ଶୁଖିଲାଣି ବନ୍ଧ-କଟା, କାମକୁ ଆସୁନି ପ୍ରକଳ୍ପ

ସୋନପୁର: ସୋନପୁର ଜିଲ୍ଲାରେ ଚିରସ୍ରୋତା ମହାନଦୀ, ତେଲନଦୀ, ଅଙ୍ଗନଦୀ ଭଳି ଅନେକ ଛୋଟ ବଡ଼ ନଦୀ ଯୋର ପ୍ରବାହିତ ହେଉଥିଲେ ହେଁ ଜଳ ସଂକଟ ଉତ୍କଟ ରୂପ ନେଉଛି। ଜଳଉତ୍ସ ଗୁଡ଼ିକ ମଧ୍ୟ ପୋତି ହେବା ଫଳରେ ଗ୍ରାମାଞ୍ଚଳରେ ମଧ୍ୟ ପାନୀୟ ଜଳ ସଙ୍କଟ ଅଧିକ ଦେଖାଦେଇଛି। ଜିଲ୍ଲାରେ ପଞ୍ଚାୟତ ପୋଖରୀ ସଂଖ୍ୟା ୩୭୮୮, ବେସରକାରୀ ପୋଖରୀ ସଂଖ୍ୟା ୫୬୨, ରାଜସ୍ୱ ବିଭାଗ ଅଧୀନରେ ୨୧୮, କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୩୪ଟି ଏବଂ ଅନ୍ୟାନ୍ୟ ୨୨୯ଟି ଏପରି ସର୍ବମୋଟ ୪୬୪୨ଟି ପୋଖରୀ ରହିଛି। ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ପୋଖରୀ ଗୁଡିକରେ ଏବେଠାରୁ ଜଳାଭାବ ଦେଖାଦେଇଛି। ଜିଲ୍ଲାରେ ୮ହଜାର ୪୧୧ଟି ନଳକୂଅ ଓ ୨୬୦ଟି ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ତେବେ ଜିଲ୍ଲାର ଅର୍ଦ୍ଧାଧିକ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇପାରି ନାହିଁ ।

ପଞ୍ଚାୟତରେ ବିଭିନ୍ନ ଯୋଜନାରେ ପୋଖରୀ ଖନନ କରାଯାଉ ଥିଲେ ମଧ୍ୟ ତାହାର ସତ ବିନିଯୋଗ ହେଉନଥିବାରୁ ଗ୍ରୀଷ୍ମ ଋତୁରେ ପାଣି ରହୁ ନାହିଁ। ସୋନପୁର ସହରରେ ପାନୀୟ ଜଳ ସଙ୍କଟ ଅଧିକ ଦେଖା ଦେଇଛି। ସେପଟେ ସୋନପୁର ସହରର ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ୮.୨.୨୦୧୩ରେ ପ୍ରକଳ୍ପର ଶୁଭ ଦେଇଥିଲେ। ପଟାଭାଡି ଏବଂ ଏମଏଲଏପଡ଼ାରେ ଓଭର ହ୍ୟାଡ ଟ୍ୟାଙ୍କ ନିର୍ମାଣ କରାଯାଇ ୬ ମାସ ମଧ୍ୟରେ ପ୍ରକଳ୍ପ ଚାଲୁ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ୫ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏହି ପ୍ରକଳ୍ପର ସମସ୍ତ କାର୍ଯ୍ୟ ସରିଛି। କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଇ ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏପ୍ରିଲ ପହିଲା ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର