ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପ: ଜାମସେଦପୁରକୁ ହରାଇ ଫାଇନାଲରେ ସମ୍ବଲପୁର

ଆସନ୍ତାକାଲି ଭୁବନେଶ୍ୱରର ଜାଗୃତି ଏକାଡେମୀ ସହିତ ମୁକାବିଲା

ବୀରମହାରାଜପୁର: ‘ପୁଲ-ବି’ର ସେମିଫାଇନାଲ ମ୍ୟାଚରେ ଗୁରୁବାର ଟାଉନ ଜାମସେଦପୁର (ଝାରଖଣ୍ଡ)କୁ ପରାସ୍ତ କରି ସମ୍ବଲପୁରର ମେହେତାବ କ୍ଲବ ଫାଇନାଲରେ ପ୍ରବେଶ କରିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆ ଠାରେ ୨୨ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପର ୨ୟ ସେମିଫାଇନାଲରେ ସମ୍ବଲପୁର ଟସ୍‌ ଜିଣି ଜାମସେଦପୁରକୁ ବେଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଜାମସେଦପୁର ୨୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅମରଦୀପ ସିଂ ୨୫ ବଲରୁ ୩୮ରନ୍‌ ଓ ଅମନ ୨୮ରନ୍‌ ସଂଗ୍ରହ କରିଥିଲେ । ସମ୍ବଲପୁରର ପ୍ରଣୟ ବିଶ୍ୱାଳ ୩ଟି ଓ ଶେଖ ଜାହାଙ୍ଗିର ୨ଟି ଓ୍ଵିକେଟ ଅକ୍ତିଆର କରିଥିଲେ ।

ଦ୍ୱିତୀୟ ପାଳିରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୨୭.୫ ଓଭରରେ ୯ ଓ୍ଵିକେଟ ହରାଇ ଆବଶ୍ୟକ ୧୭୬ ରନ କରି ଜାମସେଦପୁରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ସୟଦ ଅନୱାର ଓ ପ୍ରିୟ ରଞ୍ଜନ ନାଥ ପ୍ରତ୍ୟେକ ୩୬ ରନ ଲେଖାଏଁ ଓ ରାହୁଲ ସାହୁ ୩୫ ରନ୍‌ ସଂଗ୍ରହ କରିଥିଲେ । ଜାମସେଦପୁରର ଜିତେନ୍ଦ୍ର କୁମାର ଓ ରୋହିତ ସିଂ ପ୍ରତ୍ୟେକେ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ବରିଷ୍ଠ ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ସମାରୋହରେ ପୂର୍ବତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ମୁଖ୍ୟ ଅତିଥି ଏବଂ ଦିଲ୍ଲିପ ଚାନ୍ଦ ଓ ପିତବାସ କ୍ଷେତି ସମ୍ମାନିତ ଅତିଥିଭାବରେ ଯୋଗ ଦେଇ ସମ୍ବଲପୁରର ପ୍ରିୟ ରଞ୍ଜନ ନାଥଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ଜୟ ପ୍ରକାଶ ସାହୁ ଓ ଶ୍ୟାମ ସୁନ୍ଦର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ମ୍ୟାଚ୍‌କୁ ସୁନିଲ ପଣ୍ଡା ମେଚ୍‌ ରେଫରି ଭାବରେ କାର୍ଯ୍ୟ ତୁଲାଇ ଥିଲେ । ବାଙ୍କ ବିହାରୀ ମହାକୁର ସ୍କୋରିଙ୍ଗ୍‌ ଏବଂ ଆଶିଷ ଦେଓ, ମ୍ୟାକ୍‌ ମିଳନ ପିଙ୍କୁ ଓ ପିତାମ୍ବର ସାହୁ ଧାରା ଧାରାବିବରଣୀ ପ୍ରଦାନ କରିଥିଲେ ।

ଭୂବନେଶ୍ୱରର ଜାଗୃତି କ୍ରିକେଟ ଏକାଡେମୀ ଓ ସମ୍ବଲପୁରର ମେହେତାବ କ୍ଲବ ମଧ୍ୟରେ ଶୁକ୍ରବାର ଫାଇନାଲ ମେଚ୍‌ ହେବ ବୋଲି ଆୟୋଜକ ଜୟ ଜଗନ୍ନାଥ ସ୍ପୋଟିଙ୍ଗ୍‌ କ୍ଲବ କମିଟି ସୁତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର