ସୁବର୍ଣ୍ଣପୁର: ବଜ୍ରାଘାତରେ ଭାଙ୍ଗିଲା ମହାଦେବ ମନ୍ଦିରର ଶିବ ଲିଙ୍ଗ

ବୀରମହାରାଜପୁର: ବଜ୍ରାଘାତରେ ଶନିବାର ଭଗବାନ ଶିବଙ୍କ ଲିଙ୍ଗ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ କେନଝିରିଆପାଲି ଗ୍ରାମର ପ୍ରେମାନନ୍ଦ ଘୁଙ୍ଗିଜୀ ମହାରାଜଙ୍କ ଆଶ୍ରମ ପରିସରରେ ଥିବା ମହାଦେବଙ୍କ ମନ୍ଦିର ଉପରେ ବଜ୍ରାଘାତ ହୋଇଛି। ବଜ୍ରାଘାତ ଯେଗୁଁ ମନ୍ଦିରର ଉପର ଭାଗରେ ଫାଟ ଦେଖାଯାଇଥିବା ବେଳେ ୩ଟି କବାଟ ଓ ପ୍ରଭୁ ଶିବଙ୍କ ବେଢ଼ାର ୫୦ ପ୍ରତିଶତ ଭାଙ୍ଗିଯାଇଛି

ବଜ୍ରାଘାତର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଏହା ମନ୍ଦିର ଭିତର ପାର୍ଶ୍ୱରେ ଲାଗିଥିବା ଗୋଟିଏ କବାଟ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସେହିଭଳି ଅନ୍ୟ ୨ଟି କବାଟ ମରାମତି କରାଯିବା ପରେ ପୁଣି ଥରେ ଏହା ମନ୍ଦିରରେ ବ୍ୟବହୃତ ହୋଇ ପାରିବ ବୋଲି ମଠାଧୀଶ ପ୍ରେମାନନ୍ଦ ଘୁଙ୍ଗିଜୀ ମହାରାଜ ସୂଚନା ଦେଇଛି। ମଠାଧୀଶ କହିଛନ୍ତି, ଯେଉଁ ସମୟରେ ବଜ୍ରାଘାତ ହୋଇଥିଲା, ସେତେବେଳକୁ ସେ ଶଯ୍ୟାରୁ ଉଠି ସକାଳର ନିତ୍ୟକ୍ରମରେ ବ୍ୟସ୍ତ ଥିଲେ।

ମନ୍ଦିର ପଜୂାରୀ ତରଣୀ ସେନ ଖମାରୀ କହିଛନ୍ତି, ମନ୍ଦିରର ପ୍ରଥମ କବାଟ ଖୋଲିବା ପୂର୍ବରୁ ସେ ଦେଖିଲେ ଯେ, କବାଟ ଗୁଡ଼ିକ ଭାଙ୍ଗି ଯାଇଛି ଓ ଭିତର ପାର୍ଶ୍ୱର କବାଟ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସେ କହିଛନ୍ତି, ଶିବ ଲିଙ୍ଗ ୫୦ ପ୍ରତିଶତ ନଷ୍ଟ ହୋଇ ଯାଇଛି। ଘଟଣା ସମ୍ପର୍କରେ ସେ ମଠାଧୀଶ ପ୍ରେମାନନ୍ଦ ମହାରାଜଙ୍କୁ ସୂଚନା ଦେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହୋଇଛି। ହଜାର ସଂଖ୍ୟାରେ ଲୋକ ମନ୍ଦିରକୁ ଆସି ଘଟଣାକୁ ଦେଖିବା ପରେ ପୁଣି ଥରେ ମରାମତି କାମ ଆରମ୍ଭ ହୋଇଛି। ଦୁଇରୁ ତିନି ମଧ୍ୟରେ ମରାମତି କାମ ଶେଷ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ୧୯୯୨ରେ ସ୍ଥାପିତ ମଠ ପରିସରରେ ଥବା ଶିବ ମନ୍ଦିରରେ ବଜ୍ରାଘାତ ହେବା ପରେ ସ୍ଥାନୀୟ ଅଞ୍ଚଳର ଭକ୍ତ, ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀଙ୍କୁ ଶକ୍ତ ଧକ୍କା ଲାଗିଛି। ସୂଚନାଯୋଗ୍ୟ, ପ୍ରାକୃତିକ ପରିବେଶ ଭିତରେ ଥିବା ମଠ ଓ ମନ୍ଦିର ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଏଠାରେ ପ୍ରତିବର୍ଷ ନାମ-ଯଜ୍ଞ, ତୁଳସୀ ରାମାୟଣ, ରାମଚରିତ ମାନସ ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।

ସମ୍ବନ୍ଧିତ ଖବର