ସୁବର୍ଣ୍ଣପୁର: ହାତୀ ଭାଙ୍ଗିଦେଲା ୩ ପରିବାରଙ୍କ ଘର, ଏବେ ରାତ୍ରି ଯାପନ ପାଇଁ ଯାଉଛନ୍ତି ୪ କିଲୋମିଟର ଦୂର

ମରଣ ମୁହଁରୁ ବଂଚିଲା ୫ ବର୍ଷର ଶିଶୁ, ହାତୀ ପେଟ ତଳେ ବିତିଲା କିଛି ସମୟ

ଉଲୁଣ୍ଡା(କୁଶ ବଘାର): ତିନିଟି ପରିବାର ଘର ଗୁଡ଼ିକ ଦନ୍ତା ହାତୀ ଭାଙ୍ଗି ଦେବା ପରେ, ଏମାନେ ଏବେ ନିରାଶ୍ରୟ ପାଲଟି ଯାଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ୩ ପରିବାର ପ୍ରତି ହାତୀ ଦାଉ ସାଜିଛି। ଫଳରେ ୧୪ ଜଣ ୪ କିଲୋମିଟର ଦୂର ପାଦରେ ଚାଲିଚାଲି ଯାଇ ସଂପର୍କୀୟଙ୍କ ଘରେ ରାତ୍ରୀ ଯାପନ କରୁଛନ୍ତି। ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ୫ କିଲୋ ଚାଉଳ ବ୍ୟତୀତ ଘଟଣାର ୪ ଦିନ ପରେ ଅନ୍ୟ ସହାୟତା ମିଳିପାରି ନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଗ୍ରାମପଂଚାୟତର ମହୁଖଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ ଗତ ୬ ତାରିଖ ରାତି ଦନ୍ତା ଆସି ନନ୍ଦ ମୁଣ୍ଡା ଓ ଗମା ମୁଣ୍ଡାର ଘର ଭାଙ୍ଗିଥିଲା। ରାତି ପ୍ରାୟ ୯ଟା ବେଳକୁ ଉଭୟ ପରିବାରର ଲୋକେ ନିଆଁ ପାଖରେ ବସିଥିବା ବେଳେ ହାତୀ ପହଂଚି ଚାଳ ଘର ଭାଙ୍ଗିଥିଲା। ଏହି ସମୟରେ ନିକଟରେ ନିଆଁ ଜଳୁଥିବା ବେଳେ ଗମା ମୁଣ୍ଡାର ଘର ଜଳି ପୋଡ଼ି ଯାଇଥିଲା। ଲୋକମାନେ ଭୟଭୀତ ହୋଇ ସେଠାରୁ ପଳାୟନ କରିଥିଲେ। ମାତ୍ର ୫ ବର୍ଷର ଶିଶୁ ଚୁଆଡା ମୁଣ୍ଡା କିଛି ସମୟ ପାଇଁ ହାତୀର ପେଟ ତଳେ ରହି ଯାଇଥିଲା। ପରେ ସେ ସେଠାରୁ ସାହାସର ସହିତ ଦୌଡ଼ି ପଳାଇଥିଲା। ସେହି ଦିନ ରାତିରେ ହାତୀ ନନ୍ଦ ମୁଣ୍ଡାର ୨୫ କେଜି ଚାଉଳ ଖାଇଦେବା ସହିତ ୧୨ ବସ୍ତା ଧାନ ଫିଙ୍ଗି ଦେଇଥିଲା।

ଗମା ମୁଣ୍ଡାଙ୍କ ୭ ପୁଅ-ଝିଅ

ହାତୀର ଦୌରାତ୍ମରେ ୩ ପରିବାରର ଅବସ୍ଥା ଭାଙ୍ଗି ପଡ଼ିଥିଲେ ବି, ଗମା ମୁଣ୍ଡାଙ୍କ ଉପରେ ଚଡ଼କ ପଡ଼ିଛି। କାରଣ ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୭ ଜଣ ପିଲା ଛୁଆ (୫ ଝିଅ ଓ ୨ ପୁଅ)। ଏମାନଙ୍କର ବୟସ ୧୨ ବର୍ଷରୁ କମ୍‌ ହେବ।

ଦନ୍ତା ହାତୀ ୭ ତାରିଖ ଦିନ ମହୁଖଣ୍ଡିକୁ ଆସି ସୁଜନ ସୁନାଙ୍କ ଘରେ ଉତ୍ପାତ କରିଥିଲା। ସୁଜନ ସୁନା ଝିଅ ବାହାଘର ପାଇଁ ନିକଟରେ ଧନୁଯାତ୍ରାରୁ ଜିନିଷ ପତ୍ର କିଣିଥିଲେ। ଖଟ, ପଲଙ୍କ, ଆଲମିରା ଓ ଅନ୍ୟାନ୍ୟ ଜିନିଷ ଗୁଡ଼ିକ ହାତୀ ଚୁରମାର କରି ଭାଙ୍ଗି ଦେଇଛି।

ବର୍ତ୍ତମାନ ଏହି ୩ଟି ପରିବାର ଖୋଲା ଆକାଶ ତଳେ ଦିନ ବିତାଉଛନ୍ତି। ସ୍ଥାନୀୟ ରାଜସ୍ୱ ନୀରିକ୍ଷକଙ୍କୁ ଏବାବଦରେ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ। ଫଳରେ ୩ଟି ପରିବାର ସକାଳ ପାହିଲେ ଗାଁକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ଭଙ୍ଗା ଘର ସଜାଡୁଛନ୍ତି। ସନ୍ଧ୍ୟା ୪ଟାରେ ରାତ୍ରି ଭୋଜନ କରି ୪ କିଲୋମିଟର ଦୂର ସାଗଜୁରୀ ଗାଁରେ ସଂପର୍କୀୟଙ୍କ ଘରେ ରାତ୍ରୀ ଯାପନ କରୁଛନ୍ତି।

ସମ୍ବନ୍ଧିତ ଖବର