ଘରୋଇ ବସ୍‌ରୁ ଭିନ୍ନକ୍ଷମ ଯୁବତୀ ନିଖୋଜ :୪ ଦିନ ହେଲା ପତ୍ତା ମିଳୁନି

ଲୋଇସିଂହା: ଏକ ଘରୋଇ ବସରୁ ଜଣେ ଭିନ୍ନକ୍ଷମ ଯୁବତୀ ନିଖୋଜ ହେବାର ୪ ଦିନ ବିତି ଯାଇଥିଲେ ବି କୌଣସି ଖୋଜ ଖବର ନ ଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପରିବାର ଲୋକ ଖୋଜି ଖୋଜି ନିରାଶ ହେବା ପରେ ମଙ୍ଗଳବାର ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଗତ ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ବସଲାଟ୍‌ ଗ୍ରାମର ଭିନ୍ନକ୍ଷମ ଶ୍ରଦ୍ଧାଞ୍ଜଳି ଛତ୍ରିଆ (୨୦) ତାଙ୍କ ଭାଇ ରାଧାକାନ୍ତଙ୍କ ସହ ନିଜ ଘରକୁ ଆସିବା ପାଇଁ ବଲାଙ୍ଗୀର ବସ୍‌ଷ୍ଟାଣ୍ଡରେ ଏକ ଘରୋଇ ବସ୍‌ରେ ବସିଥିଲେ। ଏହି ସମୟରେ ତାଙ୍କ ଭାଇ ପରିସ୍ରା ଯିବା ପାଇଁ ବସ୍‌ରୁ ଓହ୍ଳାଇ ଥିଲେ। ସେ ଆସିଲା ବେଳକୁ ବସ୍‌ ଛାଡ଼ି ଦେଇଥିଲା। ଯୁବତୀ ଜଣକ ଏକାକୀ ବସ୍‌ରେ ଯାତ୍ରା କରିଥିଲେ। ସେ ଠିକ୍‌ ଭାବରେ କହି ପାରୁ ନ ଥିବା ଏବଂ ଶୁଣି ପାରୁ ନ ଥିବା ବେଳେ ତାଙ୍କ ପାଖରେ ବସ୍‌ ଭଡା ପାଇଁ ଟଙ୍କା ମଧ୍ୟ ନ ଥିଲା। ତେବେ ବସ୍‌ କଣ୍ଡକ୍ଟର ଲୋଇସିଂହାରେ ଉକ୍ତ ଯୁବତୀଙ୍କୁ ଓହ୍ଳାଇ ସ୍ଥାନୀୟ ହକରଙ୍କ ଜିମାରେ ଛାଡ଼ି ଯିବା ପାଇଁ କହିବାରୁ ବସ ହେଲପର ମନା କରି ଆଗକୁ ନେଇଯିବା ପାଇଁ କଣ୍ଡକ୍ଟରଙ୍କୁ କହି ଥିବା ଉକ୍ତ ବସ୍‌ରେ ଆସୁଥିବା ଲୋଇସିଂହାର ଜଣେ ବ୍ୟକ୍ତି ଥାନାରେ ପ୍ରକାଶ କରିଛନ୍ତି। ସେହିଦିନଠାରୁ ଯୁବତୀଙ୍କ ପତ୍ତା ମିଳୁ ନାହିଁ। ଯୁବତୀ ଜଣକ ଡୁଙ୍ଗୁରିପାଲିରେ ଓହ୍ଲାଇଥିବା କଣ୍ଡକ୍ଟର କହୁଥିବା ବେଳେ ହେଲପର କିଛି ଜାଣି ନାହିଁ କିମ୍ବା ଯୁବତୀଙ୍କୁ ଚିହ୍ନି ନଥିବା କହିଛନ୍ତି। କଣ୍ଡକ୍ଟର ଓ ହେଲପରଙ୍କ କଥାର ତାଳମେଳ ରହୁ ନାହିଁ। ଏହି ଦିନଠାରୁ ହେଲପର ଏହି ଗାଡିରେ ଆସୁ ନ ଥିବାରୁ ସନ୍ଦେହ ଆହୁରି ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର