ସୀମା ଲଙ୍ଘୁଛନ୍ତି ମିଲର୍ସ, କାର୍ଯ୍ୟାନୁଷ୍ଠାନ ନାହିଁ :ଧାନ କିଣାରେ କଟ୍‌ନି ଛଟ୍‌ନି

ସୋନପୁର,: ସୁବର୍ଣ୍ଣପୁର ଜିଲ୍ଲାରେ ନଭେମ୍ବର ୧୪ ତାରିଖରୁ ଖରିଫ ଧାନ କ୍ରୟ ଚାଲିଛି। ଜିଲ୍ଲାର ୪୧ଟି ମିଲର୍ସ ଏବଂ ଜିଲ୍ଲା ବାହାରର ୨୧ଟି ମିଲର୍ସ ଏହିପରି ଭାବରେ ମୋଟ ୬୧ଟି ମିଲର୍ସଙ୍କ ଦ୍ବାରା ଖରିଫ ଧାନ କ୍ରୟ ଚାଲିଛି। ତେବେ ଗତ ନଭେମ୍ବର ୧୨ ତାରିଖରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ବସିଥିଲା। ଏଥିରେ କଟନିଛଟନି ଉପରେ ରୋକ ଲଗାଯିବା ନେଇ ନିଷ୍ପତି ହୋଇଥିଲା। ଯେଉଁ ମିଲର୍ସ କଟନିଛଟନି କରିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏପରିକି ଖୋଦ ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ କଟନିଛଟନି ହେଲେ ମକଦ୍ଦମା ଦାଏର କରାଯିବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଠାରେ ନା’ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତି ଠିକ ଭାବରେ କାର୍ଯ୍ୟ କରୁଛି ନା’ ଖୋଦ ମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟ କରୁଛି। ଜିଲ୍ଲାରେ ୫ଟି ମାର୍କେଟୟାର୍ଡ ୬୪ଟି ପ୍ୟାକ୍ସ ଏବଂ ୧୭ଟି ଅତିରିକ୍ତ ଧାନ କ୍ରୟ କେନ୍ଦ୍ରରେ ଧାନ କ୍ରୟ କରାଯାଉଛି। ଚାଷୀ ଯେମିତି ଧାନ ଆଣିଲେ ମଧ୍ୟ ମିଲର୍ସମାନେ କଟ୍‌ନିଛଟ୍‌ନି କରିବାକୁ ଜିଦ କରୁଛନ୍ତି। କଟନିଛଟନିରେ ଚାଷୀ ରାଜି ନହେଲେ ମଣ୍ଡିରୁ ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରବଳ ଶୀତ ସତ୍ତ୍ବେ ମଣ୍ଡିରେ ଧାନ ଜଗି ରହୁଛନ୍ତି। ଜିଲ୍ଲାରେ ଧାନ କିଣା ମିଲର୍ସମାନଙ୍କ ମର୍ଜିରେ ଚାଲିଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ହେଲେ ଚାଷୀଙ୍କ କଥା କେହି ଶୁଣୁ ନାହାନ୍ତି। ଏହି କଟନିଛଟନିରେ କିଛି ପ୍ୟାକ୍ସ କର୍ମଚାରୀମାନେ ସାମିଲ ଥିବା ଅଭିଯୋଗ ହେଉଛି। ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଏଠାରେ ମୁଖ୍ୟତଃ ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି।

ତେବେ ଧାନ ବିକ୍ରି ସମୟରେ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ଧାନ ବିକ୍ରି ସମୟରେ କଟ୍‌ନିଛଟନି ଶିକାର ପାଲଟିଥାନ୍ତି। ଫଳରେ ଧାନର ଉଚିତ ମୂଲ୍ୟ ପାଇନଥାନ୍ତି। ସେପଟେ ବିଭିନ୍ନ ମିଲମାନଙ୍କୁ ଦଲାଲଙ୍କ ଜରିଆରେ ହଜାର ହଜାର କ୍ବିଣ୍ଟାଲ ଧାନ ପସିଥିବା ଚର୍ଚ୍ଚା ହେଉଛି। ସେପଟେ ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୨ରୁ ୩ କେଜି ମିଲର୍ସ କାଟୁଛନ୍ତି ଏବଂ ଏହି ଧାନ ମିଲର୍ସଙ୍କ ପାଖକୁ ଯାଉଥିଲେ ମଧ୍ୟ ତାହାର ହିସାବ ନାହିଁ। ଜିଲ୍ଲାରେ ସର୍ବାଧିକ କ୍ଷତି ସହୁଛନ୍ତି କ୍ଷୁଦ୍ର ଚାଷୀ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଲାଲମାନେ ଅଣ୍ଡରରେଟରେ ଧାନ କ୍ରୟ କରି ବିଭିନ୍ନ ମିଲକୁ ସେହି ଧାନ ଦେଉଥିବା‌ର ମଧ୍ୟ ଅଭିଯୋଗ ହେଉଛି। ବାହାରୁ ଦଲାଲମାନଙ୍କ ଜରିଆରେ ମିଲକୁ ପସୁଥିବା ଧାନକୁ ଚଞ୍ଚକତା କରି ମଣ୍ଡିରୁ କ୍ରୟ କରାଯାଉଥିବା ଦର୍ଶାଯାଉଥିବା ମଧ୍ୟ ଗୁରୁତର ଅଭିଯୋଗ ହେଉଛି। କଟନିଛଟନିରେ ମିଲର୍ସମାନେ ସୀମା ଲଙ୍ଘୁଥିବା ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଉପଯୁକ୍ତ ତଦନ୍ତ ହୋଇ ନାହିଁ କି କୌଣସି ମିଲର୍ସମାନଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯଦି ତଦନ୍ତ ଠିକ ଭାବରେ ହୁଅନ୍ତା ତାହେଲେ ମିଲର୍ସ କେତେ ଧାନ କ୍ରୟ କଲେ ଏବଂ ସେହି ଅନୁଯାୟୀ ମିଲରେ କେତେ ଧାନ ଗଛିତ ରହିବା କଥା ତାହା ସ୍ପଷ୍ଟ ହୁଅନ୍ତା। କିନ୍ତୁ ମିଲର୍ସମାନଙ୍କ ସହିତ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀମାନଙ୍କ ମଧୁର ସମ୍ପର୍କ ଯୋଗୁଁ ମିଲର୍ସମାନଙ୍କ କେଳେଙ୍କାରୀ ପଦାକୁ ଆସୁନାହିଁ। ସେହିଭଳି ମିଲର୍ସଙ୍କୁ ସୁହାଇଲା ଭଳି ନୀତି କରାଯାଉଥିବାରୁ ଚାଷୀଙ୍କ ସ୍ବାର୍ଥ୍ୟ ବଳି ପଡ଼ୁଛି। ଜିଲ୍ଲାରେ ଧାନ କ୍ରୟରେ ସ୍ବଛତା କଥା ବିଭାଗ କହୁଥିଲେ ମଧ୍ୟ ଠିକ ଭାବରେ ଯେ ସ୍ବଛତା ଅବଲମ୍ବନ କରାଯାଉନଥିବା କଟନିଛଟନିରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର