ରକ୍ତର ପ୍ରତିଶୋଧ ରକ୍ତରେ : ସମ୍ବଲପୁରରେ ଡବଲ ମର୍ଡର

ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା, ପାଣ୍ଡବ ମୁଖୀ ସହ ୨ ଗିରଫ

ସମ୍ବଲପୁର : ସୁଖଶାନ୍ତି ପାଇଁ ଠେଲ୍‌କୋପଡ଼ାରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ଯଜ୍ଞ। ଯଜ୍ଞ ସରିବାର ଦିନକ ପରେ ସୋମବାର ଘଟିଯାଇଛି ଡବଲ ମର୍ଡର। ହତ୍ୟାର ପ୍ରତିଶୋଧ ନିଆଯାଇଛି ହତ୍ୟାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହରର ବ୍ୟସ୍ତତମ ରାସ୍ତା ଅଗ୍ନିଶମ କେନ୍ଦ୍ର ସାମ୍‌ନାରେ ନିର୍ମମ ଭାବେ ସୁଜିତ ନାଗ(୨୫)କୁ ହତ୍ୟା କରିବାର ମାତ୍ର ୪୫ ମିନିଟ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀର ବଡ଼ଭାଇ ଶଙ୍କର ମୁଖୀଙ୍କୁ ଘରୁ ଟାଣି ଆଣି ନୃଶଂସ ଭାବେ ହତ୍ୟା କରାଯାଇଛି। ତଥାପି ରାଗ ଶାନ୍ତ ନହେବାରୁ ଉତ୍ୟକ୍ତ ଲୋକେ ପାଣ୍ଡବର ଘର ଭିତରେ ନିଆଁ ଲଗାଇ ଦେଇଥିଲେ। ପୁଲିସକୁ ମଧ୍ୟ ଲୋକଙ୍କ ଅକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇ ପାଇଁ ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରିଥିଲା। ତେବେ ପୁଲିସ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି ଏସ୍‌ପି ସଂଜୀବ ଅରୋରା କହିଛନ୍ତି।

ସୋମବାର ସକାଳ ସାଢ଼େ ୭ଟା। ପ୍ରତିଦିନ ଭଳି ଠେଲ୍‌କୋପଡ଼ାର ସୁଜିତ ନାଗ ଅଗ୍ନିଶମ କେନ୍ଦ୍ର ସମ୍ମୁଖକୁ ଚା’ ପିଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଯୋଜନା ମୁତାବକ ପାଣ୍ଡବ ମୁଖୀ ଓ ତା’ର ଅନ୍ୟ ୫/୬ ଜଣ ସହଯୋଗୀ ଛକି ରହିଥିଲେ। ସୁଜିତ ପହଂଚିବା ପରେ ଅଚାନକ ବାଡ଼ିରେ ଆକ୍ରମଣ କରିଥିଲେ। ତଳେ ପଡ଼ିଯାଇଥିବା ସୁଜିତ ପ୍ରାଣ ବଞ୍ଚାଇବା ପାଇଁ ଉଠି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ସ୍କୁଟିରେ ଧକ୍କା ଦେଇଥିଲା। ସୁଜିିତ ପୁଣି ପଡ଼ି ଯିବା ପରେ ତାଙ୍କ ମୁହଁ, ଛାତି ଆଦିରେ ଭୁଜାଲିରେ ହାଣି ପକାଇ ଥିଲେ। ଆଉ ରକ୍ତ ଜୁଡ଼ୁବୁଡ଼ୁ ତାଙ୍କୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିବା ପରେ ତାଙ୍କ ସହଯୋଗୀମାନେ ସଦର ଡାକ୍ତରଖାନାଠାରୁ ଅଳ୍ପ ଦୂରରେ ଥିବା ଠେଲ୍‌କୋପଡ଼ାକୁ ଫେରି ଆସିଥିଲେ। ଖଣ୍ଡା, ବର୍ଚ୍ଛା ଆଦି ଧରି ସଂଘବଦ୍ଧ ଭାବେ ପାଣ୍ଡବ ମୁଖୀର ଘରକୁ ପଶିଥିଲେ। ଘର ଭିତରୁ ପାଣ୍ଡବର ବଡ଼ଭାଇ ଶଙ୍କର ମୁଖୀଙ୍କୁ ଟାଣି ଆଣି ଠେଲ୍‌କୋପଡ଼ାର ଗଳି ରାସ୍ତାରେ ଅତିନୃଶଂସ ଭାବେ ହାଣି ହତ୍ୟା କରିଥିଲା। ରକ୍ତରେ ଲାଲ ହୋଇଯାଇଥିଲା ରାସ୍ତା।

ପୁଲିସ୍‌ ସୁଜିତକୁ ହତ୍ୟା କରାଯିବାର ଖବର ପାଇ ସଦର ଡାକ୍ତରଖାନାରେ ପହଂଚି ଥିବା ବେଳେ ଏପଟେ ଆଉ ଗୋଟିଏ ହତ୍ୟା ହୋଇ ଯାଇଥିଲା। ସୁଜିତଙ୍କ ସମର୍ଥକମାନେ ପାଣ୍ଡବର କୋଠାଘରରେ ଥିବା ଜିନିଷ ପତ୍ରରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଦେଢ଼ଶହ ମିଟର ଦୂରତାରେ ଅଗ୍ନିଶମ କେନ୍ଦ୍ର ରହିଥିଲେ ହେଁ ଉତ୍ୟକ୍ତ ଲୋକଙ୍କ ପ୍ରତିବାଦ ଯୋଗୁଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପଡ଼ା ଭିତରକୁ ଯାଇପାରିନଥିଲେ। ପୁଲିସ୍‌କୁ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବହୁ କଷ୍ଟରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଠେଲ୍‌କୋପଡ଼ା ଭିତରକୁ ଯାଇଥିଲେ। ତଥାପି ଉତ୍ତେଜନା ଲାଗି ରହିଥିଲା। ଦିନ ସାଢ଼େ ୧୧ ଟାରେ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରି ପୁଲିସ୍‌ ଭିଡ଼ ଭାଂଗିବା ପାଇଁ ଲାଠିଚାଳନା କରିଥିଲା। ବହୁ କଷ୍ଟରେ ଶଙ୍କରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ନେଇଥିଲା ପୁଲିସ। ଚାପା ଉତ୍ତେଜନା ଲାଗି ରହିଥିବାରୁ ଠେଲ୍‌କୋପଡ଼ାର ଉଭୟ ପାର୍ଶ୍ୱରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର