ ଏକ ଘଣ୍ଟା ବର୍ଷା ଲାଗି ରହିଥିବା ଯୋଗୁଁ ଖଳାରେ ଥିବା ଚାଷୀ ମାନଙ୍କ ଅମଳ ଧାନ ନଷ୍ଟ ହୋଇଥିବା ଜଣାଯାଇଛି। କନ୍ଦାଗାଡ଼ ଗ୍ରାମର ଏକଲବ୍ୟ ବେହେରାଙ୍କ ଆଜବେଷ୍ଟ ଘର ଭାଙ୍ଗି ଚୁରମାର ହୋଇ ଯାଇଥିବା ତାଙ୍କ ପିତା ଦଃୁଖୁ ବେହେରା ଅଭିଯୋଗ କରିଛନ୍ତି। ବିଦ୍ୟୁତ ସରବରାହ ବନ୍ଦ ଥିବା ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିବା ପ୍ରକାଶ।
ଲଚ୍ଛିପୁର: ସୋନପୁର ବ୍ଲକ୍‌ ଲଚ୍ଛିପୁର ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ ପ୍ରବଳ ଝଡ଼ ପବନ ଓ କରାମାଡ଼ ହୋଇଥିଲା। ପବନ ଯୋଗୁଁ ବହୁ ସ୍ଥାନରେ ଗଛ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଛି। କରାମାଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ସେହିପରି ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ବୁଧବାର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର